ବିରୋଧୀ ଦଳମାନଙ୍କ ଚାପରେ ଏକାମ୍ର କାନନ ଫାର୍ମ ଜମି ହସ୍ତାନ୍ତର ପକ୍ରିୟା ସ୍ଥଗିତ ରହିଲା

ଦେଶରେ ୨୦୦ଟି ସହରରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଭୁବନେଶ୍ୱରରେ ବୃକ୍ଷରାଜି ନଷ୍ଟ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଥିଲା ବିଜେପି । ମନମୁଖୀ ଜମି ହଡ଼ପ ଅଭିଯୋଗ କରିଥିଲା କଂଗ୍ରେସ ।

ବିରୋଧୀ ଦଳମାନଙ୍କ ଚାପରେ ଏକାମ୍ର କାନନ ଫାର୍ମ ଜମି ହସ୍ତାନ୍ତର ପକ୍ରିୟା ସ୍ଥଗିତ ରହିଲା
ଏକାମ୍ର କାନନ ବୃକ୍ଷରାଜିରେ ଭରା ।
  • News18 Odia
  • Last Updated: November 19, 2020, 9:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏକାମ୍ର କାନନ ଫାର୍ମ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ବିବାଦ ତେଜିବା ପରେ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ଉଦ୍ୟାନ କୃଷି ନିର୍ଦ୍ଦେଶକ। ପୂର୍ବ ପରି ଏହି ଫାର୍ମର ରକ୍ଷଣାବେକ୍ଷଣ କାମ ଚାଲିବ ବୋଲି କୁହାଯାଇଛି । ଏ ସଂକ୍ରାନ୍ତରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏକାମ୍ର କାନନ ଫାର୍ମର ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଏହି ଘଟଣାକୁ ନେଇ ହାଇ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହେବା ସହ  ରାଜନୈତିକ ଝଡ଼ ତେଜିଥିଲା । ଫଳରେ ଏହି ପ୍ରକ୍ରିୟାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

ଏକାମ୍ର କାନନ ଫାର୍ମର ୨୬ ଏକର ପରିମିତ ଜମିରୁ ୨୦ ଏକର ୧୭୫ ଡ଼ିସିମିଲ ଜମିକୁ ସାଧାରଣ ପ୍ରଶାସନିକ ବିଭାଗକୁ ଟେକି ଦେଇଥିଲା ଉଦ୍ୟାନ ବିଭାଗ । ଏହି ସ୍ଥାନରେ ବାସଗୃହ, ଆନୁଷ୍ଠାନିକ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ନିର୍ମାଣ ପାଇଁ ଯୋଜନା କରାଯାଉଛି । ବିଭିନ୍ନ ପ୍ରକାର ବୃକ୍ଷରାଜି ସହ ଗବେଷଣା, ପ୍ରଶିକ୍ଷଣ ଓ ଚିତ୍ତ ବିନୋଦନ ପାଇଁ ଏହି ସ୍ଥାନର ରହିଛି ଅନେକ ଗୁରୁତ୍ୱ । ଏଥିରେ ୬୬୦ଟି ଆମ୍ବ ଗଛ, ୭୬ଟି ସପେଟା ଗଛ , ୨,୦୦୦ଟି ସପୁରୀ ଗଛ ସମେତ ଛୋଟ ବଡ଼ ବିଭିନ୍ନ ପ୍ରଜାତିର ହଜାର ହଜାର ଗଛ ରହିଛି ।

ଏହା ବି ପଢ଼ନ୍ତୁ ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ରାଜଧାନୀ ଭୁବନେଶ୍ୱରରେ ଅନ୍ୟ ଅନେକ ସ୍ଥାନ ଥିବା ବେଳେ ବୃକ୍ଷରାଜି ଭରା ଏକାମ୍ର କାନନ ଫାର୍ମକୁ ନେଇ ଏପରି ପରିକଳ୍ପନାକୁ ଘୋର ନିନ୍ଦା କରିଥିଲେ ବୁଦ୍ଧିଜୀବୀମାନେ । ଏପରିକି ବିଜେପି ଏକାମ୍ର କାନନ ଫାର୍ମର ୨୦ ଏକର ୧୭୫ ଡ଼ିସିମିଲ ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଥିଲା । ବୃକ୍ଷଗୁଡ଼ିକୁ କାଟି କଂକ୍ରିଟ ଜଙ୍ଗଲ ସୃଷ୍ଟି ପାଇଁ ସରକାର ଯୋଜନା କରୁଥିବା ଅଭିଯୋଗ କରି ଏକାମ୍ର କାନନ ଫାର୍ମ ସମ୍ମୁଖରେ ପ୍ରତିବାଦ କରିଥିଲେ ବିଜେପିର ଶ୍ରୀକୃଷ୍ଣ ମଣ୍ଡଳ।

ଦେଶରେ ୨୦୦ଟି ସହରରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ବୃକ୍ଷରାଜି ନଷ୍ଟ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଥିଲା ବିଜେପି । ଏହା ଦ୍ୱାରା ପରିବେଶ ଉପରେ ବ୍ୟାପକ ପ୍ରଭାବ ପଡ଼ିବା ସହ ଉଦ୍ୟାନରେ କାର୍ଯ୍ୟରତ କର୍ମଚାରୀଙ୍କ ଚାକିରି ନିରାପତ୍ତା ହ୍ରାସ ପାଇବ ଓ ବେକାରୀ ସମସ୍ୟା ବଡ଼ିବ ବୋଲି ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଏହି ନିଷ୍ପତ୍ତିର ପୁନର୍ବିଚାର ସହ ସରକାର ଯଦି ଏହି ଫାର୍ମର ସୁରକ୍ଷା ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲା ବିଜେପି ।

କଂଗ୍ରେସ ବି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ କରି ରାଜଭବନ ସମ୍ମୁଖରେ ପ୍ରତିବାଦ କରିଥିଲା । ଏହା  ସହ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲା ଦଳ । କଂଗ୍ରେସ ଅଭିଯୋଗ କରିଥିଲା ଯେ ସବୁଜିମା ଭରା ଏକାମ୍ର କାନନ ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ଦେବା ସହ ତତ୍‌ ସଂଲଗ୍ନ ଜମିକୁ କର୍ପୋରେଟ ହାତରେ ଟେକିଦେବାକୁ ଉଦ୍ୟମ କରାଯାଇଛି ।



କେବଳ ଏକାମ୍ର କାନନ ଫାର୍ମ ନୁହେଁ, ଭୁବନେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ମନମୁଖୀ ଜମି ହଡ଼ପ ହେଉଛି ବୋଲି ଅଭିଯୋଗ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଆଦିବାସୀ ଓ ଦଳିତଙ୍କ ଜମି ସହ ଉଦ୍ୟାନ ଜମି, ସରକାରୀ ଜମି ଓ ଜନସଧାରଣଙ୍କ ବ୍ୟବହୃତ ଜମିକୁ କାହାରିକୁ ଦିଆଯିବନି ବୋଲି କହି ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଥିଲା କଂଗ୍ରେସ ।
Published by: Anand Shankar Thankur Das
First published: November 19, 2020, 9:51 PM IST
corona virus btn
corona virus btn
Loading