ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆସନ୍ତା ବର୍ଷ ୬ ହଜାରୁ ଅଧିକ ପଞ୍ଚାୟତରେ ହେବ ନିର୍ବାଚନ; ବଢ଼ିଲା ନିର୍ବାଚନ ଖର୍ଚ୍ଚ

ଆସନ୍ତା ବର୍ଷ ୬ ହଜାରୁ ଅଧିକ ପଞ୍ଚାୟତରେ ହେବ ନିର୍ବାଚନ; ବଢ଼ିଲା ନିର୍ବାଚନ ଖର୍ଚ୍ଚ

ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ୮୦,୦୦୦ ଟଙ୍କା ଥିବାବେଳେ ଏବେ ତାହା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ସକାଳ ସାତଟାରୁ ଗୋଟିଏ ପର୍ଯ୍ୟନ୍ତ ଭୋଟର ଭୋଟ ଦେଇ ପାରିବେ।

ଆସନ୍ତା ବର୍ଷ ୬ ହଜାରୁ ଅଧିକ ପଞ୍ଚାୟତରେ ହେବ ନିର୍ବାଚନ; ବଢ଼ିଲା ନିର୍ବାଚନ ଖର୍ଚ୍ଚ
ଆସନ୍ତା ବର୍ଷ ୬ ହଜାରୁ ଅଧିକ ପଞ୍ଚାୟତରେ ହେବ ନିର୍ବାଚନ
  • News18 Odia
  • Last Updated: November 18, 2021, 11:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିନଥିଲେ ବି କମିଶନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଛି। ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ବୃଦ୍ଧି କରିବା ସହ ସେମାନଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାରରେ ବ୍ୟବୃହତ ହେବାକୁ ଥିବା ଗାଡ଼ିର ସଂଖ୍ୟାକୁ ମଧ୍ୟ ନିର୍ବାଚନ କମିଶନ ବଢ଼ାଇଛନ୍ତି।

ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ୮୦,୦୦୦ ଟଙ୍କା ଥିବାବେଳେ ଏବେ ତାହା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ସକାଳ ସାତଟାରୁ ଗୋଟିଏ ପର୍ଯ୍ୟନ୍ତ ଭୋଟର ଭୋଟ ଦେଇ ପାରିବେ। ଜିଲ୍ଲା ପରିଷଦକୁ ଛାଡ଼ି ଅନ୍ୟ ସଂରକ୍ଷଣ ତାଲିକା ବି ପ୍ରକାଶ ପାଇଛି। ୨୦୧୭ ତୁଳନାରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ୭ଟି ପଞ୍ଚାୟତ ଓ ୧୧୧ଟି ୱର୍ଡ଼ କମିଛି।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ସେହିପରି ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନି ଖର୍ଚ୍ଚ ସୀମା ରହିଛି ୨ ଲକ୍ଷ ଟଙ୍କା। ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମାକୁ ଦେଢ଼ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା କରାଯାଇଥିଲା। ଯାହାକୁ ଆଗାମୀ ନିର୍ବାଚନ ନିମନ୍ତେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି କମିଶନ। ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚକୁ ୬୦,୦୦୦ ଟଙ୍କାରୁ ୮୦,୦୦୦ ଟଙ୍କାକୁ ସେତେବେଳେ ବୃଦ୍ଧି କରିଥିବା ବେଳେ ଆସନ୍ତା ନିର୍ବାଚନରେ ୨ ଲକ୍ଷ ଟଙ୍କାକୁ ବଢ଼ାଯାଇଛି।

