News 18 Odia Digital
ମୟୁରଭଞ୍ଜ; ହାତୀ ମୃତ୍ୟୁ ଚିନ୍ତା ପରିବେଶ ତଥା ପଶୁପ୍ରେମୀଙ୍କୁ ଯେତିକି କଷ୍ଟ ଦେଉଛି ଏ ଖବର ବାରମ୍ୱାର ସେତିକି ପୁନରାବୃତ୍ତି ହେଉଛି । ପ୍ରଶାସନ ଓ ବନ ବିଭାଗ ହାତୀର ସୁରକ୍ଷା ପାଇଁ ଉଚିତ ପଦକ୍ଷପ ଗ୍ରହଣ କରୁଥିବା କହୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ସଭିଙ୍କ ସାମ୍ନାରେ ।
ଆଜି ପୁଣିଥରେ ଆଉ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ମୟୁରଭଞ୍ଜ ଠାକୁରମୁଣ୍ଡା ରେଞ୍ଜ୍ ଅଞ୍ଚଳରୁ ଶବ ଠାବ ହୋଇଥିବାବେଳେ ମୃତ୍ୟୁର କାରଣ ଏବେ ବି ରହସ୍ୟ ଘେରରେ ରହିଛି । ବନ ବିଭାଗର କର୍ମଚାରୀ ଏନେଇ କୋଣସି ପ୍ରତିକ୍ରିୟା ଦେଉ ନାହାନ୍ତି ।
ଜଙ୍ଗଲ ଅଞ୍ଚଳରେ ଏକ ବଡ଼ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ସେମାନେ ଠାକୁରମୁଣ୍ଡା ବନ ବିଭାଗ ଅଫିସକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ଘଟଣାର ରଫାଦଫା କରାଯାଉଥିଲେ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ଠାବ ହୋଇଥିବା ଦନ୍ତାହାତୀର ବୟସ ପାଖାପାଖି ୧୦ ବର୍ଷ ହେବ ବୋଲି କହିଛନ୍ତି ବନ ବିଭାଗ କର୍ମଚାରୀ ।
କେହି ହାତୀକୁ ଶିକାର କରିବା ଉଦ୍ଦେଶ୍ୟରେ ମାରିଥିବା ଅନୁମାନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ କାରଣ ପଦାକୁ ଆସିବ କହିଛି ବନ ବିଭାଗ । ବାରିପଦାରୁ ଆରସିସିଏଫ ଟିମ ଘଟଣାସ୍ଥଳକୁ ଆସିଥିବା ସହ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ, କରଞ୍ଜିଆ ଡିଏଫଓ, ଏସିଏଫ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ହାତୀଟିର ମୃତ୍ୟୁ କିପରି ହେଲା ତାହାର ସଠିକ ତଦନ୍ତ କରିବାକୁ ସ୍ଥାନୀୟବାସୀ କହିଛନ୍ତି । ଏଥିସହ ହାତୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦିଆଗଲେ ଏପରି ଘଟଣା ଆଉ ସାମ୍ନାକୁ ଆସିବନାହିଁ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଉଛି । ତେବେ ଏହାପରେ ବନ ବିଭାଗ ଓ ପ୍ରଶାସନ କଣ ପଦକ୍ଷପ ନେଉଛି ତାହାକୁ ଏବେ ଅପେକ୍ଷା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।