ଦୂତୀ ଚାନ୍ଦ ବଡ଼ ଭଉଣୀଙ୍କ ‘ସମଲିଙ୍ଗୀ ସମ୍ପର୍କ’ର ଖୁଲାସା କଲେ; ଅଲିମ୍ପିକ୍ସ ପାଇଁ ନିଜ BMW କାର୍ ବିକିବେ
ଅଲିମ୍ପିଆନ୍ ଧାବିକା ଦୂତୀ ଚାନ୍ଦ ପୁଣି ଚର୍ଚ୍ଚାରେ । ତାଙ୍କ ପରି ତାଙ୍କ ବଡ଼ ଭଉଣୀ ବି ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ବୋଲି ସେ ଜଣେଇଛନ୍ତି । ଅର୍ଥାଭାବରୁ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ନିଜ ଦାମୀ BMW କାର୍ ବିକିବେ ବୋଲି ବି କହିଛନ୍ତି ଦୂତୀ ।

ନିଜ BMW କାର୍ ସହ ଦୂତୀ; (ଡାହାଣ) ନିଜ ପାର୍ଟନରଙ୍କ ସହ ଦୂତୀ
- News18 Odia
- Last Updated: July 11, 2020, 11:41 PM IST
ଭୁବନେଶ୍ୱର: କେତେ ବେଳେ ପ୍ରତିଯୋଗିତାରେ ପଦକ ନେଇ ତ ପୁଣି କେତେ ବେଳେ ଶରୀରରେ ଆଣ୍ଡ୍ରୋଜେନ ମାତ୍ରା ଅଧିକ ଥିବା ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଓଡ଼ିଆ ଧାବିକା ତଥା ଅଲିମ୍ପିଆନ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ପୁଣି ଆଉ କେତେବେଳେ ନିଜ ସମଲିଙ୍ଗୀ ସମ୍ପର୍କକୁ ସର୍ବସାଧାରଣରେ ପ୍ରକାଶ କରି ପ୍ରଶଂସକଙ୍କ ସମାଲୋଚନର ଶିକାର ବି ହୋଇଛନ୍ତି ସେ । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଦୂତୀ । ତାହା ପୁଣି ନିଜ ବିଏମଡବ୍ଲୁ କାର୍ ଓ ନିଜ ଭଉଣୀର ସମଲିଙ୍ଗୀ ସମ୍ପର୍କକୁ ନେଇ ।
ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ନିଜ ଦାମୀ ବିଏମଡବ୍ଲୁ କାର ବିକିବେ ଦୂତୀ । ଏ ନେଇ ସୋସିଆଲ ମିଡିଆରେ ସେ ନିଜ କାରର ଏକ ଫଟୋ ପୋଷ୍ଟ କରିବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ‘‘ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଅର୍ଥର ଆବଶ୍ୟକତା ରହିଛି। ତେଣୁ ନିଜ କାର୍ ବିକିବାକୁ ଚାହୁଁଛି । ଇଛୁକ ବ୍ୟକ୍ତି ମତେ ମେସେଞ୍ଜରରେ ଯୋଗାଯୋଗ କରିବେ,’’ ଲେଖିଛନ୍ତି ଦୂତୀ ।
ଦୂତୀ ୪୦ ଲକ୍ଷ ଟଙ୍କାରେ ଏହି କାର୍ କିଣିଥିଲେ। ଏହା ଭିତରେ ଦୁଇ ବର୍ଷ ହେଇଗଲାଣି। ତେଣୁ ବଜାର ଦର ହିସାବ କରି ଏକ ନିର୍ଦ୍ଦିଷ୍ଟ ଦାମରେ ଏହାକୁ ବିକିବେ ସେ । ଯାହା ଅର୍ଥ ଆସିବ ସେଥିରେ ନିଜ ପ୍ରଶିକ୍ଷଣ ଖର୍ଚ୍ଚ ବହନ କରିବେ ବୋଲି ଦୂତୀ କହିଛନ୍ତି।

ନିଜ ବଡ଼ ଭଉଣୀ ସରସ୍ୱତୀଙ୍କ ବିଷୟରେ ସୋସିଆଲ୍ ମିଡ଼ିଆରେ ଲେଖିଛନ୍ତି ଦୂତୀ ।
କୋଭିଡ-୧୯ ଯୋଗୁଁ ଚଳିତ ବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ବାତିଲ ହୋଇଛି । ହେଲେ ଦୂତୀଙ୍କୁ ପ୍ରଶିକ୍ଷଣ ପାଇଁ ମିଳିଥିବା ସମସ୍ତ ଅର୍ଥ ଖର୍ଚ୍ଚ ହୋଇସାରିଛି । ଏବେ ପରବର୍ତ୍ତୀ ପ୍ରସ୍ତୁତି ପାଇଁ ଅର୍ଥର ଆବଶ୍ୟକତା ରହିଛି। ତେଣୁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ଦୂତୀ ୨୦୧୮ରେ ଏସିଆନ ଗେମ୍ସ ପଦକ ଜିତିବା ପରେ ରାଜ୍ୟ ସରକାରଙ୍କ ଠାରୁ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା। ‘‘ସେଥିରୁ ୧ କୋଟି ଟଙ୍କା ଭଉଣୀମାନଙ୍କ ବାହାଘର ପାଇଁ ଫିକ୍ସ କରିଦେଇଛି। ୮୦ ଲକ୍ଷ ଟଙ୍କା ଘର ତିଆରି ପାଇଁ ଖର୍ଚ୍ଚ ହୋଇଛି । ୫୦ ଲକ୍ଷ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଲାଗିଥିଲା । ସେଥିରେ ବର୍ତ୍ତମାନ ୧୫ ଲକ୍ଷ ଟଙ୍କା ଅଛି। ବିଏମଡବ୍ଲୁ କାର କିଣିଥିଲି। ଏବେ ଆଉ ମୋ’ ପାଖରେ ପଇସା ନାହିଁ। ବର୍ତ୍ତମାନର କରୋନା ମହାମାରୀ ସମୟରେ ସରକାରଙ୍କୁ ସହଯୋଗ ମାଗିବା ଠିକ୍ ହେବନି। ତେଣୁ ନିଜ ବଳରେ ନିଜ ଅଭ୍ୟାସ କରିବି,’’ କହିଛନ୍ତି ଦୂତୀ ଚାନ୍ଦ।
ତାଙ୍କ ପରି ଜଣେ ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ବାବଦରେ ମାସକୁ ସାଢ଼େ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ମସାଜ ପାଇଁ ୩୦,୦୦୦ ଟଙ୍କା ଓ ଫିଜିଓ ପାଇଁ ୪୦,୦୦୦ ଟଙ୍କା ଖର୍ଚ୍ଚ ହୁଏ । ପୁଣି ରନିଂ ପାର୍ଟନରଙ୍କ ରହିବା ଓ ଖାଇବା ଖର୍ଚ୍ଚ ସହ ନିଜ ପାଇଁ ଡାଏଟ ଓ ସପ୍ଲିମେଣ୍ଟ ଖର୍ଚ୍ଚ ଅଲଗା ଅଛି।

