ପୁଣି ବିଦ୍ୟୁତ୍ ଅଘଟଣ: ଭଦ୍ରକରେ ତାର ଛିଣ୍ଡିବାରୁ ଜଳିଗଲା ବାଇକ୍, ଅଳ୍ପକେ ବଞ୍ଚିଲେ ଦାଦା ଓ ପୁତୁରା

ଉପରେ ଯାଇଥିବା ବିଦ୍ୟୁତ୍ ତାର ସହିତ ନଡ଼ିଆ ବାହୁଙ୍ଗା ହଠାତ୍ ଛିଡି ବାଇକ୍ ଉପରେ ପଡିଥିଲା । ବାଇକ୍ ଆରୋହୀ ଦାଦା ଓ ପୁତୁରା ଛିଟକି ପଡ଼ିଥିଲେ । କଣ ହେଲା ବୋଲି କେହି କିଛି ଜାଣି ପାରିବା ପୂର୍ବରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଇକଟି ଜଳିବା ଆରମ୍ଭ କରିଥିଲା ।

ପୁଣି ବିଦ୍ୟୁତ୍ ଅଘଟଣ: ଭଦ୍ରକରେ ତାର ଛିଣ୍ଡିବାରୁ ଜଳିଗଲା ବାଇକ୍, ଅଳ୍ପକେ ବଞ୍ଚିଲେ ଦାଦା ଓ ପୁତୁରା
ରାସ୍ତାରେ ହୁତୁହୁତୁ ହୋଇ ଜଳୁଥିବା ବାଇକ୍‌
  • News18 Odia
  • Last Updated: February 10, 2020, 1:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭଦ୍ରକ: ଗଞ୍ଜାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ବସ୍‌ ଆସି ସେଥିରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବାର ଦିନକ ପରେ ବିଦ୍ୟୁତ ତାର ସମ୍ପର୍କୀତ ଆଉ ଏକ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ରାସ୍ତାରେ ଯିବା ବେଳେ ତାର ଛିଣ୍ଡି ପଡ଼ିବାରୁ ଗୋଟେ ମୋଟର ସାଇକେଲ୍‌ ସମ୍ପୂର୍ଣ୍ଣ ଜଳିଯାଇଛି ଓ ସେଥିରେ ବସି ଯାଉଥିବା ଦାଦା ଓ ପୁତୁରା ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ।

ଅଘଟଣ ଘଟିଛି ଧାମରାର ଗୁଆଁଳ ନିକଟରେ । ଗୁଆଁଳ ଗାଁର ନିବାସୀ ଦୁର୍ଯ୍ୟୋଧନ ରାଉଳ ଓ ତାଙ୍କ ପୁତୁରା ଏକ ବାଇକରେ ଆଜି ସକାଳେ ଯାଉଥିବା ବେଳେ ରାସ୍ତାରେ ଅଚ଼ାନକ ତାଙ୍କ ଉପରେ ଖସି ପଡ଼ିଥିଲା ବିଜୁଳି ତାର । ସେ ଦୁହେଁ କଇଥଖୋଲା ଯାଉଥିଲେ । ଏ ଘଟଣା ଘଟିଥିଲା ବଜାର ପାଖରେ ।

‘‘ଆମେ ବଜାର ପହଞ୍ଚିବା ସମୟରେ ଉପରେ ଯାଇଥିବା ବିଦ୍ୟୁତ୍‌ ତାର ସହିତ ନଡ଼ିଆ ବାଉଙ୍ଗା ହଠାତ୍‌ ଛିଡି ଆମ ବାଇକ୍ ଉପରେ ପଡିଥିଲା । ମୁଁ ବାଇକରୁ ଛିଟକି ପଡ଼ିଥିଲି । ମୋ’ ପୁତୁରା ତଳେ ପଡ଼ିଯାଇଥିଲା । କଣ ହେଲା ବୋଲି ଆମେ କିଛି ଜାଣି ପାରିବା ପୂର୍ବରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଇକଟି ଜଳିବା ଆରମ୍ଭ କରିଥିଲା,’’ କହିଛନ୍ତି ଦୁର୍ଯୋଧନ ରାଉଳ । ସେ ସାମାନ୍ୟ ଆହତ ବି ହୋଇଛନ୍ତି ।

ବାଇକଟିରେ ନିଆଁ ଲାଗିବାରୁ ତାହା ସମ୍ପୂର୍ଣ ଜଳିଯାଇଥିଲା । ସେଥିରେ ଲାଇଭ୍‌ ବିଜୁଳି ତାର ଲାଗିଥିବାରୁ ନିଆଁ ଲିଭାଇବା ପାଇଁ ଭୟରେ କେହି ଚ଼େଷ୍ଟା କରି ନ ଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ଧାମରା ପୋଲିସ ସେଠାରେ ପହଞ୍ଚି ତଦନ୍ତ କରୁଛି । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବାରୁ ଦାଦା ଓ ପୁତୁରାଙ୍କୁ ଗାଁର ସମସ୍ତେ ଦେଖିବାକୁ ଆସୁଛନ୍ତି । ଗ୍ରାମବାସୀମାନେ ସେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଟଙ୍ଗାଯାଇଥିବା ବିଜୁଳି ତାରଗୁଡ଼ିକୁ ଶକ୍ତ ଓ ସୁରକ୍ଷିତ ଢଙ୍ଗରେ ଉପରେ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
First published: February 10, 2020, 1:50 PM IST
corona virus btn
corona virus btn
Loading