News18 Odia Digital
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଯୋଗୁ ବ୍ୟାପକ ପନିପରିବା ଫସଲ ନଷ୍ଟ। ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା ଶତାଧିକ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ବନ ବିଭାଗ ତରଫରୁ ନା ହାତୀ ଘଉଡ଼ାଇବା ପାଇଁ ସେଭଳି କୌଣସି ପଦକ୍ଷେପ ନିଆ ଯାଉଛି ନା ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳୁଛି। ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଶତାଧିକ ଚାଷୀ।
ଜିଲ୍ଲାର ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ ଓ କିଶୋରନଗର ଆଦି ବ୍ଲକର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଶତକଡା ପ୍ରାୟ ୯୦ ଭାଗ ଲୋକ କେବଳ ଚାଷ ଉପରେ ନିର୍ଭର କରନ୍ତି।
ବିଶେଷ କରି ଏକର ଏକର ଜମିରେ ବିଭିନ୍ନ ଜାତିର ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ରାତି ପାହିଲେ ପରିବାରର ପିଲା ଠାରୁ ବୟସ୍କ ଓ ମହିଳା ସମସ୍ତେ ଲାଗି ପଡ଼ନ୍ତି ପନିପରିବା ବାଡ଼ିରେ। ଜମି ହଳ କରିବା ଠାରୁ ନେଇ ବିହନ ବୁଣିବା, ଚାରା ଲଗାଇବା ଓ ସାର ଔଷଧ ପ୍ରୟୋଗ କରିବା ସବୁ କାମ କରନ୍ତି। ହେଲେ ଏବେ କିଛି ମାସ ହେଲା ବଣୁଆ ହାତୀ ପଲ ସେମାନଙ୍କର ଜୀବିକା ଛଡ଼ାଇ ନେଇଛନ୍ତି।
ସନ୍ଧ୍ୟା ହେଲେ ୧୫ ରୁ ୨୦ ହାତୀ ଏକାବେଳେ ପଶି ସବୁ କିଛି ଖାଇ ନଷ୍ଟ କରିଦେଉଛନ୍ତି। ଦଳି ଚକଟି ବ୍ୟାପକ କ୍ଷତି କରୁଛନ୍ତି। ଜଳ ସେଚନ ପାଇଁ ବ୍ୟବହାର କରାଯାଉଥିବା ପାଇପ, ପମ୍ପ ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗିରୁଜି ଦେଉଛନ୍ତି।
ଫସଲ ଜଗିବା ପାଇଁ ତିଆରି ହୋଇଥିବା କୁଡ଼ିଆ ମଧ୍ୟ ଭାଙ୍ଗି ଦେଉଛନ୍ତି। ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଚାଷୀ। ହାତୀ ଘଉଡାଇବା ପାଇଁ ଲୋକେ ବନ ବିଭାଗକୁ ଖବର ଦେଲେ ଜଣେ କିମ୍ବା ଦୁଇ ଜଣ କର୍ମଚାରୀ ଆସୁଛନ୍ତି। ସ୍ଥାନୀୟ ଲୋକେ ନିଜେ ହାତୀ ଘଉଡ଼ାଉଛନ୍ତି।
ହେଲେ ଏହାର କିଛି ପ୍ରଭାବ ପଡୁନାହିଁ। ଆଗକୁ ଚାଷୀମାନେ କ'ଣ କରିବେ, କେମିତି ବଞ୍ଚିବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ତରଫରୁ ଏଲିଫାଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି। ହାତୀ ଆମ ସାଥି ଯୋଜନା କାର୍ଯ୍ୟକାରୀ କରୁଛି। ହାତୀମାନଙ୍କର ଗତିବିଧି ଜାଣିବା ପାଇଁ ସ୍ୱତନ୍ତ୍ର ମୋବାଇଲ ଆପ ଜାରି କରାଯାଇଛି। କିନ୍ତୁ ସେସବୁ କେବଳ ଫାଇଲ ଭିତରେ ରହି ଯାଇଛି। ଅନୁଗୁଳ ଜିଲ୍ଲାରେ ପ୍ରତ୍ୟକ ଦିନ କୌଣସି ନା କୌଣସି ଗାଁରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। କେଉଁଠି ନା କେଉଁଠି ହାତୀ ମୃତ୍ୟୁ ହେଉଛି।
ସରକାରଙ୍କ ତରଫରୁ ହାତୀ ବାର୍ହା ଭଳି ବନ୍ୟଜନ୍ତୁ ଫସଲ ନଷ୍ଟ କଲେ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦିଆ ଯିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ବର୍ଷ ବର୍ଷ ଧରି ହାତୀପଲ ଏଭଳି ଫସଲ ନଷ୍ଟ କରୁଥିଲେ ମଧ୍ୟ ଅଧିକାଂଶ ଚାଷୀଙ୍କୁ କ୍ଷତିପୂରଣ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ।
ଆଉ ଯେଉଁ କିଛି ଚାଷୀଙ୍କୁ କ୍ଷତିପୂରଣ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଏହାଛଡ଼ା ବନ ବିଭାଗର ଆବଶ୍ୟକ କର୍ମଚାରୀ ନଥିବାରୁ ହାତୀ ଘଉଡ଼ାଇବା ପାଇଁ ଅସୁବିଧା ହେଉଛି। ତେଣୁ ବନ ବିଭାଗ ଏଥିପ୍ରତି କଡ଼ା ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ମଣିଷ ଓ ହାତୀ ମଧ୍ୟରେ ବିବାଦ ବଢ଼ିବ। ଏଥିରେ ହାତୀ ମୃତ୍ୟୁ ହେବାର ଆଶଙ୍କା ରହିଛି। ବନ୍ୟଜନ୍ତୁ ସୁରକ୍ଷା ପାଇଁ କଡ଼ା ଆଇନ ପ୍ରଣୟନ କରାଯାଇଛି। ଯାହାକି ସ୍ୱାଗତଯୋଗ୍ୟ। କିନ୍ତୁ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ଲୋକଙ୍କ ଧନ ଜୀବନ ସୁରକ୍ଷା ପ୍ରତି ସେତିକି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ନଚେତ ପରିସ୍ଥିତି ଜଟିଳ ହୋଇ ପଡ଼ିବ ବୋଲି ପରିବେଶବିତ ଆଶଙ୍କା ପ୍ରକଟ କରିଛନ୍ତି।
“ମୁଁ ପନିପରିବା ଚାଷ କରି ମୋ ପରିବାର ପ୍ରତିପୋଷଣ କରୁଛି। ଧାର କରଜ କରି ବିହନ, ସାର ଓ ଔଷଧ କିଣିଛି। ସକାଳୁ ସଞ୍ଜ ଯାଏଁ ମୋ ପରିବାରର ସଦସ୍ୟମାନେ ଅକ୍ଲାନ୍ତ ପରିଶ୍ରମ କରି ଚାଷ କରୁଛୁ। ହେଲେ ଗୋଟିଏ ରାତିରେ ହାତୀ ପଲ ସବୁ ଶେଷ କରି ଦେଲା। ଏବେ ଆମେ କ'ଣ କରିବୁ। କେମିତି ବଞ୍ଚିବୁ ସେହି ଚିନ୍ତାରେ ଦିନ କାଟୁଛୁ,’’ କହିଛନ୍ତି ଜଣେ ଚାଷୀ କନ୍ଦର୍ପ ସାହୁ।
“କେବଳ ମୋର ନୁହେଁ। ମୋ ଭଳି ଅନେକ ଚାଷୀଙ୍କର ଜୀବିକା ଉଜାଡ଼ି ଦେଉଛନ୍ତି ହାତୀପଲ। ଆମେ ବାରମ୍ବାର ଦାବି କରି ଆସୁଛୁ ସୋଲାର ଫେନସିଂ କରି ହାତୀ ଉପଦ୍ରଵ ରୋକିବା ପାଇଁ। ଅଧିକ କର୍ମଚାରୀ ନିୟୋଜିତ କରି ହାତୀପଲ ଘଉଡ଼ାଇବାକୁ ମଧ୍ୟ ଅନୁରୋଧ କରିଛୁ। କିନ୍ତୁ ବନ ବିଭାଗ ଆଦୌ କର୍ଣ୍ଣପାତ କରୁନି। ଏଭଳି ସ୍ଥିତିରେ ଆମେ କେମିତି ବଞ୍ଚିବୁ,’’ କହିଛନ୍ତି ଆଉ ଜଣେ ଚାଷୀ ରତ୍ନାକର ସାହୁ।
ଏହି ମାମଲାରେ ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାୟକ କହିଛନ୍ତି, “ସରକାରୀ ନିୟମ ଅନୁସାରେ ହାତୀ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦିଆ ଯାଉଛି। ଯେତିକି କର୍ମଚାରୀ ଅଛନ୍ତି ସେତିକିରେ ଯୋଜନା ମୁତାବକ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ କରା ଯାଉଛି। ହାତୀଙ୍କର ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଯୋଗୁ ଗାଁ ମୁହାଁ ହେଉଛନ୍ତି। ଯାହାକି ବହୁତ ଅସୁବିଧା ହେଉଛି।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।