ବର୍ଷକ ମଧ୍ୟରେ ପୋଲିସ ହେପାଜତରୁ ୯ ଜଣ ଅଭିଯୁକ୍ତ ଚମ୍ପଟ
News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଅପରାଧ ଘଟିବା ସହ ତାଳ ଦେଇ ଗିରଫ ହେଉଛନ୍ତି ଅଭିଯୁକ୍ତ । ହତ୍ୟା ଠାରୁ ନେଇ ଚୋରି ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କୁ କୋର୍ଟରେ ହାଜର କରିବା ଯାଏଁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଛି । ବେଳେ ବେଳେ ଅଭିଯୁକ୍ତ ଚତୁରତା ସହ ଜେଲ ହାଜତରୁ ଖସି ପଳାଉଛନ୍ତି । ଚଳି ବର୍ଷ କମିଶନରେଟ ପୋଲିସ ଭୁବନେଶ୍ୱର ୟୁ.ପି.ଡି.ର ବିଭିନ୍ନ ଥାନାରୁ ୯ ଜଣ ଅଭିଯୁକ୍ତ ଖସି ଯିବାକୁ ସକ୍ଷମ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି ୪ଜଣ ଫେରାର୍ ଅଛନ୍ତି । କେବଳ ପୋଲିସ ହେପାଜତ ନୁହେଁ, ଜେଲରୁ ମଧ୍ୟ ଅଭିଯୁକ୍ତ ଖସି ଯିବାରେ ସଫଳ ହୋଇଛନ୍ତି । କେତେବେ ଚିକିତ୍ସା ବାହାନାରେ ତ ଆଉ କେତେବେଳେ ପୋଲିସସ ଅବହେଳା ପାଇଁ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି।
କମିଶନରେଟ ପୋଲିସର ତଥ୍ୟ ଅନୁସାରେ, ଚଳିତ ବର୍ଷ ଚନ୍ଦକା ଥାନାରୁ ସର୍ବାଧିକ ୩ ଜଣ, କ୍ୟାପିଟାଲ ଥାନାରୁ ୨ ଜଣ, ତମାଣ୍ଡୋ, ଖଣ୍ଡଗିରି, ଭରତପୁର ଓ ଚନ୍ଦ୍ରଶେଖରପୁର ଥାନାରୁ ଜଣେ ଲେଖାଏଁ ଅଭିଯୁକ୍ତ ଖସି ଯିବାରେ ସଫଳ ହୋଇଛନ୍ତି। ତେବେ ଖସି ପଳାଇଥିବା ୯ ଜଣ ଅଭିଯୁକ୍ତ ମଧ୍ୟରୁ ୫ ଜଣଙ୍କୁ ପୋଲିସ ପୁଣି ଗିରଫ କରିବାରେ ସକ୍ଷମ ହୋଇଛି । ସେଥିମଧ୍ୟରୁ ଚନ୍ଦକା ଥାନା ପୋଲିସ ଦୁଇଜଣଙ୍କୁ ଧରିଥିବା ବେଳେ ତମାଣ୍ଡୋ, କ୍ୟାପିଟାଲ ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ଲେଖାଏଁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ଏହି ମାମଲାରେ ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ କହିଛନ୍ତି, “ପୋଲିସର ଅବହେଳା ହେଉ ଅବା ଅନ୍ୟ କିଛି କାରଣ ପାଇଁ ଅଭିଯୁକ୍ତ ପୋଲିସ କବଜାରୁ ଫେରାର୍ ହେଉଛନ୍ତି। ଚଳିତ ବର୍ଷ ୯ ଜଣ ଖସି ପଳାଇ୍ଥିବା ବେଳେ ୫ ଜଣଙ୍କୁ କାବୁ କରିଛୁ । ଆଗାମୀ ଦିନରେ ଜେଲ କିମ୍ବା କୋର୍ଟକୁ ଅଭିଯୁକ୍ତଙ୍କୁ ନେବା ସମୟରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବା ଉପରେ ଗୁରୁତ୍ବ ଦିଆଯିବ । ସେହି ଭଳି ଅଭିଯୁକ୍ତ ଖସିଯିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇଥାଏ । ଯଦି ପୋଲିସ ହେପାଜତରୁ ଖସି ଯିବା ପଛରେ ପୋଲିସର ଅବହେଳା ପ୍ରମଣା ମିଳେ ସମ୍ପୃକ୍ତ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।”
ଫୋରାର ଥିବା ଅଭିଯୁକ୍ତଙ୍କ ମାମଲାରେ ପୋଲିସ ତଦନ୍ତ ଶେଷ କର କ୍ୟାପିଟାଲ, ତମାଣ୍ଡୋ ଓ ଚନ୍ଦକା ଥାନା ପୋଲିସ ଚାର୍ଜସିଟ ଦାଖଲ କରିଛି । କିନ୍ତୁ ଅନ୍ୟ ୬ଟି ମାମଲାରେ ପୋଲିସ ଚାର୍ଜସିଟ ଦାକଲ କରିବାରେ ସକ୍ଷମ ହୋଇନି । ଏବେ ସୁଦ୍ଧା ଫେରାର ଥିବା ୪ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ଆଇ.ପି.ସି ‘୨୨୪’ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ବିଗତ ବର୍ଷ ଗୁଡିକରେ ଜେଲ ହାଜରୁ ଚମ୍ପଟ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କିଏ ୫ ବର୍ଷ ତଳେ ଖସି ପଳାଇଥିଲା ତ ଆଉ କିଏ ଦେଢ଼ ବର୍ଷ ତଳେ। ଜେଲରେ ଫେରାର୍ ଥିବା ଅଭିଯୁକ୍ତଙ୍କୁ ଧରିବା ଦାୟିତ୍ୱ ସ୍ପେଶାଲ ସ୍କ୍ୱାର୍ଡକୁ ଦିଆଯାଇଛି । ତେଣୁ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ଚଳାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଗତ ୧୦ ବର୍ଷରେ ରାଜଧାନୀରୁ ୩୩ ଜଣ ଅଭିଯୁକ୍ତ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ବଡଗଡରୁ ୭, ଖଣ୍ଡଗିରିରୁ ୪, ଚନ୍ଦ୍ରଶେଖରପୁର, ତମାଣ୍ଡୋରୁ ୩ ଜଣ ଲେଖାଏଁ, ଏୟାରପୋର୍ଟ, ଇନଫୋସିଟି, କ୍ୟାପିଟାଲ, ଲକ୍ଷ୍ମୀସାଗର, ଏୟାରଫିଲ୍ଡ , ନୟାପଲ୍ଲୀ ଓ ବାଲିଅନ୍ତାରୁ ୨ ଜଣ ଲେଖାଏଁ ଅଭିଯୁକ୍ତ ଖସି ଯିବାରେ ସକ୍ଷମ ହୋଇଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।