ନିର୍ବାଚନରେ ପ୍ରାର୍ଥୀ ବ୍ୟବହାର କରିବାକୁ ଥିବା ଯାନ ସଂଖ୍ୟା ବଢ଼ାଇଛନ୍ତି କମିଶନ। ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଯୋଗିତା କରୁଥିବା ପ୍ରାର୍ଥୀ ସର୍ବାଧିକ ୫ଟି କାର ବା ଜିପ୍ ଓ ୧୦ଟି ମୋଟର ସାଇକେଲ, ସମିତି ସଭ୍ୟ ଓ ସରପଞ୍ଚ ପାଇଁ ଲଢୁଥିବା ପ୍ରାର୍ଥୀ ୨ଟି କାର ବା ଜିପ୍ ଓ ୫ଟି ମୋଟର ସାଇକେଲକୁ ନିଜର ନିର୍ବାଚନୀ ପ୍ରଚାର ପାଇଁ ବ୍ୟବହାର କରିପାରିବେ । ଗାଡ଼ି ଓ ମୋଟର ସାଇକେଲ ଧାର୍ଯ୍ୟ ସୀମା ମଧ୍ୟରେ ଅଟୋ ରିକ୍ସା ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହି ସବୁ ଗାଡ଼ି ବ୍ୟବହାର ଦିନଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଗାଡ଼ିର ପ୍ରକାର, ପଞ୍ଜିକରଣ ନମ୍ବର, ଗାଡ଼ି ମାଲିକଙ୍କ ନାମକୁ ଉପ-ଜିଳ୍ଲାପାଳଙ୍କୁ ଜଣାଇବେ । ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ସେମାନଙ୍କ ପ୍ରଚାରରେ ବ୍ୟବହୃତ ହେବାକୁ ଥିବା ଗାଡ଼ିର ତଥ୍ୟ ବି.ଡି.ଓ.ଙ୍କୁ ଜଣାଇବେ ।
ଏହି ତଥ୍ୟର ୩ଟି ନକଲ ଦାଖଲ କରାଯିବ । ସେଥିରୁ ଗୋଟିଏ ନକଲ ଉପ-ଜିଳ୍ଲାପାଳ/ ବି.ଡି.ଓ., ଦ୍ୱିତୀୟଟି ଆରଟିଓ କାର୍ଯ୍ୟାଳୟ ଓ ଅନ୍ୟଟି ନିଜ ପାଖରେ ପ୍ରାର୍ଥୀ ରଖିବେ । ତୃତୀୟ ନକଲଟିରେ ଉପ-ଜିଳ୍ଲାପାଳ କିମ୍ବା ବି.ଡି.ଓ. ନିଜର ଅଫିସ୍ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇବେ।

କୌଣସି ସମୟରେ ନିର୍ବାଚନ ଅଧିକାରୀ ଅବା ତାଙ୍କ ଦ୍ୱାରା କ୍ଷମତା ସମ୍ପନ୍ନ ଅଧିକାରୀ ଚାହିଁଲେ ଏହି ତଥ୍ୟକୁ ତଦାରଖ କରିପାରିବେ । ଏହି ମୋଟର ଯାନ ସଂକ୍ରାନ୍ତ ସମସ୍ତ ଖର୍ଚ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ମଧ୍ୟରେ ସୀମିତ ରହିବ । ପ୍ରଚାର କାର୍ଯ୍ୟରେ ବ୍ୟବହୃତ ମୋଟର ଯାନକୁ ପ୍ରାର୍ଥୀ ଭୋଟ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ମୁକ୍ତ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବେ । ଯଦି ଏହି ନିର୍ଦ୍ଦେଶନାମାକୁ କେହି ଅବମାନନା କରନ୍ତି ତା’ହେଲେ ତାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ଭାବେ ବିବେଚନା କରାଯିବ ବୋଲି କମିଶନ କହିଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ଅବଧିକୁ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସ୍ଥିରୀକୃତ କରିଛନ୍ତି। ପୂର୍ବରୁ ସକାଳ ୭ଟା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେଉଥିଲା। ଚଳିତ ବର୍ଷ ଆଉ ଏକ ଘଣ୍ଟା ବୃଦ୍ଧି କରାଯାଇଛି।

୨୦୨୨ରେ ୬, ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ। ୨୦୧୭ ତୁଳନାରେ ୭ଟି କମ୍ ପଞ୍ଚାୟତରେ ନିର୍ବାଚନ ହେବ। ଏହି ୭ଟି ପଞ୍ଚାୟତ ବିଭିନ୍ନ ଏନ୍ଏସିରେ ମିଶିଥିବାରୁ ଏଥିରେ ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

