ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବୃଦ୍ଧାଙ୍କ ମହାନତା; ରିକ୍ସା ଚାଳକଙ୍କ ନାଁରେ ଲେଖିଦେଲେ କୋଟିଏ ଟଙ୍କା

ବୃଦ୍ଧାଙ୍କ ମହାନତା; ରିକ୍ସା ଚାଳକଙ୍କ ନାଁରେ ଲେଖିଦେଲେ କୋଟିଏ ଟଙ୍କା

ଦୀର୍ଘ ଦିନ ଧରି ଝିଅକୁ ରିକ୍ସାରେ ନେବା ଆଣିବା କରୁଥିବା ରିକ୍ସା ଚାଳକଙ୍କ ନାଁରେ ନିଜର ସମ୍ପତ୍ତି ଲେଖିଦେଇଛନ୍ତି କଟକର ମୀନତି ପଟ୍ଟନାୟକ । ବୃଦ୍ଧାଙ୍କ ଅସମୟରେ ସାହାରା ପାଲଟିଥିଲେ ଏହି ରିକ୍ସା ଚାଳକ ।

ବୃଦ୍ଧାଙ୍କ ମହାନତା; ରିକ୍ସା ଚାଳକଙ୍କ ନାଁରେ ଲେଖିଦେଲେ କୋଟିଏ ଟଙ୍କା
ରିକ୍ସା ଚାଳକଙ୍କୁ ସର୍ବସ୍ବ ଦେଇଦେଲେ ମହିଳା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 2:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଛଅ ମାସ ଭିତରେ ଆଗ ପଛ ହୋଇ ଚାଲିଗଲେ ସ୍ୱାମୀ ଓ ଏକମାତ୍ର ଅଲିଅଳି ଝିଅ। ଏବେ ବେସାହାରା। ଯେଉଁ ନିକଟ ସମ୍ପର୍କୀୟ ଅଛନ୍ତି ସେମାନେ ବି ଦିନେ ଆହା ପଦେ କହିଲେ ନାହିଁ କି ସମବେଦନା ଟିକେ ବି ଜଣେଇଲେଣି।ବୟସର ଅପରାହ୍ନରେ କଣ କରିବେ ଭାବି ଶେଷରେ ଦୀର୍ଘ ବର୍ଷ ହେବ ନେବା ଆଣିବା କରୁଥିବା ରିକ୍ସାଚାଳକ ନାଁ ରେ ଲେଖିଦେଲେ ସମ୍ପତ୍ତି। ଆଉ ତାଙ୍କୁ ହିଁ କଲେ ଉତ୍ତରାଧିକାରୀ।

ସିନେମାର କାହାଣୀ ପରି ଲାଗୁଥିଲେ ମଧ୍ୟ ଏହା ସତ। ସୁତାହାଟ ଅଞ୍ଚଳର ୬୩ ବର୍ଷୀୟ ମିନତି ପଟ୍ଟନାୟକଙ୍କ ଏଭଳି କାମ ବର୍ତ୍ତମାନ ସହରରେ ଚର୍ଚ୍ଚା ର ବିଷୟ ପାଲଟିଛି। ମିନତି ଦେବୀ କୁହନ୍ତି ତିନି ପ୍ରାଣୀ କୁଟୁମ୍ବକୁ ନେଇ ବେଶ ହସ ଖୁସିରେ କଟୁଥିଲା ଜୀବନ। ହେଲେ ହଠାତ ଆସିଥିଲା ଝଡ। ଉଜୁଡି ଗଲା ସଂସାର।ମଥା ଶୂନ୍ୟ ଓ କୋଳ ଶୂନ୍ୟ ହୋଇଗଲେ ମିନତି ପଟ୍ଟନାୟକ। ୨୦୨୦ ମସିହା ଜୁଲାଇରେ ସ୍ୱାମୀ କୃଷ୍ଣ କୁମାର ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା।ଏକମାତ୍ର ଝିଅ କମଲ କୁମାରୀଙ୍କ ମୁହଁକୁ ଚାହିଁ ବଞ୍ଚି ରହିଥିଲେ ମିନତି ଦେବୀ।ହେଲେ ବିଧିର ବିଧାନ ଥିଲା କିଛି ଅଲଗା।ସ୍ୱାମୀଙ୍କ ମୃତ୍ୟୁ ର ଛଅ ମାସ ପରେ ଝିଅ କମଲ କୁମାରୀଙ୍କ ହୃଦଘାତ ରେ ହୋଇଗଲା ମୃତ୍ୟୁ। ସବୁକିଛି ଓଲଟ ପାଲଟ ହୋଇଗଲା। ଏକୁଟିଆ ହୋଇଗଲେ ମିନତି।ଆତ୍ମୀୟ ସ୍ୱଜନ, ଦୁର ସମ୍ପର୍କୀୟ ସମବେଦନା ଜଣାଇବା ତ ଦୂରର କଥା ଆହା ପଦେ ବି କହିଲେ ନାହିଁ। ଏଭଳି ଏକ ଦୁଃସମୟରେ ସାହାରା ପାଲଟି ଥିଲେ ରିକ୍ସା ଚାଳକ ବୁଢା ସାମଲ।ଶେଷରେ ଦୀର୍ଘ ୨୫ ବର୍ଷ ଧରି ତାଙ୍କୁ ଓ ଝିଅ 'କମଲ' ଙ୍କୁ ସ୍କୁଲକୁ ନେବା ଆଣିବା କରୁଥିବା ରିକ୍ସାଚାଳକ 'ବୁଢା ସାମଲ'ଙ୍କୁ ଉତ୍ତରାଧିକାରୀ ଭାବେ ବାଛି ସମସ୍ତ ସମ୍ପତ୍ତି, ଘର, ଆସବାବପତ୍ର, ଗହଣା ଗାଣ୍ଠି ସବୁକିଛି 'ବୁଢା' ନାଁ ରେ ଲେଖି ଦେଲେ ମିନତି।

ମିନତୀ କୁହନ୍ତି," 'ବୁଢା ପାଖରୁ ସେ ଯେଉଁ ସାହାଯ୍ୟ ସହଯୋଗ ଓ ଶ୍ରଦ୍ଧା ପାଇଛନ୍ତି ତାହା ଆଗରେ ଏ ସମ୍ପତ୍ତି କିଛି ନୁହଁ।ବଞ୍ଚିଥିବା ଯାଏ ଏହି ଘରେ ମୁଁ, 'ବୁଢା ଓ ତାର ପରିବାର ମେଳରେ ରହିବି"।

ସହରର ସିଦ୍ଧେଶ୍ୱର ସାହିରେ ଏକ ଭଡା ଘରେ ରୁହନ୍ତି ରିକ୍ସାଚାଳକ ବୁଢା ସାମଲ ଓ ତାଙ୍କ ପରିବାର। ସେ ରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାନ୍ତି। ତେବେ ଦୀର୍ଘ ୨୫ ବର୍ଷ ହେଲା ସେ ମିନତି ଦେବୀଙ୍କ ପରିବାର ଲୋକଙ୍କୁ ରିକ୍ସାରେ ନେବା ଆଣିବା କରନ୍ତି । ଏପରିକି ମିନତିଙ୍କ ଝିଅ କମଲକୁ ସ୍କୁଲ ନେବା ଆଣିବା ସହ, ଆବଶ୍ୟକ ବେଳେ ଔଷଧ ଆଣିଦେବା ଓ ଘରର ସଉଦା କିଣି ଆଣି ଦେଇଥାନ୍ତି ବୋଲି କହିଛନ୍ତି ବୁଢା। ଏବେ ସେ ଓ ତାର ପରିବାର ମିନତିଙ୍କ ଘରେ ରହି ବେଶ ଖୁସି। ବଞ୍ଚିଥିବା ଯାଏ ମା'ଙ୍କ ସେବା କରିବେ ବୋଲି କହନ୍ତି ବୁଢ଼ା।

ମିନତି ପଟ୍ଟନାୟକଙ୍କ ଏପରି କାମକୁ ଢେର ପ୍ରଶଂସା କରିଛନ୍ତି ସାହି ପଡିଶା।ମିନତିଙ୍କ ପଡୋଶୀ ହେଲେନ ଗଡନାୟକ କହିଛନ୍ତି," ରାଜ୍ୟର ପ୍ରତ୍ୟେକ ଗରିବ ଲୋକଙ୍କୁ ମିନତି ଦିଦିଙ୍କ ପରି ଲୋକ ମିଳନ୍ତୁ। ଆଉ ସେ ଯେଉଁ କାମ କରିଛନ୍ତି ସେ କେବଳ ଧନ୍ୟବାଦର ପାତ୍ର ନୁହନ୍ତି ବରଂ ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ ।ଆଉ ଯେଉଁ 'ବୁଢ଼ା ସାମଲ'ଙ୍କୁ ସେ ସବୁ କିଛି ଦାନ କରିଦେଲେ ସେ ସବୁଦିନ ତାଙ୍କର ସେବାଯତ୍ନ କରୁଥାନ୍ତୁ"।
Published by: Soumya Das
First published: November 14, 2021, 2:06 PM IST