ସରସ୍ୱତୀ ବି ଦୂତୀଙ୍କ କାର୍ ବିକିବା ପ୍ଲାନ୍ ବିଷୟରେ ଲେଖିଛନ୍ତି ।
‘‘ପଡ଼ିଆ ଭିତରେ ମାତ୍ର କେଇ ସେକେଣ୍ଡରେ ଖେଳ ଶେଷ ହେଇଯାଏ। କିନ୍ତୁ ଏନେଇ ୩୬୫ ଦିନ ପରିଶ୍ରମ କରିବାକୁ ହୁଏ । ସେଥି ପାଇଁ ଅର୍ଥର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ଓ ଘରୋଇ ଅନୁଷ୍ଠାନ ପକ୍ଷରୁ ସହଯୋଗ ମିଳିବ ବୋଲି ମୋ’ର ବିଶ୍ୱାସ ଅଛି,’’ କହିଛନ୍ତି ଦୂତୀ ଚାନ୍ଦ। ‘‘କିନ୍ତୁ ଏବେ ମୋତେ ନିଜେ କିଛି କରିବାକୁ ହେବ । ଏଥି ପାଇଁ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ। ଏବେ ଯାଏ ୬ରୁ ୭ ଜଣ ବ୍ୟକ୍ତି ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଓ କୋଲକାତାରୁ ଯୋଗାଯୋଗ କରିଛନ୍ତି,’’ ସେ କହିଛନ୍ତି ।
ଦୂତୀ ନିଜ ଭଉଣୀଙ୍କ ସମଲିଙ୍ଗୀ ସମ୍ପର୍କର ଖୁଲାସା ବି କରିଛନ୍ତି । ବଡ଼ ଭଉଣୀ ସରସ୍ୱତୀଙ୍କର ଜଣେ ଝିଅ ସହ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି । ‘‘ଆମ ଘରେ ସେ ଝିଅ ରହିବାର ମୁଁ ଦେଖିଛି । ଗାଁ ପଡ଼ୋଶୀଙ୍କ ଠାରୁ ମଧ୍ୟ ଭଉଣୀଙ୍କ ସମ୍ପର୍କ ବିଷୟରେ ଶୁଣିଛି । ସୋସିଆଲ ମିଡିଆରେ ଉଭୟଙ୍କ ଫୋଟୋ ବି ରହିଛି। ଯଦି ନିଜେ ସମଲିଙ୍ଗୀ ସମ୍ପର୍କରେ ରହୁଛନ୍ତି ତେବେ ମତେ କଣ ପାଇଁ କହୁଛନ୍ତି?’’ ସେ ପ୍ରଶ୍ନ କରିଛନ୍ତି ।
ଏହା ବି ପଢ଼ନ୍ତୁ: କେରଳ ଡାକ୍ତରାଣୀ ଶୁଣାଇଲେ ଅନୁଭୂତି: ‘‘ଭିଡ଼ରେ ଜଣେ ଲୋକ ଆମ କାରରେ ମୁଣ୍ଡ ପୂରାଇ କାଶି ଦେଲା!’’
‘‘ମୁଁ କାହାକୁ କେବେ ଟାର୍ଗେଟ କରେନି । ଲୋକେ ମୋତେ ଟାର୍ଗେଟ କରନ୍ତି, ବିବାଦ ଭିତରକୁ ଟାଣନ୍ତି। ମୋର ସମଲିଙ୍ଗୀ ସମ୍ପର୍କ ସର୍ବସାଧାରଣରେ ପ୍ରକାଶ ପାଇବା ପରେ ମତେ ବହୁତ ଖରାପ କହିଥିଲେ। ମୋ’ ମାଆ ଜଣେ ନିରୀହ ଲୋକ। ତାଙ୍କ ଉପରେ ଚାପ ପକାଇ ଏଭଳି ମନ୍ତବ୍ୟ ନିଆଯାଇଥିଲା। ହେଲେ ଏବେ ତାଙ୍କ ସତ ପଦାକୁ ଆସିଛି। ପବ୍ଲିକକୁ ସବୁ ହିସାବ ଦେବା ଠିକ ନୁହେ। ସମୟ ଆସିଲେ ମାଆଙ୍କ ସହ କଲ୍ ରେକର୍ଡ ଶୁଣାଇବି,’’ କହିଛନ୍ତି ଦୂତୀ ଚାନ୍ଦ ।