ଆଠ ବର୍ଷର ଏଇ ପ୍ରତିଭାବାନ ମୃଦଙ୍ଗ ବାଦକ ଜନ୍ମରୁ ଅନ୍ଧ, ସରକାରୀ ସହାୟତାକୁ ଚାହିଁ ବସିଛନ୍ତି

ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଦିବ୍ୟରଞ୍ଜନଙ୍କୁ ଭୁରିଭୁରି ପ୍ରଶଂସା ମିଳୁଛି, ହେଲେ ସେ ମୃଦଙ୍ଗ ବଜେଇ ପେଟ ପୋଷୁଛନ୍ତି

ବାପା ବାଳକୃଷ୍ଣଙ୍କ ସହ ଦିବ୍ୟରଞ୍ଜନ ।

ବାପା ବାଳକୃଷ୍ଣଙ୍କ ସହ ଦିବ୍ୟରଞ୍ଜନ ।

  • Share this:
ମାଲକାନଗିରି: କଳା ପାଇଁ ଯେ କିଛି ପ୍ରତିବନ୍ଧକ ନ ଥାଏ – ନା ବୟସର ନା ବିଧାତାର ଅଭିଶାପର – ଏ କଥାକୁ ସତ ବୋଲି ପ୍ରମାଣ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ଜଣେ କୁନି ପିଲା।

ମାତ୍ର ଆଠ ବର୍ଷ ବୟସର ଦିବ୍ୟରଞ୍ଜନ କର୍ଷାନି। ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି । ଜନ୍ମରୁ ସେ ଅଧାରୁ ବେଶୀ ଅନ୍ଧ । ହେଲେ ସେ ଏତେ ସୁନ୍ଦର ମୃଦଙ୍ଗ ବଜାନ୍ତି ଯେ ଆଖପାଖ ଅନେକ ଗାଁରେ ତାଙ୍କର ସୁନାମ ବ୍ୟାପ୍ତ । ସେ ଯେତେବେଳେ ତନ୍ମୟ ହୋଇ ମୃଦଙ୍ଗ ବଜାଉଥାନ୍ତି, ତାଙ୍କ ପଛରେ ତାଙ୍କ ବାପା ବାଳକୃଷ୍ଣ ବସି ତାଳ ଦେଉଥାନ୍ତି । ଏ ଦୃଶ୍ୟ ଦେଖିବାକୁ ଖଡ଼ିମାଟି ଗାଁରେ ଥିବା ତାଙ୍କ ଘରେ ଜମା ହୋଇଯାଆନ୍ତି ଅନେକ ଲୋକ । ଏତେ ସାନ ପିଲାଟିର ଏମିତି ପ୍ରଖର ପ୍ରତିଭାକୁ ସମସ୍ତେ ଖୁବ୍‌ ପ୍ରଶଂସା କରନ୍ତି ।

ସମସ୍ତଙ୍କ ଠାରୁ ଆଦର ପାଉଛନ୍ତି  ଦିବ୍ୟରଞ୍ଜନ, ହେଲେ କେବଳ ସେଇ ଆଦରରେ ତାଙ୍କ ପରିବାରର ପେଟ ପୋଷିବା ଅସମ୍ଭବ ହୋଇପଡ଼ିଛି । ପରିବାରଟି ଭାରି ଗରିବ । ତାଙ୍କ ଘରଟି ଧସରା ମାଟି ଓ କୁଡ଼ିଆରେ ତିଆରି ।

ଦିବ୍ୟରଞ୍ଜନଙ୍କ ଆଖିକୁ ଭଲ ଭାବେ ଦେଖା ଯାଉ ନଥିବା ସତ୍ୱେ ଓ ସେ ଏଇ ବାଲ୍ୟ କାଳରୁ ଅନନ୍ୟ ପ୍ରତିଭାର ଅଧିକାରୀ ହୋଇଥିବା ସତ୍ୱେ ସରକାରଙ୍କ ତରଫରୁ ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ମିଳି ନାହିଁ ।

ସାହାଯ୍ୟ ପାଇବା ତ ଦୂରର କଥା, ନିଜେ ବାଜା ବଜେଇ ପେଟ ପୋଷୁଛନ୍ତି ଦିବ୍ୟରଞ୍ଜନ । ବାପା ବାଳକୃଷ୍ଣ ଲୋକଙ୍କୁ ନାମ ସଂକୀର୍ତ୍ତନ ଶିଖେଇବା ସହ କୁଲି ମଜୁରିଆ କାମ କରି ଘରକୁ ଦି ପଇସା ଆଣନ୍ତି । ହେଲେ ସେତିକି ପଇସାରେ ଘର ଚଳେଇବା କଷ୍ଟ ହୁଏ ।

ସବୁଠୁ ଭଲ କଥା ଏହା ଯେ ଏତେ ଅଭାବ ଅନଟନ ମଧ୍ୟରେ ବି ଦିବ୍ୟରଞ୍ଜନ ପାଠ ପଢ଼ାରେ ହେଳା କରନ୍ତି ନାହିଁ । ପ୍ରତି ଦିନ ସେ ପଢି଼ବାକୁ ସ୍କୁଲ ଯାଆନ୍ତି । ପାଠ ପଢ଼ି ନିଜ ଗୋଡ଼ରେ ନିଜେ ଠିଆ ହେବେ ଓ ଦିନେ ବଡ଼ ମଣିଷ ହେବେ ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ମାଥିଲି ବିଡିଓ ଆଶିଷ ଭୋଇଙ୍କ ଧ୍ୟାନ ଆକର୍ଷଣ କରାଯିବାରୁ ସେ କହିଛନ୍ତି କହିଛନ୍ତି ଯେ ପ୍ରଶାସନ ଦ୍ୱାରା ନିୟମ ଅନୁସାରେ ଦିବ୍ୟରଞ୍ଜନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ସେ ନିଶ୍ଚିତ ଚେଷ୍ଟା କରିବେ ।

ଦିବ୍ୟରଞ୍ଜନଙ୍କୁ ଦେଖି ଅନେକଙ୍କର ମନେହୁଏ ସତେ ଯେମିତି ବୟସ ଓ ଆର୍ଥିକ ଅବସ୍ଥାର ତାରତମ୍ୟରେ ସେ ଫସି ଯାଇଛନ୍ତି । ତେବେ ବିଡିଓଙ୍କ ପ୍ରତିଶୃତି ତାଙ୍କ କଅଁଳ ମନରେ ଅଶୁମାରୀ ଆଶା ସଞ୍ଚାର କରିଛି ।
First published: