ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦର ଆପୋଷ ସମାଧାନ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହେଲା

କେତେକ ସାମାଜିକ ସଙ୍ଗଠନର ମହିଳା କର୍ମକର୍ତ୍ତାମାନେ ଅନୁଭବଙ୍କ ବାସଭବନକୁ ଯାଇ ଉଭୟ ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା କରିଛନ୍ତି । ତାଙ୍କ ପରିବାର ଲୋକଙ୍କ ସହ ବି ଅଲଗା ଅଲଗା ଆଲୋଚନା କରିଛନ୍ତି ସେମାନେ ।

ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦର ଆପୋଷ ସମାଧାନ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହେଲା
ବର୍ଷାଙ୍କ ଘରେ ତାଙ୍କ ସହ କେତେକ ସାମାଜିକ କର୍ମୀ
  • News18 Odia
  • Last Updated: September 10, 2020, 8:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଲିଉଡ ସୁପରଷ୍ଟାର ଯୋଡ଼ି ବର୍ଷା ଓ ଅନୁଭବଙ୍କ ବୈବାହିକ ଜୀବନରେ ଉଠିଥିବା ଝଡ଼ ଅଦଲତରେ ପହଞ୍ଚି ସାରିଛି । ବିଚାର ପାଇଁ ତାରିଖ ମଧ୍ୟ ନିର୍ଦ୍ଧାରିତ ହୋଇ ସାରିଛି । ଏହା ସହ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ଉଭୟ ପରସ୍ପରକୁ ଦୋଷାରୋପ ମଧ୍ୟ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଏ ସବୁ ସତ୍ବେ ଉଭୟଙ୍କ ଭିତରେ ଥିବା ବିବାଦର ଆପୋଷ ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।

ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ କୋର୍ଟରେ ପହଞ୍ଚିବା ଓ ସର୍ବସାଧାରଣରେ ପ୍ରଘଟ ହେବା ପରେ ପ୍ରଥମ ଥର ଲାଗି ଏହାର ଆପୋଷ ସମାଧାନ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ଧୀରେ ଧୀରେ ଆଗକୁ ବଢୁଛି । ଉଭୟଙ୍କ ସମ୍ପର୍କୀୟମାନେ ତଥା କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିରେ ଏଥିରେ ହସ୍ତକ୍ଷେପ କରିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତାକୁ ଦୂର କରିବା ପାଇଁ ଚେଷ୍ଟା କରାଯାଉଛି ।

ଆଜି କିଛି ସାମାଜିକ ସଙ୍ଗଠନର ମହିଳା କର୍ମକର୍ତ୍ତାମାନେ ଅନୁଭବଙ୍କ ବାସଭବନକୁ ଯାଇ ଉଭୟଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଥମେ ବର୍ଷା ଓ ପରେ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଅଲଗା ଅଲଗା ଆଲୋଚନା କରିଛନ୍ତି । ବେଶ କିଛି ସମୟ ଧରି ଚାଲିଥିବା ଏହି ଆଲୋଚନା ଫଳପ୍ରଦ ହୋଇଛି । ଉଭୟ ନିଜ ନିଜର ପକ୍ଷ ରଖିଥିବା କହିଛନ୍ତି ସେମାନେ ।

‘‘ବର୍ଷାଙ୍କ ଅଭିଯୋଗ କେବଳ ଅନୁଭବଙ୍କ ନାଁରେ ଅଛି । ନିଜ ଶାଶୁ ଶଶ୍ବରଙ୍କ ବାବଦରେ ସେ ବିଶେଷ କିଛି କହି ନାହାନ୍ତି,’’ କହିଛନ୍ତି ସାମାଜସେବୀ ତଥା ଆନ୍ତର୍ଜାତୀୟ ମାନବାଧିକାର କମିଶନର ଓଡ଼ିଶା ଶାଖା ସଭାନେତ୍ରୀ ଗୀତାଶ୍ରୀ ଦାସ ।

ଅନୁଭବଙ୍କ ସହ କେତେକ ସାମାଜିକ କର୍ମୀ


"ଆମେ ବର୍ଷାଙ୍କୁ ଭେଟିଲୁ ତା ପରେ ଅନୁଭବଙ୍କୁ ଓ ତାଙ୍କ ମାଙ୍କ ସହ ତାଙ୍କ ଭାଇଙ୍କ ସହ ବି କଥା ହେଲୁ । ଆଲୋଚନା ଭଲ ରହିଲା । ବର୍ଷା ନିଜ କଥା କହିଲେ ଓ ଅନୁଭବ ମଧ୍ୟ ନିଜ କଥା କହିଲେ । ଦୁଇ ଜଣ ନିଜ କଥା ଆମ ପାଖରେ ରଖିଲେ । ଆମେ ଗୋଟେ ସମାଧାନ ଚାହୁଁଛୁ । ଡୋମେଷ୍ଟିକ ଭାୟୋଲେନ୍ସ କେମିତି ହେଲା?... ସେ ତାଙ୍କ ଶାଶୁଙ୍କ ନାଁରେ କହୁନାହାଁନ୍ତି, ଶ୍ବଶୁରଙ୍କ ନାଁରେ ଅଳ୍ପ କିଛି କହୁଛନ୍ତି, କିନ୍ତୁ ସେ ଏବେ ଭଲ ଲୋକ ହୋଇଗଲେଣି ବୋଲି କହୁଛନ୍ତି । ସେ କେବଳ ଅନୁଭବଙ୍କ ନାଁରେ କହୁଛନ୍ତି । ବର୍ଷା ତ ଚାହୁଁ ନାହାନ୍ତି ଯେ ବିବାହ ବିଚ୍ଛେଦ ହେଉ । ଆଶା କରୁଛୁ ଏବେ ଏହି ବିବାଦର ସମାଧାନ ହୋଇଯିବ,’’ କହିଛନ୍ତି ଗୀତାଶ୍ରୀ ଦାସ ।

ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଥିବା ବିବାଦ ସେମାନଙ୍କ ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ସେମାନେ ସେଲିବ୍ରେଟି ହୋଇଥିବାରୁ ଏହାର ଏକ ବ୍ୟାପକ ପ୍ରଭାବ ସର୍ବସାଧାରଣଙ୍କ ଉପରେ ପଡୁଛି । ତେଣୁ ଉଭୟଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ପାଇଁ ଓଲିଉଡ ଉଦ୍ୟମ ଆରମ୍ଭ କରିବ ବୋଲି କହିଛନ୍ତି କିଛି ସେଲିବ୍ରେଟି ।

‘‘ବର୍ଷା ଓ ଅନୁଭବ ହେଉଛନ୍ତି ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିର ବଡ଼ ସେଲିବ୍ରେଟି । ଓଡ଼ିଶାର ଯୁବ ପିଢି ପାଇଁ ସେମାନେ ରୋଲ ମଡେଲ । ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି । ତାଙ୍କର ନିବିଡତା ଥିଲା, ସେମାନେ ପରସ୍ପରକୁ ଭଲ ପାଇ ବାହା ହୋଇଥିଲେ । ଯଦି ବି କିଛି ଗଣ୍ଡଗୋଳ ହୋଇଛି ଆମେ ସେମାନଙ୍କୁ ଅପିଲ କରୁଛୁ, ବଡ ମାନଙ୍କ କଥା ମାନନ୍ତୁ ଓ ଏକାଠି ହୋଇଯାଆନ୍ତୁ,’’ କହିଛନ୍ତି ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ପ୍ରଦ୍ୟୁମ୍ନ ଲେଙ୍କା ।

ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ତଥା ସିନେ ଅଭିନେତା କୁନା ତ୍ରିପାଠୀ କହିଛନ୍ତି, ‘‘ଦୁଇ ଜଣଙ୍କ ଫ୍ୟାନ ସର୍କଲ ବହୁତ ବଡ଼ । ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବି । ଇଣ୍ଡଷ୍ଟ୍ରିର ଯେଉଁମାନଙ୍କ କଥା ଅନୁଭବ ଶୁଣନ୍ତି ଆଉ ମାନନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ବ୍ୟକ୍ତଗତ ଭାବେ ଏହି ପ୍ରୟାସ କରାଯିବା ଉଚିତ । କାରଣ ଆଖି ସାମନାରେ ସୁନ୍ଦର ଭାବେ ହୋଇଥିବା ବାହାଘରର ଏହି ପରିଣାମ ହେବା ଉଚିତ ନୁହେଁ ।’’

ଉଭୟଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ନେଇ ମତ ରଖିଛନ୍ତି ଆଇନ ବିଷାରଦମାନେ । ବୁଧବାର ସନ୍ଧ୍ୟାରେ ବର୍ଷା ନିଜ ଶାଶୁଘରୁ ବାହାରକୁ ଯିବା ଓ ପ୍ରାୟ ୩ ଘଣ୍ଟା ପରେ ଫେରିବା ଏହି ଉଦ୍ୟମର ଅଂଶ ବିଶେଷ ବୋଲି କୁହାଯାଉଛି । ଏହି ଭଳି ମାମଲା କ୍ଷେତ୍ରରେ କୋର୍ଟ ଉଭୟ ପକ୍ଷରୁ ଆଉ ଥରେ ଚିନ୍ତା କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେଣୁ ଅଦାଲତରେ ମାମଲା ଥିଲେ ମଧ୍ୟ କୋର୍ଟ ଭିତରେ ହେଉ କିମ୍ବା ବାହାରେ ଆପୋଷ ବୁଝାମଣା ଉପରେ ଆଇନ ସବୁ ବେଳେ ଗୁରୁତ୍ବ ଦେଇଥାଏ ବୋଲି କହିଛନ୍ତି ଆଇନ ବିଷାରଦମାନେ ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

‘‘ଡି.ଭି. ଆକ୍ଟରେ କୋର୍ଟ ଚାହିଁବେ ତ ଏହି ମାମଲାର ଆପୋଷ ସମାଧାନ ହୋଇ ପାରିବ । କୋର୍ଟ ଉଭୟ ପକ୍ଷକୁ ଏକାଠି ଡାକି ପାରନ୍ତି କିମ୍ବା ଜଣ ଜଣ କରି ଡାକି ପାରନ୍ତି । ତାହା ଛଡ଼ା କୋର୍ଟ ବାହାରେ ମଧ୍ୟ ଏହି ଭଳି ମାମଲାରେ ଆପୋଷ ସମାଧାନ ହୋଇ ପାରିବ। ଆଇନରେ ମୂଳରୁ ଏହାର ବ୍ୟବସ୍ଥା ରହିଛି,’’ କହିଛନ୍ତି ହାଇ କୋର୍ଟର ଆଇନଜୀବୀ ବିଜୟ କୁମାର ରଗଡ଼।



ଉଭୟଙ୍କ ମଧ୍ୟରେ ଚାଲିଥିବା ବୁଝମଣା ଉଦ୍ୟମକୁ ନେଇ ବର୍ଷା କିମ୍ବା ଅନୁଭବ ନିଜର ପ୍ରତିକ୍ରିୟା ରଖିନାହାନ୍ତି ।
Published by: Anand Shankar Thankur Das
First published: September 10, 2020, 8:45 PM IST
corona virus btn
corona virus btn
Loading