News18 Odia Digital
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ। ପ୍ରସ୍ତୁତି ଜୋର କରିଛନ୍ତି ନିର୍ବାଚନ କମିଶନ। ପ୍ରାଥମିକ ଭୋଟର ତାଲିକା ବି ପ୍ରକାଶ ପାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଛନ୍ତି କମିଶନ।
ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ। ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା, ଅପରାଧୀଙ୍କ ମାମଲାର ତଥ୍ୟ ଦାଖଲ କରିବେ ପ୍ରାର୍ଥୀ। ସତ୍ୟପାଠ ନ ଦେଲେ କିମ୍ବା ଅସମ୍ପୂର୍ଣ୍ଣ ଥିଲେ ପ୍ରାର୍ଥୀପତ୍ର ନାକଚ ହେବ। ସେହିପରି ପ୍ରତି ବୁଥରେ ରହିବ ୨ଟି ଇଭିଏମ ମେସନି।
କାଉନସିଲର ଓ କର୍ପୋରେଟରମାନଙ୍କ ଗୋଟିଏ ଓ ଚେୟାରପର୍ସନ ଓ ମେୟରଙ୍କ ପାଇଁ ଗୋଟିଏ ଇଭିଏମ ରହିବ। ପ୍ରଥମ ଥର ପାଇଁ ଚେୟାରମ୍ୟାନ ଓ ମେୟର ନିର୍ବାଚନ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଆଗାମୀ ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ହୋଇଥିବା ବେଳେ ମୋଟ ୯ଟି ଏଜେଣ୍ଡା ଉପରେ ଆଲୋକପାତ କରିଥିଲେ କମିଶନ। ନିର୍ବାଚନ ଖର୍ଚ୍ଚ ନେଇ ନିର୍ଦ୍ଧାରିତ ହୋଇଥିବା ଖର୍ଚ୍ଚ ସୀମା ବାବଦରେ ଆୟୋଗ ବିସ୍ତୃତ ତଥ୍ୟ ରଖିଥିଲେ।
ମେୟର ୧୨ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଗୁରୁବାର ଦିନ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ରାଜନୈତିକ ଦଳମାନଙ୍କୁ ଏହାର ନକଲ କପି ପ୍ରଦାନ କରାଯାଇଛି।
ସେପଟେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ କହିଥିଲେ, "କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରସ୍ତୁତ ଭୋଟର ତାଲିକା ଅନୁସାରେ ପ୍ରକାଶ ପାଇଛି। ତାହା ହିଁ ବଳବତ୍ତର ରହିବ।ଏହା ସହ ରାଜନୈତିକ ଦଳ ଗୁଡ଼ିକ କିଛି ପରାମର୍ଶ ଦେଇଥିବା ବେଳେ ତାକୁ ତର୍ଜମା କରାଯିବ।’’
ନିର୍ବାଚନ ପ୍ରସ୍ତୁତି ବାବଦରେ କମିଶନ ଅବଗତ କରିବା ସହ ରାଜନୈତିକ ଦଳମାନଙ୍କ ମତ ଲୋଡ଼ିଥିଲେ। ବିଜେଡି ମୁଖପାତ୍ର ସୁଲତା ଦେଓ ବୈଠକରେ ଯୋଗ ଦେଇ କହିଥିଲେ ଯେ ଖରାଦିନ ନିର୍ବାଚନ ହେଉଥିବାରୁ କୋଭିଡ ନିୟମ ସହିତ ପାନୀୟଜଳ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି।
ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଥିଲେ ଯେ ସର୍ବଦଳୀୟ ବୈଠକରେ ୪ଟି ପ୍ରସ୍ତାବ ଦେଇଛି ବିଜେପି। ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ ୬ଦିନ ବଦଳରେ ୧୦ ଦିନ ରଖିବା, ଆପତ୍ତି ଅଭିଯୋଗର ଫଇସଲା ଗୋଟିଏ ଦିନ ବଦଳରେ ୩ ଦିନ, ଜାନୁଆରୀ ୧ ପରେ ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଓ ନିର୍ବାଚନ ସମୟରେ ବିଭିନ ଅନୁମତି ପାଇଁ ସିଙ୍ଗିଲ ଉଇଣ୍ଡୋ ବ୍ୟବସ୍ଥା କରିବାକୁ ଦାବି କରୁଛି ବିଜେପି।
ସେହିପରି କଂଗ୍ରେସ ନେତା ଶିବାନନ୍ଦ ରାୟ କହିଥିଲେ, ‘‘ପଞ୍ଚାୟତ ନିର୍ବାଚନ ସମୟରେ ପୌର ପାଇଁ ସର୍ବଦଳୀୟ ବୈଠକ କାହିଁକି ଡକାଗଲା। କଂଗ୍ରେସ ଏହାକୁ ବିରୋଧ କରିଛି। ଏହା ସହ ସୀମା ନିର୍ଦ୍ଧାରଣ ତ୍ରୁଟି ସମାଧାନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ଦଳ ପ୍ରସ୍ତାବ ରଖିଛି ।"
ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନକୁ ଓହ୍ଲାଇପାରନ୍ତି ନିର୍ବାଚନ କମିଶନ। ବିଭିନ୍ନ କାରଣରୁ ୩ ବର୍ଷ ଧରି ନିର୍ବାଚନ ଅଟକିଥିବା ବେଳେ ଏବେ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି ନିର୍ବାଚନ ଆୟୋଗ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।