୯୦ ଦଶକରେ ମାହୁନ୍ତଙ୍କୁ ମାରି ବନ୍ଦୀ ଜୀବନ କଟାଉଥିବା ହାତୀ ନନ୍ଦର ମୃତ୍ୟୁ; ବନ ବିଭାଗ ଉପରେ ପ୍ରଶ୍ନବାଚୀ

୧୯୯୮ରେ ନନ୍ଦନକନାନରେ ମାହୁନ୍ତ ରାଧା ସିଂକୁ ମାରି ଚର୍ଚ୍ଚାକୁ ଆସିଥିବା ହାତୀ ନନ୍ଦର ମୃତ୍ୟୁ। ଯାହାକୁ ନେଇ ବନ ବିଭାଗର ପରିବା ପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୯୦ ଦଶକରେ ମାହୁନ୍ତଙ୍କୁ ମାରି ବନ୍ଦୀ ଜୀବନ କଟାଉଥିବା ହାତୀ ନନ୍ଦର ମୃତ୍ୟୁ

୯୦ ଦଶକରେ ମାହୁନ୍ତଙ୍କୁ ମାରି ବନ୍ଦୀ ଜୀବନ କଟାଉଥିବା ହାତୀ ନନ୍ଦର ମୃତ୍ୟୁ

  • Share this:
News18 Odia Digital

ଭୁବନେଶ୍ବର: ନନ୍ଦ ମରିଗଲା ନା ମାରିଦେଲେ? ମଧ୍ୟ ବୟସ୍କ ନନ୍ଦ ୩୫ ବର୍ଷରେ ଆଖି ବୁଜିଲା କାହିଁକି? ନନ୍ଦନକାନନରେ ଜନ୍ମିତ ଏକମାତ୍ର ଗଜରାଜ ନନ୍ଦର ମୃତ୍ୟୁ ବର୍ତ୍ତମାନ ବନ ବିଭାଗର ପରିବା ପାଣିଆ ଉପରେ ପ୍ରଶ୍ନବାଚୀ ଠିଆ କରିଛି। ଟ୍ରେନର, ଡିଏଫଓ, ପିସିସିଏଫ, ରେଞ୍ଜର କି ଫରେଷ୍ଟର, ନନ୍ଦ ମରିବା ନେଇ କାହାରି ପାଖରେ ସଠିକ ଖବର ନାହିଁ କି କାରଣ ବି ନାହିଁ। ୧୯୯୮ରେ ନନ୍ଦନକନାନରେ ମାହୁନ୍ତ ରାଧା ସିଂକୁ ମାରି ଚର୍ଚ୍ଚାକୁ ଆସିଥିଲା ନନ୍ଦ।

ନନ୍ଦନକାନାନରେ ୧୯୯୮ ରୁ ୨୦୧୦ ଯାଏ ତା ଗୋଡ଼ରେ ସିକୁଳି ବନ୍ଧା ହୋଇ ରହିଥିଲା। ସ୍ୱଭାବରେ ପରିବର୍ତ୍ତନ ପାଇଁ ଆସାମ ଓ କେରଳ ଢାଞ୍ଚାରେ କୁଂକି ଟ୍ରେନି ବା ପ୍ରଶିକ୍ଷିତ କରିବା ପାଇଁ ୨୦୧୦ରୁ ଗୋଡିବାରୀକୁ ଅଣାଗଲା ନନ୍ଦକୁ। ୪୮ ଘଣ୍ଟାର ଚିକିତ୍ସା, ହେଲେ ଫଳ ଶୂନ୍ୟ। ନନ୍ଦନକାନନରେ ଜନ୍ମ, ଗୋଡ଼ିବାରୀରେ ମୃତ୍ୟୁ। ରାଜ୍ୟରେ କୁମକି ତାଲିମ ପ୍ରାପ୍ତ ପ୍ରଥମ ହାତୀର ମୃତ୍ୟୁ ହେବା ପରେ, ପ୍ରଶିକ୍ଷଣବ୍ୟବସ୍ତାକୁ ନେଇ ଉଠିଛି ପ୍ରଶ୍ନ। ସ୍ଥାନାନ୍ତରଣ ପାଇଁ ବାରମ୍ବାର ଟ୍ରାଙ୍କୁଲାଇଜ, ନା ତଦାରଖ ଓ ଚିକିତ୍ସାରେ ଅବହେଳା, ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଜଙ୍ଗଲ ସୁରକ୍ଷାରେ ନିୟୋଜିତ କରିବା ପାଇଁ ହାତୀଙ୍କୁ କୁମକି ତାଲିମ ପ୍ରଦାନ କରାଯାଉଛି। ହେଲେ ତାଲିମ ପ୍ରଦାନ ଦାୟତ୍ୱରେ ଥିବା ଘରୋଇ ସଂସ୍ଥା ୧୦ ବର୍ଷରେ ମୋଟ ୩ଟି ହାତୀଙ୍କୁ ଦେଇଛି ତାଲିମ। ଏ ନେଇ ମାସିକ ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି। ମୃତ ନନ୍ଦ ସମେତ ଶଙ୍କର ଓ ଯଶୋଦା କୁମକି ତାଲିମ ନେଉଥିବା ହାତୀ। ପ୍ରଥମେ ଗୋଡ଼ିବାରୀ ଠାରେ ତାଲିମ ପ୍ରଦାନ କରାଯାଇ କୁମାର ଖୁଣ୍ଟି ଜଙ୍ଗଲ ଭିତରକୁ ଛାଡ଼ିଦିଆଯାଏ। କାରଣ କୁମାର ଖୁଣ୍ଟିରେ ଅଛି ହାତୀ ଉଦ୍ଧାର କେନ୍ଦ୍ର।

ସେହି ସ୍ଥାନାନ୍ତରଣ ପ୍ରକ୍ରିୟା ନନ୍ଦ ପାଇଁ ସାଜିଲା କାଳ। ପ୍ରଥମେ ନନ୍ଦନକାନନରୁ ୨୦୧୦ ଅକ୍ଟୋବର ୨୫ ତାରିଖରେ ନନ୍ଦକୁ ଟ୍ରାଙ୍କୁଲାଇଜଡ଼ କରି ଗୋଡ଼ିବାରୀ ଅଣାଯାଇଥିଲା। ଏପରିକି ନନ୍ଦ ଶରୀରରେ ବାରମ୍ବାର ନିସ୍ତେଜକ ବ୍ୟବହୃତ ହୋଇଥିବା କହିଛନ୍ତି ଡି.ଏଫ.ଓ.। ନିକଟରେ ମଧ୍ୟ ନନ୍ଦକୁ ନିସ୍ତେଜକ ଦେଇ ସ୍ଥାନାନ୍ତରଣ ପାଇଁ ପ୍ରଚେଷ୍ଟା କରିଥିଲା ବନ ବିଭାଗ।

ଶିକୁଳିରେ ଗୋଟିଏ ଜାଗାରେ ଦୀର୍ଘ ଦିନ ବନ୍ଧା ହୋଇ ରହିବା, ସ୍ଥାନାନ୍ତରଣ ପାଇଁ ବାରମ୍ବାର ନିସ୍ତେଜକ ଦିଆଯିବା ପରେ ତିନି ଦିନ ଧରି ଅସୁସ୍ଥ ଥିଲା ନନ୍ଦ। ଦେହର ତାପମାତ୍ରା ୧୦୪ ଡିଗ୍ରୀ ରହିବା ସହ ଓୟୁଏଟିର ଚିକିତ୍ସକ ଚିକିତ୍ସା ମଧ୍ୟ କରୁଥିଲେ। ହେଲେ ରବିବାର ରାତି ୩.୫୫ ମିନିଟରେ ତା'ର ମୃତ୍ୟୁ ହୋଇଥିବା କହିଛନ୍ତି ଡି.ଏଫ.ଓ.। କୁଂକି ଟ୍ରେନିଂ ପାଇଁ ହେଇଥିବା ଏମଓୟୁ ରେ ଲେଖା ଅଛି ଡି.ଏଫ.ଓ. ମାସକୁ ଥରେ ହାତୀମାନଙ୍କର ଟ୍ରେନିଂ କିପରି ଚାଲୁଛି ଦେଖି ସେ ସଂସ୍ଥାକୁ ଆଗକୁ ସମୟ ଦେବେ। ସେ ସଂସ୍ଥା ୧୦ ବର୍ଷ କାଳ ଟ୍ରେନିଂ ଦେଇ ପାରୁନି,ତା ପରେ ବି ତାକୁ କାମ ଦିଆ ଚାଲିଥିଲା କାହିଁକି? ଡି.ଏଫ.ଓ. କରୁଛନ୍ତି କଣ? ଏଭଳି ସ୍ଥିତିରେ ହାତୀ ମରିବା ଚିନ୍ତାର କାରଣ ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

