ରାଜ୍ୟରେ ବିଜେପିକୁ ସଶକ୍ତ କରିବାକୁ ପ୍ରୟାସ; ଦଳକୁ ନୂଆ ଟାସ୍କ ଦେଲେ ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ଦିନ ତମାମ ଚାଲିଥିଲା ମାରାଥନ ବୈଠକ । ବୈଠକରେ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ନିର୍ବାଚିତ ସାଂସଦ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲାର ସଭାପତି, ବିଭିନ୍ନ ଜିଲ୍ଲା ପ୍ରଭାରୀ, ମହିଳା ମୋର୍ଚ୍ଚାର ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ରାଜ୍ୟରେ ବିଜେପିକୁ ସଶକ୍ତ କରିବାପାଇଁ ନୂଆ ଟାସ୍କ ଦେଲେ ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ
- News18 Odia
- Last Updated: December 12, 2020, 12:41 PM IST
ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଦଳକୁ ସଦୃଢ଼ କରିବା ପାଇଁ ରାଜ୍ୟ ବିଜେପିର ଦଳୀୟ କର୍ମକର୍ତ୍ତା ଓ ନେତାମାନଙ୍କୁ ଏକ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଦଳର ସଂଗଠନ ଆଗକୁ ବଢ଼ିବାକୁ ହେଲେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରାଯିବାର ଆବଶ୍ୟତା ଅଛି । ସଂଗଠନ ସହିତ ସବୁ ବର୍ଗର ଲୋକଙ୍କୁ ଯୋଡିବାର ପ୍ରାଥମିକତା ଦେବାର ଗୁରୁତ୍ୱ ଅଛି । କେବଳ ସରକାରଙ୍କୁ ତିରସ୍କାର ନକରି ବରଂ ସରକାରର ଦୁର୍ନୀତି, ଭ୍ରଷ୍ଟାଚାରକୁ ଲୋକ ଲୋଚନାକୁ ଆଣିବାର ଆବଶ୍ୟକତା ପ୍ରଥମ ଉଦ୍ୟମ ହେବା ଉଚିତ ।
ଅରୁଣ ସିଂଙ୍କ ପରେ ଦଳର ନୂଆ ପ୍ରଭାରୀ ଭାବେ ଅବସ୍ଥାପିତ ହୋଇଥିବା ଡି ପୁରନ୍ଦେଶ୍ୱରୀଙ୍କ ଏହା ହେଉଛି ପ୍ରଥମ ଓଡିଶା ଗସ୍ତ । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପୁରନ୍ଦେଶ୍ୱରୀ । ଗୁରୁବାର ଦିନ ପରି ଘଟଣା ନେଇ ନୟାଗଡ଼ ଜିଲ୍ଲାର ଯଦୁପୁର ଗସ୍ତରେ ଯିବା ସହିତ ଶୁକ୍ରବାର ଦିନ ତମାମ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ଦଳୀୟ ରୂଧ୍ୟଦ୍ୱାର ବୈଠକରେ ଯୋଗ ଦେଇଥିଲେ ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ଦିନ ତମାମ ଆହୁତ ହୋଇଥିଲା ମାରାଥନ ରୂଧ୍ୟଦ୍ୱାର ବୈଠକ । ବୈଠକରେ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ନିର୍ବାଚିତ ସାଂସଦ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲାର ସଭାପତି, ବିଭିନ୍ନ ଜିଲ୍ଲା ପ୍ରଭାରୀ, ମହିଳା ମୋର୍ଚ୍ଚାର ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଜେପି ପ୍ରଭାରୀ ନିଜର ଏହି ପ୍ରଥମ ବୈଠକରେ ତୃଣମୂଳ ସ୍ତ୍ରରରୁ ସଂଗଠନ ସଜାଡ଼ିବା ଓ ଏ ନେଇ ଖସଡ଼ା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେବା ସହିତ ବୁଥ ସ୍ତରରୁ ସଂଗଠନ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ଦିନ ତମାମ ଚାଲିଥିଲା ମାରାଥନ ବୈଠକ
ଏଥି ସହିତ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ପାଇଁ ଟାସ୍କ ରଖିଥିଲେ । ରାଜ୍ୟ ପ୍ରଭାରୀଙ୍କ ଟାସ୍କ ଥିଲା ୨୫ ଜଣ ଙ୍କୁ ନେଇ ବୁଥ ସ୍ତରୀୟ କମିଟି ତୁରନ୍ତ ଗଠନ ସହିତ ସଂଗଠନ ସହିତ ସବୁ ବର୍ଗର ଲୋକଙ୍କ ସହିତ ଯୋଡି ହେବା, ବିଶେଷ କରି ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ ଘଟଣା, ଚାଷୀ ସମସ୍ୟା ସହ ପରି ହତ୍ୟା ଭଳି ଘଟଣାକୁ ଅଧିକ ଫୋକସ ଦିଆଯିବାକୁ ରାଜ୍ୟ ନେତୃତ୍ବଙ୍କୁ ପରାମର୍ଶ ଦେଇଥିଲେ । .
ନୂଆ ପ୍ରଭାରିଙ୍କ ଗସ୍ତକୁ ନେଇ ଉତ୍ସ।ହିତ ଥିଲା ରାଜ୍ୟ ବିଜେପି । ଆଗକୁ ପୌର ନିର୍ବାଚନ ସହିତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା କାରଣରୁ ନୂଆ ପ୍ରଭାରୀଙ୍କ ନେତୃତ୍ୱରେ ଦଳ ଅଧିକ ଉତ୍ସାହିତ ହୋଇ ଲଢ଼ିବ ବୋଲି ନେତାମାନେ ମତ ରଖିଥିଲେ । ବୈଠକରେ ବିଭିନ୍ନ ଦଳୀୟ ଏଜେଣ୍ଡା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
"ଦଳ ପାଇଁ ରାଜ୍ୟରେ ନିଯୁକ୍ତ ନୂଆ ମାର୍ଗଦର୍ଶକଙ୍କୁ ନେଇ ସମସ୍ତେ ଉତ୍ସାହିତ । କାରଣ ଉଭୟ ନେତୃତ୍ବ ଅଭିଜ୍ଞତା ସଂପନ୍ନ ଓ ତୃଣମୂଳ ସ୍ତରରେ କାମ କରିବାରେ ସେମାନେ ଅଭ୍ୟସ୍ତ । ତେଣୁ ଏହା ନିଶ୍ଚିତ ଭାବେ ଏଭଳି ନେତାଙ୍କ ମାର୍ଗ ଦର୍ଶନରେରାଜ୍ୟରେ ଦଳକୁ ପ୍ରଗତିଶୀଳ କରିବ, " କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର ।
"ଦଳକୁ କିଭଳି ସଶକ୍ତ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ପ୍ରଭାରୀ । ତାଙ୍କର ମାର୍ଗ ଦର୍ଶନ ଦଳକୁ ପ୍ରଗତିଶୀଳ କରିବ", କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ନୂଆ ପ୍ରଭାରୀ ଅଭିଜ୍ଞ ବୋଲି ମତ ରଖିବା ସହିତ ଦଳ ଉତ୍ସାହିତ ବୋଲି କହିଥିଲେ ।