News 18 Odia Digital
ଢେଙ୍କାନାଳ; ନିକଟରେ ଅନୁଗୁଳ ସହର ଆଖପାଖରେ ଲୋକଙ୍କୁ ଗୋଡାଇ ଗୋଡାଇ ମାରିବା ପରେ ଏବେ ଢେଙ୍କାନାଳ ବନଖଣ୍ଡ ମୁହାଁ ହୋଇଛି ଗୋଠଛଡା ମାଖନା ହାତୀ। ହିନ୍ଦୋଳ ବନାଞ୍ଚଳ ସଞ୍ଜପଡା ଗାଁ ଆଖପାଖରେ ହାତୀଟି ବୁଲୁଛି। ଯାହାକୁ ନେଇ କୋକୁଆ ଭୟ ଖେଳିଯାଇଛି ।
ମାଖନା ହାତୀଟି ଶନିବାର ଦିନ ଅନୁଗୁଳରୁ ଏକ ହାତୀପଲ ଭିତରୁ ଅଲଗା ହୋଇ ଯାଇଥିଲା। ପରେ ସହର ନିକଟକୁ ଲାଗିଥିବା ଛେଳିଆପଡା ଗାଁ ଭିତରକୁ ପସିଥିଲା। ସେଠାରେ ଲୋକମାନେ ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଫଳରେ ହାତୀ ଅଧିକ ହିଂସ୍ର ହୋଇ ପଡିଥିଲା। ଯେଉଁଥିପାଇଁ ଲୋକଙ୍କ ଉପରେ ଆକ୍ରମଣ କରିଥିଲା।
ଅନୁଗୁଳରେ ଚାରିଜଣଙ୍କୁ ମାରିବା ପରେ ହାତୀଟି ଏବେ ଢେଙ୍କାନାଳ ଜିଲ୍ଲା ଭିତରକୁ ପ୍ରବେଶ କରିଛି। ଯେଉଁଥିପାଇଁ ନରହନ୍ତା ହାତୀ ଭୟରେ ଏବେ ସଞ୍ଜପଡା ଓ ଆଖପାଖ ଅଞ୍ଚଳର ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।ତୁରନ୍ତ ଯଦି ହାତୀଟିକୁ କାବୁ କରି ସୁରକ୍ଷିତ ସ୍ଥାନକୁ ନିଆନଯାଏ ତେବେ ସେ ଆହୁରି ଅନେକ ଜୀବନ ନେବା ସହିତ ଫସଲ ନଷ୍ଟ କରିପାରେ ବୋଲି ଆଶଙ୍କା କରାଯାଉଛି।
ଶୀତ ଦିନରେ ସାଧାରଣତଃ ହାତୀମାନେ ସାଥୀଙ୍କ ସହ ରହିବାକୁ ପସନ୍ଦ କରିଥାନ୍ତି । ଯେହେତୁ ଆତଙ୍କ ସୃଷ୍ଟି କରିଥିବା ଏହି ମାଖନା ହାତୀଟି ଗୋଠଛଡା ହୋଇଯାଇଛି। ତେଣୁ ତା'ଠାରେ ହିଂସ୍ରତା ଦେଖାଯିବା ସ୍ୱଭାବିକ କଥା। ସେହି ଦୃଷ୍ଟିରୁ ତା ଉପରେ ତିକ୍ଷ୍ଣ ନଜର ରଖାଯାଇଛି ଓ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।
"ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଅନେକ କଳ କାରଖାନା ରହିଛି। ତେଣୁ ଜୀବିକା ନିର୍ବାହ ପାଇଁ ଶହ ଶହ ଲୋକଙ୍କ ଯାତାୟାତ ଏହି ସ୍ଥାନ ମାନଙ୍କରେ ରହିଛି। ତେଣୁ ହାତୀ ଯଦି ଜଙ୍ଗଲ ଭିତରୁ ବାହାରି ଜନବସତୀ ମୁହାଁ ହୁଏ ତେବେ ବିପଦ ସୃଷ୍ଟି ହୋଇପାରେ । ନିକଟସ୍ଥ କମ୍ପାନୀର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲେ ହାତୀର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେଣୁ ବନ ବିଭାଗ ତରଫରୁ ଉଭୟ ହାତୀ ଓ ମଣିଷଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ସତର୍କତା ପଦକ୍ଷେପ ଗ୍ରହଣ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବୋଲି ଓଡ଼ିଶା ଜଙ୍ଗଲ ମଞ୍ଚ ସହ ସମ୍ପାଦକ ଶିଶିର ଶତପଥୀ କହିଛନ୍ତି।"
"ହାତୀଟି ଅନୁଗୁଳରେ ଆକ୍ରମଣ କରି ଆସିବା ପରେ ସଞ୍ଜପଡା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି । ବର୍ତ୍ତମାନ ହାତୀଟି ଶାନ୍ତ ଅବସ୍ଥାରେ ଅଛି ବୋଲି ଜଣାପଡିଛି। କିନ୍ତୁ ମାଖନା ହାତୀଟି ଯଦି ଜନବସତୀ ମୁହାଁ ହୁଏ କିମ୍ବା ତା'ଠାରେ ହିଂସ୍ରତା ଆଚରଣ ଦେଖାଯାଏ ତେବେ ତାକୁ ଟ୍ରାଙ୍କୁଲାଇଜ କରାଯାଇ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ।"
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।