କେଉଁ କାରଣ ପାଇଁ ହାତୀ ମରିଛି ତା'ର ସଠିକ ରିପୋର୍ଟ ଆସିବା ପରେ ଜଣା ପଡ଼ିବ। ପୂର୍ବରୁ ହାତୀ ଅସୁସ୍ଥ ଥିଲା କି? ହାତୀ ରକ୍ଷଣବେକ୍ଷଣରେ ନିୟୋଜିତ କର୍ମଚାରୀ ଓ ମାହୁନ୍ତକୁ ପଚାରିଲେ ଏହାର ଉତ୍ତର ମିଳିପାରିବ। ଯେହେତୁ ଗୋଡିବାରୀ ଏକ ଜଙ୍ଗଲ ହଠାତ ଅସୁସ୍ଥ ପଛରେ ଥାଇପାରେ କି ଜନ୍ତୁଙ୍କ କାମୁଡା। କିଛି ଲକ୍ଷଣ ବିହୀନ କାରଣ ତଥା ବିନା ଲକ୍ଷଣରେ ଭିତରେ ଭିତରେ ଅସୁସ୍ଥ ଥିଲା କି ହାତୀ? ଏଭଳି ପ୍ରଶ୍ନ ଉଠାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଲାଲା ଏ କେ ସିଂ। ତେବେ ହାତୀ ନନ୍ଦର ମୃତ୍ୟୁକୁ ନେଇ ଗୋରିବାରୀ ପ୍ରକୃତି ନିବାସ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିବା ସହ ଦୀର୍ଘ ସମୟ ଧରି ରାସ୍ତାରୋକ ମଧ୍ୟ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିକୁ ନିୟନ୍ତ୍ରଣ କରିଥିଲା।

ହାତୀଟି ଲୁହା କଡ଼ିରେ ଦୀର୍ଘବର୍ଷ ଧରି ବନ୍ଧା ହୋଇ ରହୁଥିବା ବେଳେ ଦାୟିତ୍ୱ ହୀନତା ଓ ଖାମାଖିଆଲ ମନୋଭାବ ଯୋଗୁଁ ଏପରି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ସହ କୁମକି ପ୍ରଶିକ୍ଷଣ ଦାୟିତ୍ୱରେ ଥିବା ଆସାମ ସଂସ୍ଥାର କାର୍ଯ୍ୟଶୈଳି ଉପରେ ଉଠିଛି ପ୍ରଶ୍ନ। ଡ଼ିଏଫଓଙ୍କ କହିବାନୁସାରେ ୧୦ ବର୍ଷରେ ତାଲିମ ନେଇଛନ୍ତି ୩ଟି ହାତୀ, ପ୍ରଶିକ୍ଷଣ ପାଇଁ ଅଛନ୍ତି ମାତ୍ର ଦୁଇ ଜଣ ମାହୁନ୍ତ। ହେଲେ ଆସାମର ସଂସ୍ଥା ଏଥିପାଇଁ ବାର୍ଷିକୀ କେତେ ଅର୍ଥ ନେଉଛି ସେ ତଥ୍ୟ ଡି.ଏଫ.ଓ.ଙ୍କ ପାଖରେ ନାହିଁ। ହଠାତ ନନ୍ଦର ଆକସ୍ମିକ ମୃତୁ ହେଲା କାହିଁକି? କିଏ ଏଥିପାଇଁ ଦାୟୀ? ପ୍ରଶିକ୍ଷଣ, ସ୍ଥାନାନ୍ତରଣ ଯୋଗୁଁ ଅକାଳରେ ଚାଲିଗଲା କି ନନ୍ଦର ଜୀବନ? ତେବେ ଏହାରି ଭିତରେ ନଜର ରହିଛି ଡାକ୍ତରୀ ଟିମର ଶବ ବ୍ୟବଛେଦ ରିପୋର୍ଟ ଉପରେ ନଜର।
Published by:Lipina Das
First published: