ଲାଗି ପାରେ ଶକ୍: ବିଜୁଳି ଉତ୍ପାଦନକାରୀ ଓ ଆବଣ୍ଟନକାରୀ କମ୍ପାନୀମାନେ ଶୁଳ୍କ ବୃଦ୍ଧି ଚ଼ାହୁଁଛନ୍ତି

ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀମାନେ କହିଛନ୍ତି ଯେ ଯଦି ପୂର୍ବ ଦର ଅନୁସାରେ ୟୁନିଟ୍ ପିଛା ୨ ଟଙ୍କା ୭୦ ପଇସାରେ ସେମାନେ ବିକ୍ରୀ କରିବେ, ତାହେଲେ ସେମାନଙ୍କୁ ପ୍ରଚୁର କ୍ଷତି ସହିବାକୁ ପଡିବ । ବିଦ୍ୟୁତର ବିକ୍ରୀ ଦରକୁ ଆସନ୍ତା ବର୍ଷ ଠୁ ୟୁନିଟ୍ ପିଛା ୩ ଟଙ୍କା ୮୧ ପଇସା କରିବା ପାଇଁ ସେମାନେ ଆବେଦନ ଦେଇଛନ୍ତି ।

ଲାଗି ପାରେ ଶକ୍: ବିଜୁଳି ଉତ୍ପାଦନକାରୀ ଓ ଆବଣ୍ଟନକାରୀ କମ୍ପାନୀମାନେ ଶୁଳ୍କ ବୃଦ୍ଧି ଚ଼ାହୁଁଛନ୍ତି
ଓଇଆର୍‌ସି ମୁଖ୍ୟାଳୟ
  • News18 Odia
  • Last Updated: December 19, 2019, 7:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାମାନଙ୍କ ଉପରେ ଆଗକୁ ପଡି଼ପାରେ ବିଜୁଳି ଦର ବୃଦ୍ଧିର ବୋଝ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏକାଧିକ ବିଦ୍ୟୁତ ଉତ୍ପାଦନକାରୀ ଓ ଆବଣ୍ଟନକାରୀ କମ୍ପାନୀ ବିଦ୍ୟୁତ ଦର ବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ ବା ଓଇଆରସି ପାଖରେ ଆବେଦନ କରିଛନ୍ତି ।

ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ କହିଛି ଯେ ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀମାନଙ୍କ ଦେୟ ଆଦାୟରେ ଅପରାଗତା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହେବାକୁ ଯାଉଛି । ବିଜୁଳି ଦର ବୃଦ୍ଧିର କଡ଼ା ବିରୋଧ କରାଯିବ ବୋଲି କହିଛି ମହାସଙ୍ଘ ।

ଗତ ତିନି ବର୍ଷ ଧରି ରାଜ୍ୟରେ ବିଜୁଳି ଦର ବୃଦ୍ଧି ହୋଇ ନ ଥିବା ବେଳେ ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟବାସୀଙ୍କ ଉପରେ ଦର ବୃଦ୍ଧିର ଭାର ପଡି଼ପାରେ ବୋଲି ବିଭିନ୍ନ ମହଲରେ ଅନୁମାନ କରାଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଇଆରସି (OERC) ଜନଶୁଣାଣୀ ପାଇଁ ନୂଆ ବିଦ୍ୟୁତ ଦର ଧାର୍ଯ୍ୟ ନିମନ୍ତେ ବିଭିନ୍ନ ଉତ୍ପାଦନକାରୀ କମ୍ପାନୀ ଓ ଆବଣ୍ଟନକାରୀଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କରିବା ପରେ କମ୍ପାନୀଗୁଡି଼କର ଆବେଦନରୁ ଏଭଳି ସମ୍ଭାବନା ସାମ୍ନାକୁ ଆସିଛି ।

ଓଇଆରସିକୁ କମ୍ପାନୀଗୁଡି଼କର ଆବେଦନ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ଆବଶ୍ୟକ ହେବ ୨୮,୦୦୦ ମିଲିୟନ ୟୁନିଟ୍‌ ବିଦ୍ୟୁତ । ଅର୍ଥାତ ଏହି ଆର୍ଥିକ ବର୍ଷରେ ରାଜ୍ୟକୁ ୧୦,୭୪୭ କୋଟି ଟଙ୍କାର ମୋଟ୍‌ ବିଦ୍ୟୁତ କିଣିବା ଆବଶ୍ୟକ ପଡି଼ବ । ଏଥି ପାଇଁ ଡିସ୍‌କମ୍‌ ବା ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀମାନେ ଯଦି ପୂର୍ବ ଦର ଅନୁସାରେ ୟୁନିଟ୍‌ ପିଛା ୨ ଟଙ୍କା ୭୦ ପଇସାରେ ବିକ୍ରୀ କରିବେ ତେବେ କମ୍ପାନୀଗୁଡିକୁ ପ୍ରଚୁର କ୍ଷତି ସହିବାକୁ ପଡିବ ବୋଲି ସେମାନେ ଦର୍ଶାଇଛନ୍ତି ।

