News18 Odia Digital
Dutee Chand on Magazine: ପୁଣି ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ବିବାହକୁ ନେଇ ଦେଇଛନ୍ତି ବଡ଼ ବୟାନ । ବାପା ହେବାକୁ ଇଚ୍ଛା ରଖିଛନ୍ତି ଦୂତୀ ଚାନ୍ଦ ! ଭବିଷ୍ୟତରେ ସେ ଏନେଇ ଯୋଜନା ରଖିଥିବା ଜଣାପଡ଼ିଛି । ଏକ ଜାତୀୟ ନ୍ୟୁଜ ମାଗାଜିନ୍ର କଭର୍ ପେଜ୍ରେ ଫଟୋ ଓ ନ୍ୟୁଜ ପରେ ଘରୋଇ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୂତୀ ଇଚ୍ଛା ବ୍ୟକ୍ତ କରିଛନ୍ତି । ...
କେମିତି ବାପା ହେବେ ଦୂତୀ ?ଦୂତୀ କହିଛନ୍ତି, ତାଙ୍କୁ ସନ୍ତାନ ସୁଖ ଦରକାର ଅଛି । ସେ ଆଇଭିଏଫ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବେ। ତାଙ୍କ ସନ୍ତାନ ତାଙ୍କୁ ବାପା ଓ ତାଙ୍କ ବାନ୍ଧବୀ ମୋନାଲିସାଙ୍କୁ ମା’ ଡାକିବ। ବିବାହ କରିବା ପ୍ରସଙ୍ଗକୁ ନେଇ ଦୂତୀ କହିଛନ୍ତି ସେ ଜଣେ ଖେଳାଳି ହୋଇଥିବାରୁ ଆଉ କିଛି ବର୍ଷ ଖେଳରେ ଧ୍ୟାନ ଦେବେ । ଖେଳରୁ ବିରତି ପରେ ସେ ପରିବାର ବାବଦରେ ଅଧିକ ଚିନ୍ତା କରିବେ । ଏମିତିରେ ବି ସେ ଓ ତାଙ୍କ ବାନ୍ଧବୀ ମନ୍ଦିରରେ ବିବାହ କରିସାରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଦୂତୀ । ଦୁହିଁଙ୍କ ଭିତରେ ଅଗାଢ଼ ବିଶ୍ୱାସ ଓ ଭରସା ଥିଲେ ମଧ୍ୟ ଚାକିରି, ଡାକ୍ତରୀ ଓ ବିଭିନ୍ନ କ୍ଷେତ୍ରରେ ସାର୍ଟିଫିକେଟ ପାଇଁ ବିବାହ ଜରୁରୀ ।ଏହା ସହ ତାଙ୍କ ବାନ୍ଧବୀଙ୍କ ସହ ଖଟା ମିଠା ଅନୁଭବ ବଖାଣିଛନ୍ତି ଦୂତୀ । ସେ ଅନ୍ୟ ଝିଅ ମାନଙ୍କ ସହ ୫-୬ମିନିଟ କଥା ହେଲେ ମୋନାଲିସା ଇର୍ଷା କରନ୍ତି । ୨୦୧୯ରୁ ସେ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ ବି ଲୋକମାନେ ଖରାପ ନଜରରେ ଦେଖୁଛନ୍ତି ବୋଲି ଦୂତୀ କହିଛନ୍ତି।

(ଫୋଟ ସୌଜନ୍ୟ: ଦୂତୀ ଚାନ୍ଦଙ୍କ ଫେସବୁକ ପୃଷ୍ଠା)
ସୂଚନାଯୋଗ୍ୟ, ଦେଶରେ ସମଲିଙ୍ଗୀ ସମ୍ପର୍କକୁ ନେଇ ବାଦ ବିବାଦ, ଆଲୋଚନା ଜୋର ଧରୁଛି । ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଏହି କ୍ରମରେ ଦୂତୀ ଓ ତାଙ୍କ ସମଲିଙ୍ଗୀ ବାନ୍ଧବୀଙ୍କ ଏକ ଫୋଟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ମୋନାଲିସାଙ୍କୁ ସିନ୍ଦୁର ପିନ୍ଧାଉଥିବାର ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ମାଗାଜିନର କଭର ଷ୍ଟୋରୀରେ ଦୂତି ଓ ତାଙ୍କ ପ୍ରେମିକାଙ୍କ ଫଟୋ ପ୍ରକାଶ ପାଇଛି । କେବଳ ଦୂତୀ ଚାନ୍ଦ ନୁହଁନ୍ତି ଦେଶରେ ଅନେକ ସମଲିଙ୍ଗୀ ଯୋଡ଼ି ଅଛନ୍ତି ଯେଉଁମାନଙ୍କ ସମ୍ପର୍କକୁ ମାନ୍ଯତା ମିଳୁପାରିନାହିଁ । ସେମାନେ ନିଜ ଅଧିକାର ପାଇଁ ବାରମ୍ୱାର କୋର୍ଟର ଦ୍ୱାରସ୍ଥ ହେଉଛନ୍ତି । ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ହୋଇଥିଲେ ବି ସମାଜ ଆଗରେ ଏମାନଙ୍କୁ ଏକ ଭଲ ନଜରରେ ଦେଖାଯାଉନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।