Elephant Death Case: ହାତୀଙ୍କୁ ସୁରକ୍ଷା ଦେବା ପାଇଁ ଆକ୍ସନ ପ୍ଲାନ ଲାଗୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Elephant Death Case: ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ। ଏହି ଆକ୍ସନ ପ୍ଲାନକୁ ଅନୁମତି ପ୍ରଦାନ କରିଛି ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି।

ହାତୀଙ୍କୁ ସୁରକ୍ଷା ଦେବା ପାଇଁ ଆକ୍ସନ ପ୍ଲାନ ଲାଗୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ହାତୀଙ୍କୁ ସୁରକ୍ଷା ଦେବା ପାଇଁ ଆକ୍ସନ ପ୍ଲାନ ଲାଗୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି ହୋଇଛି। ମାମଲାର ଶୁଣାଣି କରି ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଏଣ୍ଟ ଟାକ୍ସ ଫୋର୍ସ ପ୍ରସ୍ତୁତ କରିଛି ଏହି ଆକ୍ସନ ପ୍ଲାନ। ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ। ଏହି ଆକ୍ସନ ପ୍ଲାନକୁ ଅନୁମତି ପ୍ରଦାନ କରିଛି ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି।

୩ ସପ୍ତାହ ମଧ୍ୟରେ ଏହି ଆକ୍ସନ ପ୍ଲାନ ଲାଗୁ କରିବାକୁ ନିର୍ଦ୍ଦେଶ। ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମାର୍ଚ୍ଚ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ହାତୀ ମୃତ୍ୟୁ ମାମଲାକୁ ଅତି ଗୁରୁତ୍ୱର ନେଇଛନ୍ତି ହାଇକୋର୍ଟ। ହାତୀ ମୃତ୍ୟୁ ମାମଲା ନେଇ ହୋଇଥିବା ଶୁଣାଣୀ ନେଇ CCF ମନୋଜ ନାୟାରଙ୍କ ପକ୍ଷରୁ ପୂର୍ବରୁ ସତ୍ୟପାଠ ଦାଖଲ କରାଯାଇଛି।

୧୪ଟି ହାତୀ କରିଡର ଚିହ୍ନଟ କରାଯାଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ତେବେ ଜନ ସୁରକ୍ଷା ଗଜରକ୍ଷା ଯୋଜନା ଅଧୀନରେ ୧୧୭୭ଟି ଗ୍ରାମ ପାଇଁ ୫୪୫୭ ଗଜସାଥି ରହିଛନ୍ତି। ଲୋକ ଓ ହାତୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଏହି ଯୋଜନା ଲାଗୁ କରାଯାଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ବିଦ୍ୟୁତ୍ ଜନିତ ମୃତ୍ୟୁ ରୋକିବା ପାଇଁ ୨୩୫୪ କିମି ଅଞ୍ଚଳରେ ସୁରକ୍ଷା କେବୁଲ୍ ଲଗାଯାଇଛି।

ଏହା ଛଡା ୧୯ଟି ଡିଭିଜନର ୩୨ଟି ରେଞ୍ଜରେ ସର୍ବାଧିକ ହାତୀ ମଣିଷ ଲଢ଼େଇ ହେଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ତେବେ ବର୍ତ୍ତମାନ ଯାଏଁ ୩୪ଟି ଜଳାଶୟ ସୃଷ୍ଟି କରାଯାଇଥିବା ବେଳେ ୨୬ଟିର ପୁନରୁଦ୍ଧାର କରାଯାଇଛି। ଏହା ସହ ୪୧ଟି ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ୧ ଲକ୍ଷ ବାଉଁଶ ଚାରାରୋପଣ କରାଯାଇଛି ବୋଲି ସତ୍ୟପାଠ ଉଲ୍ଲେଖ କରିଛନ୍ତି CCF।

ପୂର୍ବ ଶୁଣାଣି ସମୟରେ, ପିସିସିଏଫ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।କାହିଁକି ହାତୀ ମୃତୁ ରୋକା ଯାଇପାରୁ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ଏଥିସହ ଗତ ବର୍ଷ ତାରିଖରେ ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାକୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପିସିସିଏଫ କୋର୍ଟରେ ସ୍ୱୀକାର କରିଥିଲେ ଯେ ବନ କର୍ମଚାରୀମାନେ ହାତୀକୁ ମାରି ପୋଡ଼ଥିଲେ। ସିମିଳିପାଳ ହାତୀ ମୃତୁ ଘଟଣାରେ ବନ କର୍ମଚାରୀ ସାମିଲ ଅଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଏଫଆଇଆର ହୋଇ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ସେହିପରି ଜଏଣ୍ଟ ଟାସ୍କ ଫୋର୍ସ ହାତୀ ମୃତ୍ୟୁ ରୋକିବାରେ କଣ ପଦକ୍ଷେପ ନେଇଛି, ସେନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ।

ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କମୁନାହିଁ ହାତୀ ମୃତ୍ୟୁ। ହାତୀ ପ୍ରସଙ୍ଗକୁ ନେଇ ହାଇକୋର୍ଟ ଗୁରତ୍ୱର ନେଇଛନ୍ତି। ମୃତୁ ଘଟଣାରେ କେତେଗୋଟି ଫୌଜଦାରୀ ମାମଲା ରୁଜୁ କରାଯାଇଛି? କେତେ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ? ଏବଂ ଗିରଫ ପରେ ମାମଲାର କଣ ଅଗ୍ରଗତି କରାଯାଇଛି। ସେନେଇ କୋର୍ଟ ଜାଣିବାକୁ ଚାହିଁଥିଲେ।

ରାଜ୍ୟ ସରକାର ଗଠନ କରିଥିବା JTFର (ଜଏଣ୍ଟ ଟାକ୍ସଫୋର୍ସ) ଅତିରିକ୍ତ ଏସପିଙ୍କୁ ସତ୍ୟପାଠ ଦେବାକୁ କୋର୍ଟ ମଧ୍ୟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ହାତୀ ଶିକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହା‌ଇକୋର୍ଟ ପୂର୍ବରୁ ଅସନ୍ତୋଷବ୍ୟକ୍ତ ମଧ୍ୟ କରିଥିଲେ।

ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍‌ଡ ଲାଇଫ୍‌) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା।

ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ।

ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ। ଏଥି ସହିତ ଗୁଳିମାଡରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହେଉଥିଲେ ମଧ୍ୟ ଆର୍ମସ୍ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ ସେ ନେଇ ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳି ନଥିଲା।

ଏଭଳି ସ୍ଥିତିରେ ହାଇକୋର୍ଟ କହିଥିଲେ ଯେ ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ। ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ୍। ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହେଉଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମସ୍ ଆକ୍ଟ କିନ୍ତୁ ମାମଲାରେ ପ୍ରୟୋଗ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଥିଲେ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଏବଂ ଆର୍ମସ୍ ଆକ୍ଟ ସମେତ ଅନ୍ୟ ଆଇନ କଡ଼ା କଡ଼ି କାର୍ଯ୍ୟକାରୀ ପାଇଁ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ।
Published by:Lipina Das
First published: