ବିଜୁଳିର ଚ଼ମକ ହେବ କି ମାନ୍ଦା? ରାଜ୍ୟରେ ବିଜୁଳି ଦେୟ ବଢ଼େଇବାକୁ ଚ଼ାହୁଁଛନ୍ତି କମ୍ପାନୀମାନେ

ସାଧାରଣ ନିର୍ବାଚନ ଓ ଅନ୍ୟ ବିଭିନ୍ନ କାରଣରୁ ଗଲା ଦୁଇ ଆର୍ଥିକ ବର୍ଷରେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ହୋଇ ନାହିଁ । ଏହି ଦୁଇ ବର୍ଷରେ କ୍ଷତି ସହିଛନ୍ତି ବୋଲି କହି କମ୍ପାନୀମାନେ ଏଥର ୟୁନିଟ୍‌ ପିଛିା ବିଜୁଳି ଦର ୮୮ ପଇସାରୁ ୯୫.୮୦ ପଇସାକୁ ବଢ଼େଇବାକୁ ଚ଼ାହୁଁଛନ୍ତି ।

ବିଜୁଳିର ଚ଼ମକ ହେବ କି ମାନ୍ଦା? ରାଜ୍ୟରେ ବିଜୁଳି ଦେୟ ବଢ଼େଇବାକୁ ଚ଼ାହୁଁଛନ୍ତି କମ୍ପାନୀମାନେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: February 3, 2020, 8:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ପଡ଼ିପାରେ ବିଜୁଳି ଶୁଳ୍କ ବୃଦ୍ଧିର ମାଡ଼। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଧାର୍ଯ୍ୟ ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଥିବା ଜନ ଶୁଣାଣି ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି ।

ଏକାଧିକ ବିଦ୍ୟୁତ ଉତ୍ପାଦନକାରୀ ଓ ଆବଣ୍ଟନକାରୀ କମ୍ପାନୀମାନେ ବିଦ୍ୟୁତ ଦର ବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ ବା ଓଇଆରସିଙ୍କ ପାଖରେ ଆବେଦନ କରିଛନ୍ତି । ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ (OERC)ର ମୁଖ୍ୟାଳୟରେ ଆରମ୍ଭ ହୋଇଥିବା ପ୍ରଥମ ଦିନର ଜନ ଶୁଣାଣିରେ ଓଡ଼ିଶା ଜଳ ବିଦ୍ୟୁତ ପ୍ରକଳ୍ପ (OHPC) ନିଜ ପକ୍ଷ ରଖି ଯୁକ୍ତି କରିଛି ଯେ ସବୁ ପ୍ରକାର ଆନୁସଙ୍ଗିକ ପଦାର୍ଥ ଓ ସେବାର ଦାମରେ ବୃଦ୍ଧି ଘଟି ଥିବାରୁ ୟୁନିଟ୍‌ ପିଛା ବିଦ୍ୟୁତ ଦେୟ ବୃଦ୍ଧି କରାଯିବାର ଆବଶ୍ୟକତା ପଡୁଛି । ଏହି କାରଣରୁ ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷରେ ୟୁନିଟ୍‌ ପିଛା ୯୫.୮୦ ପଇସାରେ ବିଦ୍ୟୁତ ବିକ୍ରି କରିବାକୁ ଦର ଧାର୍ଯ୍ୟ କରିଛି OHPC ଓ ଏ ନେଇ OERC ପାଖରେ ପ୍ରସ୍ତାବ ରଖିଛି ।

‘‘ସାଧାରଣ ନିର୍ବାଚନ ତଥା ବିଭିନ୍ନ କାରଣରୁ ଗଲା ଦୁଇ ଆର୍ଥିକ ବର୍ଷରେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ହୋଇ ନ ଥିଲା । କିନ୍ତୁ ଏହି ଦୁଇ ଆର୍ଥିକ ବର୍ଷରେ କ୍ଷତି ସହିଛନ୍ତି OHPC  ଭଳି କମ୍ପାନୀ  । ତେଣୁ ଏଥର ପୂର୍ବରୁ ଚ଼ାଲିଆସୁଥିବା ୟୁନିଟ୍‌ ପିଛିା ବିଜୁଳି ଦରକୁ ୮୮ ପଇସାରୁ ୯୫.୮୦ ପଇସାକୁ ବୃଦ୍ଧି କରାଯିବା ଜରୁରୀ,’’ କହିଛନ୍ତି OHPCର ଆର୍ଥିକ ନିର୍ଦ୍ଦେଶକ ଶାରଦା ପ୍ରସାଦ ମହାନ୍ତି ।

ଆସନ୍ତା ଆର୍ଥିକ ବର୍ଷରେ OHPC ମୋଟ୍‌ 5୬୦୨.୬୦ ମିଲିୟନ ୟୁନିଟ୍‌ ବିଦ୍ୟୁତ ବିକ୍ରି କରିବାର ଯୋଜନା ରଖିଛି ବୋଲି କହିଛନ୍ତି ସେ । ତେବେ ଏହି ପ୍ରସ୍ତାବ ଭିତରୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତକୁ ବାଦ୍‌ ଦିଆଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୫୩୬.୭୩୮ କୋଟି ଅତିରିକ୍ତ ବାର୍ଷିକ ଆୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି  OHPC ।

ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ (OERC)ର ମୁଖ୍ୟାଳୟ


ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଙ୍ଘର ସଭାପତି ରମେଶ ମହାପାତ୍ର କହିଛନ୍ତି: ‘‘OHPC ଭଳି କମ୍ପାନୀ ଲାଭାଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଥିବା ବେଳେ କ୍ଷତି ସହିବା ଆଳରେ ଗ୍ରାହକଙ୍କ ଉପରେ ବୋଝ ପକାଇବାକୁ ଉଦ୍ୟମ କରୁଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ । ରାଜ୍ୟ ସରକାର ଏଟିସି କ୍ଷତିକୁ କମ୍‌ କରିବା ସହିତ ନିୟମିତ ଅଡିଟ୍‌କୁ ଗୁରୁତ୍ବ ଦେବା ଦରକାର । ଦେଶର ଏକାଧିକ ରାଜ୍ୟରେ ଏଟିସି କ୍ଷତି ୨୦ ପ୍ରତିଶତ ତଳେ ଥିବା ବେଳେ ଓଡ଼ିଶାରେ ଏହା ୩୫ ପ୍ରତିଶତ ଉପରେ । ତେଣୁ ଏହାକୁ ୧୫ ପ୍ରତିଶତକୁ କମ୍‌ କରାଯିବା ଦରକାର । ତାଛଡା ନିୟମିତଭାବେ ବିଦ୍ୟୁତ ଅଡିଟ୍‌ ମଧ୍ୟ କରାଯିବା ଦରକାର ।’’

ଆଜିଠାରୁ ଆରମ୍ଭ ହୋଇଥିବା ଜନଶୁଣାଣି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ୍‌ ଆଠ ଦିନର ଶୁଣାଣିରେ ନଅଟି କମ୍ପାନୀ ପକ୍ଷ ରଖିବେ। ପ୍ରଥମ କରି OERCର ମୁଖ୍ୟ କାର୍ଯ୍ୟାଳୟ ବାହାରେ ତିନୋଟି ସ୍ଥାନରେ ଜନଶୁଣାଣିର ବ୍ୟବସ୍ଥା ହେଇଛି ।

ବାଲେଶ୍ବରରେ ନେସ୍କୋ ,ସମ୍ବଲପୁରରେ ୱେସ୍କୋ ଓ କୋରାପୁଟରେ ସାଉଥକୋର ଶୁଣାଣି ହେବ । ୧୪ ତାରିଖରେ ଶୁଣାଣି ପରେ ଚଳିତ ମାସ ୨୬ ତାରିଖରେ ବସୁଥିବା ରାଜ୍ୟ ଉପଦେଷ୍ଟା କମିଟି ବୈଠକରେ ସମସ୍ତ ଆବେଦନ ଉପରେ ବିଚାର କରାଯିବା ସହିତ ମାର୍ଚ୍ଚ ତୃତୀୟ ସପ୍ତାହ ସୁଦ୍ଧା ଦେୟ ବୃଦ୍ଧି ନେଇ ନୀତିଗତ ନିଷ୍ପତି ନେବେ OERC ।

OERCର ମୁଖପାତ୍ର ପୁରବୀ ଦାସ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବାର୍ଷିକ ଆବଶ୍ୟକ ହେବ ୨୮ ହଜାର ମିଲିୟନ ୟୁନିଟ୍‌ ବିଦ୍ୟୁତ । ‘‘ଅର୍ଥାତ ଏହି ଆର୍ଥିକ ବର୍ଷରେ ରାଜ୍ୟ ପାଇଁ ୧୦ ହଜାର ୭୪୭ କୋଟି ଟଙ୍କାର ମୋଟ୍‌ ବିଦ୍ୟୁତ କିଣିବା ଆବଶ୍ୟକ ପଡିବ । ଏଥି ପାଇଁ ଡିସକମ୍‌ ବା ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀ ଦର ବୃଦ୍ଧି ପାଇଁ ବାରମ୍ବାର ଆବେଦନ କରୁଛନ୍ତି । ତେବେ ଶୁଣାଣି ପରେ ଏହା ଉପରେ OERC ନିଷ୍ପତ୍ତି ନେବେ,’’ କହିଛନ୍ତି ଦାସ।
First published: February 3, 2020, 8:05 PM IST