ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୃଷ୍ଣପକ୍ଷ ମୂଳାଷ୍ଟମୀରୁ ସବୁଆଡ଼େ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗା ଉତ୍ସବ ପାଳିତ ହୁଏ

କୃଷ୍ଣପକ୍ଷ ମୂଳାଷ୍ଟମୀରୁ ସବୁଆଡ଼େ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗା ଉତ୍ସବ ପାଳିତ ହୁଏ

ଷୋଳ ପୂଜାର ପ୍ରଥମ ଆଠ ଦିନ ମା' ବିମଳାଙ୍କ ମନ୍ଦିରରେ ଓ ଶେଷ ଆଠ ଦିନ ଶ୍ରୀମନ୍ଦିର ସମୁଖ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ଗୁପ୍ତ ଗୁଣ୍ଡିଚାରେ ଯାଇ ଶାରଦୀୟ ପୂଜା ବିଧି ପାଳିତ ହେବାର ପରମ୍ପରା ରହିଛି ।

କୃଷ୍ଣପକ୍ଷ ମୂଳାଷ୍ଟମୀରୁ ସବୁଆଡ଼େ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗା ଉତ୍ସବ ପାଳିତ ହୁଏ
ଶ୍ରୀକ୍ଷେତ୍ରରେ ଦୁର୍ଗା ଉତ୍ସବ ପାଳିତ ହୁଏ
  • News18 Odia
  • Last Updated: October 5, 2021, 11:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମୂଳାଷ୍ଟମୀ ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ହେଉଛି ଶାରଦୀୟ ଦୁର୍ଗାପୂଜା ମହୋତ୍ସବ । ସେ ନେଇ ଆରମ୍ଭ ହୋଇଛି ମା'ଙ୍କର ଷୋଡ଼ଶ ଉପଚାର ପୂଜା । ସେପ୍ଟେମ୍ବର ୨୮ରେ ଶ୍ରୀମନ୍ଦିରରେ ମା'ଙ୍କୁ ସହସ୍ରାକୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ସହିତ ଦେବୀ ଉତ୍ଥାପନ ନୀତିରେ ଆବାହନ କରାଯାଇଥିଲା। ଏହା ପରେ ମୂଳାଷ୍ଟମୀରେ ଶ୍ରୀନଅର ଭିତରେ ଗଜପତି ମହାରାଜ ୨୫ ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଥାନ୍ତି । ଶାରଦୀୟ ପୂଜା ଅବସରରେ ସର୍ବତ୍ର ମା' ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ମୂଳାଷ୍ଟମୀ ଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି।

ଜଗନ୍ନାଥ ଗବେଷକ ତଥା ମା' ବିମଳାଙ୍କ ପୀଠରେ ପୂଜା ପାଇଁ ବରଣ ହୋଇଥିବା ବ୍ରାହ୍ମଣ ୬୬ ବର୍ଷୀୟ ଭଗବାନ ତ୍ରିପାଠୀଙ୍କ ମତରେ,"ଗତବର୍ଷ ମଳମାସ ପଡ଼ିଥିବାରୁ ୪୫ ଦିନ ହୋଇଥିଲା ଷୋଡ଼ଶ ଦିନାତ୍ମକ ପୂଜା । ହେଲେ ଚଳିତ ବର୍ଷ ମୂଳାଷ୍ଟମୀରୁ ପୂଜା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୧ ତାରିଖରେ ମହାସପ୍ତମୀ ,୧୨ରେ ମହାଷ୍ଟମୀ ଓ ୧୩ରେ ମହନବମୀ ତା ପରଦିନ ବିଶ୍ରାମ ଓ ଅକ୍ଟୋବର ୧୫ରେ ଶ୍ରୀମନ୍ଦିରରେ ଦଶହରା ପାଳିତ ହେବ । ତେବେ ମୂଳାଷ୍ଟମୀ ପୂର୍ବଦିନ ଶ୍ରୀମନ୍ଦିରରେ କ୍ଷେତ୍ରାଧୀଶ୍ୱରୀ ଦେବୀ ବିମଳାଙ୍କର ସହସ୍ରାକୁମ୍ଭାଭିଷେକ ସମ୍ପନ୍ନ ହେବା ସହିତ ଦେବ୍ୟୁତଥାପନ ନୀତି ଶେଷ ହୋଇଥିଲା । ଏହା ସହିତ ଶ୍ରୀମନ୍ଦିରରେ ମା'ଙ୍କୁ ସହସ୍ରାକୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ସହିତ ଦେବୀ ଉତ୍ଥାପନ ନୀତିରେ ଆବାହନ କରାଯାଇଛି।’’

କୃଷ୍ଣପକ୍ଷ ମୂଳାଷ୍ଟମୀରୁ ସବୁଆଡ଼େ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗା ଉତ୍ସବ ପାଳିତ ହୁଏ


‘‘ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ଶ୍ରୀମନ୍ଦିର ସହ ଜଡ଼ିତ ପୀଠ ଗୁଡ଼ିକରେ ପୂଜାର୍ଚ୍ଚନା ଅନୁକ୍ରମେ ମୂଳାଷ୍ଟମୀରେ ଶ୍ରୀନଅର ଭିତରେ ଗଜପତି ମହାରାଜଙ୍କ ପକ୍ଷରୁ ରାଜଗୁରୁ, ରାଜପୋରିହତ ୨୫ ଜଣ ସ୍ତ୍ରୋତୀୟ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଥାନ୍ତି। ପୌରାଣିକ ତଥ୍ୟ ଅନୁଯାୟୀ ଭୌରବ ଜଗନ୍ନାଥଙ୍କ ସହ ଭୌରବୀ ଶକ୍ତି ମା' ବିମଳାଙ୍କର ହୋଇଥାଏ ପୁଜାର୍ଚ୍ଚନା । ଏହି ଶାରଦୀୟ ପୂଜା ପାଇଁ ଶ୍ରୀମନ୍ଦିରରେ ମା' ବିମଳାଙ୍କ ପୀଠ ସହିତ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତି ପୀଠରେ ଶାରଦୀୟ ପୂଜା କରିବା ପାଇଁ ଶ୍ରୀନଅରକୁ ବ୍ରାହ୍ଣଣମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଶ୍ରୀନଅରରେ ଗଜପତି ମହାରାଜଙ୍କୁ ସ୍ତ୍ରୋତୀୟ ବ୍ରାହ୍ଣଣମାନଙ୍କୁ ଆଚାର୍ଯ୍ୟପଦରେ ବରଣ କରିଥିଲେ । ସେମାନେ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନା ,ଚଣ୍ଡୀପାଠ, ଠାକୁରାଣୀଙ୍କ ସହଶ୍ରନାମ ଆଦି ଦେବବିଧି କରିବା ପାଇଁ ଗଜପତି ବରଣ କରି ନିୟୋଜିତ କରିବାର ବ୍ୟବସ୍ଥା ଆବହମାନ କାଳରୁ ରହିଛିଆସୁଛି,’’ କହିଛନ୍ତି ରାଜ ପୁରୋହିତ ଦେବୀପ୍ରସାଦ ରାଜଗୁରୁ।

ପୁଷ୍ପାଳକ ନିଯୋଗ ସମ୍ପାଦକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ୩୬ ବର୍ଷୀୟ ସଦସ୍ୟ ଜଗନ୍ନାଥ କର କହିଛନ୍ତି, "ଶାରଦୀୟ ପୂଜା ଅବସରରେ ସର୍ବତ୍ର ମା' ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ମୂଳାଷ୍ଟମୀରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୁଜାର୍ଚ୍ଚନା କରାଯାଇଛି। ମା' ବିମଳାଙ୍କ ମନ୍ଦିରର ନାଟ ମଣ୍ଡପରେ ଦୁର୍ଗାମାଧଵ ବିଜେ ହୋଇଥିବା ବେଳେ ଠାକୁରଙ୍କ ଶୀତଳ ଭୋଗ ଅର୍ପଣ ହୋଇ ବନ୍ଦାପନା କରାଯିବାର ବିଧି ରହିଛି । ଶ୍ରୀଜୀଉଙ୍କର ରାତି ଚନ୍ଦନଲାଗି ନୀତି ବଢ଼ିବା ପରେ ସେବାୟତ ମାନେ ପୁଣି ଦୁର୍ଗାମାଧବଙ୍କୁ ବିଜେ କରାଇ ଆଣି ଭଣ୍ଡାର ଘର ନିକଟରେ ସ୍ଥାପନା କରିଥିଲେ । ଷୋଳ ପୂଜାର ପ୍ରଥମ ଆଠ ଦିନ ମା' ବିମଳାଙ୍କ ମନ୍ଦିରରେ ଓ ଶେଷ ଆଠ ଦିନ ଶ୍ରୀମନ୍ଦିର ସମୁଖ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ଗୁପ୍ତ ଗୁଣ୍ଡିଚାରେ ଯାଇ ଶାରଦୀୟ ପୂଜା ବିଧି ପାଳିତ ହେବାର ପରମ୍ପରା ରହିଛି ।

ମୂଳାଷ୍ଟମୀ ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ହେଉଛି ଶାରଦୀୟ ଦୁର୍ଗାପୂଜା ମହୋତ୍ସବ


"ଷୋଡଶ ଦିନାତ୍ମକ ଉତ୍ସବ ପାଇଁ ରାଜଗୁରୁ ଦେଉଳ ପୁରୋହିତ ଓ ଅନ୍ୟାନ୍ୟ ପଣ୍ଡିତମାନଙ୍କୁ ଗଜପତିଙ୍କ ହାତ ଛୁଆଁ ନଡ଼ିଆ ଓ ବସ୍ତ୍ର ପ୍ରଦାନ କରି ପୂଜା ପାଇଁ ବରଣ କରିଥାନ୍ତି। ପ୍ରଥମ କରି ଶ୍ରୀମନ୍ଦିରର ଥିବା ମା' ବିମଳାଙ୍କ ପୂଜା ପାଇଁ ପ୍ରଥମ ବ୍ରାହ୍ଣଣଙ୍କୁ ପରମ୍ପରା ମୁତାବକ ରାଜଗୁରୁ ଓ ରାଜପୁରୋହିତ ମନ୍ତ୍ରପାଠ ଦ୍ବାରା ବରଣ କରିଥାନ୍ତି। ଏଥି ସହିତ ଦକ୍ଷିଣକାଳୀ , ଶ୍ୟାମାକାଳୀ, ରାମଚଣ୍ଡୀ, ହରଚଣ୍ଡୀ ଆଦି ପୀଠମାନଙ୍କର ବ୍ରାହ୍ଣଣମାନଙ୍କୁ ଯଥାରୀତି ଅନୁସାରେ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରାଯାଇଛି। ଏହି ଶାରଦୀୟ ପୂଜା ସମୟରେ ମା' ବିମଳାଙ୍କର ଷୋଡ଼ଶ ଉପଚାର ପୂଜା ସହିତ ଅନୁକଳ୍ପ ବିଧାନରେ ପଞ୍ଚମ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ବିମଳା ପୀଠକୁ ମହିଳାମାନଙ୍କର ଦର୍ଶନ ବାରଣ କରାଯାଇଥାଏ । ତେବେ ଏହି ପୂଜା ସମୟରେ ଶ୍ରୀମନ୍ଦିରର ବିଶେଷତ୍ୱ ହେଉଛି ମା' ବିମଳାଙ୍କ ନିକଟରେ ଲାଗୁଥିବା ସମର୍ପଣ ମହାପ୍ରସାଦକୁ ପୁନଃ ବେଲପତ୍ର ପକାଯାଇ ଷୋଡ଼ଶ ଉପଚାର ମନ୍ତ୍ରରେ ଅମୁଣିଆ କରାଯିବା ପରେ ମାଆଙ୍କ ନିକଟରେ ଭୋଗ ଅର୍ପଣ କରାଯାଇଥାଏ। ମହାପ୍ରସାଦକୁ ସିଦ୍ଧ କରିବାର ଇଏ ଏକ ଅନନ୍ୟ ପରମ୍ପରା,’’ କହିଛନ୍ତି ୫୬ ବର୍ଷୀୟ ସ୍ତ୍ରୋତୀୟ ବ୍ରାହ୍ମଣ ବିଶ୍ୱମ୍ବର ଦାସ।

ବିଶ୍ୱର କଲ୍ୟାଣ ଓ ସମସ୍ତଙ୍କର ମଙ୍ଗଳକାମନା କରି ଶୋସ୍ତ୍ରୀୟ ବ୍ରାହ୍ଣଣମାନେ ପୀଠମାନଙ୍କର ଏହି ପୂଜା କରୁଥିବା ବେଳେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କର ଉପାସନାର ପରମ୍ପରା ରହିଛି । ତେଣୁ ହବିଷ୍ୟାନ୍ନ ଖାଇ ଏଠି ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିର ସହ ଜଡ଼ିତ ପୀଠମାନଙ୍କର ପୂଜା କରିଥାନ୍ତି ଏହି ବରଣ ବ୍ରାହ୍ଣଣମାନେ।
Published by: Lipina Das
First published: October 5, 2021, 11:35 AM IST