‘‘ନିଅଣ୍ଟ ଭରଣା ପାଇଁ ବିଦ୍ୟୁତର ବିକ୍ରୀ ଦର ୟୁନିଟ୍‌ ପିଛା ୩ ଟଙ୍କା ୮୧ ପଇସା କରିବା ପାଇଁ ଆବେଦନ ଦିଆଯାଇଛି । ତାହା ହେଲେ ଯାଇ କ୍ଷତି ଭରଣା ହୋଇପାରିବ,’’ କହିଛନ୍ତି ଗୋଟେ ଡିସ୍‌କମ୍‌ର ଜଣେ ବରିଷ୍ଠ ଅଧିକାରୀ ।

ଏଭଳି ଦେୟ ବୃଦ୍ଧିର ପ୍ରଭାବ ଖାଉଟିଙ୍କ ଉପରେ ପଡି଼ବାକୁ ଯାଉଥିବାରୁ ଏହାର ପ୍ରତିବାଦ କରିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ।

‘‘ବିଦ୍ୟୁତ କମ୍ପାନୀଗୁଡି଼କର ଅପରାଗତା ଓ ବକେୟା ଆଦାୟରେ ବିଫଳତାକୁ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡି଼ବାକୁ ଦିଆଯିବ ନାହିଁ । ଗୋଟିଏ ପଟେ ରାଜ୍ୟ ସରକାର ରାଜ୍ୟରେ ବିଦ୍ୟୁତ ବଳକା ରହୁଛି ବୋଲି ଦର୍ଶାଉଛନ୍ତି । ଆର ପଟେ କମ୍ପାନୀମାନେ କ୍ଷତି ହେଉଥିବା ଦର୍ଶାଉଛନ୍ତି । ଏହା କେତେଦୂର ଯୁକ୍ତିଯୁକ୍ତ?’’ ପଚ଼ାରିଛନ୍ତି ମହାସଙ୍ଘର ସଭାପତି ରମେଶ ଚନ୍ଦ୍ର ଶତପଥୀ ।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ଉପଦେଷ୍ଟା ପଞ୍ଚାନନ କାନୁନଗୋ କହିଛନ୍ତି: ‘‘ରାଜ୍ୟ ସରକାର ଏଟିସି କ୍ଷତିକୁ କମ୍‌ କରିବା ସହିତ ନିୟମିତ ଅଡିଟ୍‌କୁ ଗୁରୁତ୍ବ ଦେବା ଦରକାର । ଦେଶର ଏକାଧିକ ରାଜ୍ୟରେ ଏଟିସି କ୍ଷତି ୨୦ ପ୍ରତିଶତ ତଳେ ଥିବା ବେଳେ ଓଡ଼ିଶାରେ ଏହା ୩୫ ପ୍ରତିଶତ ଉପରେ । ତେଣୁ ଏହାକୁ ୧୫ ପ୍ରତିଶତକୁ କମ୍‌ କରାଯିବା ଦରକାର । ତାଛଡା ନିୟମିତଭାବେ ବିଦ୍ୟୁତ ଅଡିଟ୍‌ ମଧ୍ୟ କରାଯିବା ଦରକାର ।’’

ଅନ୍ୟ ପଟେ ଶକ୍ତି ବିଭାଗର ଯୁକ୍ତି ଯେ ସାରା ଦେଶରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇଆସିଛି । ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି: ‘‘ଓଡ଼ିଶା ଏକ ବଳକା ବିଦ୍ୟୁତ ରାଜ୍ୟ ହୋଇଥିବା କାରଣରୁ ରାଜ୍ୟରେ ସାଧାରଣ ଖାଉଟି ଉପରେ ଗତ ତିନି ବର୍ଷ ଧରି ପଡି଼ ନାହିଁ ବିଜୁଳି ଦର ବୃଦ୍ଧିର ବୋଝ । ଏ ନେଇ କମ୍ପାନୀଗୁଡିକ ପକ୍ଷରୁ ପ୍ରସ୍ତାବ ଆସୁଥିଲେ ବି ତାକୁ ଅଣଦେଖା କରାଯାଇଛି ।’’

‘‘ବିଦ୍ୟୁତ ଉତ୍ପାଦନକାରୀ ଓ ଆବଣ୍ଟନକାରୀ କମ୍ପାନୀମାନେ ଯାହା ପ୍ରସ୍ତାବ ରଖିଛନ୍ତି ତାକୁ ଅନୁଧ୍ୟାନ କରାଯିବ । ବାସ୍ତବରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ସହ ଦର ବୃଦ୍ଧି ଉପରେ ଆଗକୁ ଗୁରୁତ୍ବ ସହ ବିଚ଼ାର କରାଯିବ,’’ କହିଛନ୍ତି ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ।
First published: December 19, 2019, 7:16 PM IST