୨୦୧୭ରେ ୬, ୮୦୧ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା। ବାଲେଶ୍ୱର ରେମୁଣା ଏନ୍ଏସିରେ ୪ଟି, ନୟାଗଡ଼ର ଓଡ଼ଙ୍ଗାରେ ୨ଟି ଓ ବରଗଡ଼ ଜିଲ୍ଲାର ବିଜେପୁରରେ ଗୋଟିଏ ପଞ୍ଚାୟତ ଏନ୍‌ଏସିରେ ସାମିଲ ହୋଇଛି। ଏସବୁ ପଞ୍ଚାୟତରେ ନିର୍ବାଚନ କରାଯିବ ନାହିଁ।
ସେହିପରି ୧୧୧ଟି ୱାର୍ଡରେ ୱାର୍ଡ ମେମ୍ବର ପଦ ପାଇଁ ନିର୍ବାଚନ ହେବନାହିଁ। ଗତ ଥର ୯୨,୦୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲାବେଳେ ଏଥର ୯୧ ହଜାର ୯୧୬ଟି ୱାର୍ଡରେ ମତଦାନ ହେବ। ଏହି କ୍ରମରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୪୯, ୪୬୯ଟି ୱାର୍ଡ ମେମ୍ବର ପଦ ସଂରକ୍ଷିତ ରଖାଯାଇଛି। ପଛୁଆ ବର୍ଗଙ୍କ ପାଇଁ ୧୨, ୦୩୧ଟି ୱାର୍ଡ ସଂରକ୍ଷିତ ରଖାଯାଇଛି। ଅନ୍ୟ ପକ୍ଷରେ ୬, ୭୯୪ ପଞ୍ଚାୟତ ମଧ୍ୟରୁ ୩,୫୦୦ଟି ମହିଳାଙ୍କ ପାଇଁ ଓ ଓବିସିଙ୍କ ପାଇଁ ୭୭୮ଟି ଆସନ ସଂରକ୍ଷିତ ରହିଛି। ୩,୫୩୮ଟି ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ଓବିସି ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରହିଛି।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବଢ଼ିବା ସହ ଭୋଟିଂ ସମୟ ଅବଧିକୁ ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ତେବେ ଏହାକୁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସ୍ବାଗତ କରିଛନ୍ତି।

ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରଥମ ସର୍ବଦଳୀୟ ବୈଠକରେ ସବୁ ରାଜନୈତିକ ଦଳ ଏହି ପ୍ରସ୍ତାବ ଦେଇଥିଲେ। ନିର୍ବାଚନ କମିଶନ ସବୁ ଦିଗକୁ ବିଚାର କରି ସମୟ ଓ ଖର୍ଚ୍ଚ ବଢ଼ାଇଛନ୍ତି। ନିର୍ବାଚନରେ ଖର୍ଚ୍ଚ ବ୍ୟୟବହୁଳ ହେଉଛି। ପ୍ରିଣ୍ଟଂ, ଗାଡ଼ି, କ୍ୟାମ୍ପନିଂଠୁ ନେଇ ଖାଇବା ଯାଏ ସବୁର ଖର୍ଚ୍ଚ ବଢ଼ିଛି। ବଢ଼ିବାର ଆବଶ୍ୟକତା ଥିଲା କମିଶନ ବଢାଇଛନ୍ତି।’’

ବିଜେପି ନେତା ରମା ରଞ୍ଜନ ବଳିୟାର ସିଂ କହିଛନ୍ତି,"ସମୟ ବଦଳିଛି, ଆବଶ୍ୟକ ତା ରହିଛି ସେ ଦୃଷ୍ଟିରୁ ଖର୍ଚ୍ଚ ବଢ଼ାଇବା ଠିକ ନିଷ୍ପତ୍ତି। ସମସ୍ତ ରାଜନୈତିକ ଦଳ ସୀମା ଭିତରେ ରହି ଖର୍ଚ୍ଚ କରିବା ଦରକାର। ହେଲେ ମୁକ୍ତ ଅବାଧ ନିର୍ବାଚନ ପାଇଁ ରାଜ୍ୟସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି।’’

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ଭୋଟିଂ ସମୟ ସୀମା ବଢ଼ିବା ସ୍ବାଗତଯୋଗ୍ୟ। ବିଗତ ପାଞ୍ଚ ବର୍ଷରେ ସବୁର ଦରଦାମ ବୃଦ୍ଧି ପାଇଛି। ନିର୍ବାଚନ କମିଶନ ବଢ଼ାଇଥିବା ଖର୍ଚ୍ଚ ସ୍ବାଗତଯୋଗ୍ୟ। କିନ୍ତୁ ରାଜନୈତିକ ଦଳଗୁଡିକ ଵାହୁବଳ, ଅର୍ଥବଳ ପ୍ରୟୋଗ ନକରି ସ୍ବଚ୍ଛତାର ସହ ନିର୍ବାଚନ ଲଢ଼ିବା ଦରକାର।’’
Published by: Lipina Das
First published: November 18, 2021, 11:19 AM IST