ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କୁ ଲୁହା ରଡ଼ରେ ଆକ୍ରମଣ କରି ମୋବାଇଲ୍ ଲୁଟି ନେଲେ ଲୁଟେରା

ସତ୍ୟ ସୁନ୍ଦର ଓ ଦୁର୍ବୁତ୍ତ ମାନଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ଧରି ଧସ୍ତାଧସ୍ତି ହୋଇଥିଲା । ଆଖ ପାଖରେ ଲୋକେ କିଏ ଫୁଲ ତୋଳୁଥିବା ବେଳେ ଆଉ କିଏ ପ୍ରାତଃ ଭ୍ରମଣ କରୁଥାନ୍ତି । ହେଲେ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବା ସତ୍ତ୍ୱେ କେହି ବି ପାଖକୁ ଆସି ନଥିଲେ ବୋଲି ସତ୍ୟ ସୁନ୍ଦର କହିଛନ୍ତି ।

ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କୁ ଲୁହା ରଡ଼ରେ ଆକ୍ରମଣ କରି ମୋବାଇଲ୍ ଲୁଟି ନେଲେ ଲୁଟେରା

ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କୁ ଲୁହା ରଡ଼ରେ ଆକ୍ରମଣ କରି ମୋବାଇଲ୍ ଲୁଟି ନେଲେ ଲୁଟେରା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଜଣେ ସାମ୍ବାଦିକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆହତ ସାମ୍ବାଦିକ ହେଲେ 'ସମୟ' ଖବର କାଗଜର ସତ୍ୟ ସୁନ୍ଦର ଭଞ୍ଜ । ଶୁକ୍ରବାର ଭୋରରେ ଡେଲଟା ଛକ ନିକଟରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ସ୍କୁଟିରେ ଆସି ଏକ ଲୁହା ରଡ଼ରେ ଆକ୍ରମଣ କରି ସତ୍ୟ ସୁନ୍ଦରଙ୍କ ମୋବାଇଲ ଲୁଟି ନେଇଛନ୍ତି ।

"ସକାଳ ୫ଟା ସମୟରେ ମୁଁ ମର୍ଣ୍ଣିଂ ୱାକ୍ କରୁଥାଏ । ଡେଲଟା ଛକ ନିକଟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ମୋ ମୋବାଇଲକୁ ଛଡ଼ାଇବାକୁ ଚେଷ୍ଟା କଲେ । ଓଡ଼ିଆରେ କହୁଥିଲେ 'ମୋବାଇଲ ଦେ' । ମୁଁ ପ୍ରଥମେ ସେମାନଙ୍କୁ ଧକ୍କା ଦେବା ଫଳରେ ସେମାନେ ପଡ଼ିଯାଇଥିଲେ । ପରେ ଏକ ଲୁହା ରଡ଼ରେ ମୋ ମୁଣ୍ଡ ପଛ ଭାଗକୁ ଆକ୍ରମଣ କରିଥିଲେ । ଫଳରେ ମୁଁ ପଡି ଯାଇଥିଲି । ମୋ ମୋବାଇଲକୁ ଧରି ସେମାନେ ସି.ଆର.ପି ଛକ ଆଡ଼କୁ ପଳାଇ ଥିଲେ,’’ କହିଛନ୍ତି ଦୁର୍ବୁତ୍ତଙ୍କ ଶିକାର ହୋଇଥିବା ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ।

ସତ୍ୟ ସୁନ୍ଦର ଓ ଦୁର୍ବୁତ୍ତ ମାନଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ଧରି ଧସ୍ତାଧସ୍ତି ହୋଇଥିଲା । ଆଖ ପାଖରେ ଲୋକେ କିଏ ଫୁଲ ତୋଳୁଥିବା ବେଳେ ଆଉ କିଏ ପ୍ରାତଃ ଭ୍ରମଣ କରୁଥାନ୍ତି । ହେଲେ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବା ସତ୍ତ୍ୱେ କେହି ବି ପାଖକୁ ଆସି ନଥିଲେ ବୋଲି ସତ୍ୟ ସୁନ୍ଦର କହିଛନ୍ତି ।

ସେ ଆହୁରି କହିଛନ୍ତି, "ଘଟଣା ଠାରୁ ମୋ ଘର ମାତ୍ର ୩ ଶହ ନିଟର ଦୂର ହେବ । ସେ ଅଞ୍ଚଳ କୌଣସି ନିଛାଟିଆ ସ୍ଥାନ ନଥିଲା । ମୋବାଇଲ ନେବା ପରେ ମୁଁ ସେମାନଙ୍କୁ କିଛି ବାଟ ଗୋଡ଼ାଇ ଥିଲି । ହେଲେ ଆଖ ପାଖ ଲୋକେ କେହି ବି ସେମାନଙ୍କୁ ଧରିବାକୁ ଚେଷ୍ଟା କରିନଥିଲେ । ସମସ୍ତେ ଦେଖଣା ହାରୀ ସାଜିଥିଲେ ।’’

ନୟାପଲି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସ୍ଥାନୀୟ ଅଞ୍ଚଳରେ ଲାଗି ଥିବା ସିସିଟିଭିକୁ ଜବତ କରି ଯାଞ୍ଚ କରୁଛି। ହେଲେ ଘଟଣା ଲେଖିବା ପର୍ଯ୍ୟନ୍ତ ଦୁଇ ଲୁଟେରାଙ୍କ କୌଣସି ସୁରାକ ପାଇ ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଡେଲଟା ଓ ୟୁନିଟ-୮ ଅଞ୍ଚଳରେ ଲୁଟ ପାଟ ହେବା ନୂଆ କଥା ନୁହେଁ । ଗତ ମାର୍ଚ୍ଚ ମାସରେ ନିୟୁଜ୧୮ ଓଡ଼ିଆର ଜଣେ କାର୍ଯ୍ୟରତ ସାମ୍ବାଦିକ ଅଫିସ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୁତ୍ତ ମାନେ ତାଙ୍କ ମୋବାଇଲକୁ ଛଡ଼ାଇ ନେବା ସହ ଲୁଟ କରିଥିଲେ । ଏ ନେଇ ନୟାପଲି ଥାନାରେ ଅଭିଯୋଗ କରିଥିବା ସତ୍ତ୍ୱେ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇନି ପୋଲିସ ।

ଆଗକୁ ଆସୁଛି ପାର୍ବଣ ଋତୁ । ତାହା ପୂର୍ବରୁ ଅପରାଧିଙ୍କୁ ସାବଡ଼ କରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ଏହା ସତ୍ତ୍ୱେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ରାଜଧାନୀ ବାସିନ୍ଦା ।
Published by:Lipina Das
First published: