ରାଜଧାନୀ କଲେଜରେ ନକଲି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଚିହ୍ନଟ; ୬ ଜଣଙ୍କ ନାମରେ ଏତଲା ଦେଲା କଲେଜ

ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହୋଇଛନ୍ତି ୬ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ। ଏହାକୁ ନେଇ କଲେଜ ଅଧ୍ୟକ୍ଷ୍ୟା ୬ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବିରୋଧରେ ଖଣ୍ଡିଗିରି ଥାନାରେ ଏତଲା ଦେଇଛନ୍ତି ।

ରାଜଧାନୀ କଲେଜରେ ନକଲି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି (ପ୍ରତୀକାତ୍ମକ ଛବି)

ରାଜଧାନୀ କଲେଜରେ ନକଲି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ଜାଲ୍ ସାର୍ଟିଫିକେଟ ରାକେଟ୍ । ଦଲାଲଙ୍କ ଟାର୍ଗେଟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ସିଟ୍ । ନକଲି ସାର୍ଟିଫିକେଟ କାରବାର କରି ମାଲାମାଲ ହେଉଛନ୍ତି ଦଲାଲ । ଯାଞ୍ଚ ପରେ ଚିହ୍ନଟ ହେଲେଣି ୪୦ରୁ ଅଧିକ ନକଲି ଭିନ୍ନକ୍ଷମ । ରାକେଟର ଚେର ଭଦ୍ରକରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଛି । ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହୋଇଛନ୍ତି ୬ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ।

ପ୍ରଥମେ ଭଦ୍ରକ ତା’ପରେ ବିଜେବି ସ୍ବୟଂଶାସିତ କଲେଜ । ଏବେ ପୁଣି ଆଉ ୬ ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି ରାଜଧାନୀ କଲେଜରୁ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ କୋଟାରେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦେଶ ପରେ ଆରମ୍ଭ ହୋଇଛି ତନାଘନା । ରାଜଧାନୀ କଲେଜର ଗତ ୩ ବର୍ଷ ମଧ୍ୟରେ ଯୁକ୍ତ ୩ଶ୍ରେଣୀରେ ମୋଟ ୨୭ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ନୟାଗଡ଼ରୁ ୩ ଜଣ, କଟକରୁ ଜଣେ ଓ ଖୋର୍ଧା ଜିଲ୍ଲାରୁ ୨ ଜଣ ଏହି ଭଳି ମୋଟ ୬ଜଣଙ୍କ ସାର୍ଟିଫିକେଟ ନକଲି ଥିବା ସ୍ପଷ୍ଟ ହୋଇଛି । ଚିହ୍ନଟ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ଜଣ ଛାତ୍ର ଓ ଜଣେ ଛାତ୍ରୀ ଥିବା ବେଳେ ସମସ୍ତେ ପ୍ରଥମ ବର୍ଷର ବୋଲି ଜଣାପଡିଛି । ଏହାକୁ ନେଇ କଲେଜ ଅଧ୍ୟକ୍ଷ୍ୟା ୬ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବିରୋଧରେ ଖଣ୍ଡିଗିରି ଥାନାରେ ଏତଲା ଦେଇଛନ୍ତି ।

"ଆମେ ଚିଠି ପାଇଁ ଉଚ୍ଚଶିକ୍ଷା ବିଭାଗର ତଦନ୍ତ ଆରମ୍ଭ କରିଥିଲୁ। ଯେଉଁ ସବୁ ଡାକ୍ତରଖାନାରୁ ସାର୍ଟିଫିକେଟ ଇସ୍ୟୁ ହୋଇଛି ସେଠି ତଦନ୍ତ ପାଇଁ ପଠାଇଥିଲୁ। ଜିଲ୍ଲା ମୁଖ୍ୟ ସିକିତ୍ସା ଅଧିକାରୀ ସେହି ଜିଲ୍ଲାର ରେକର୍ଡରେ ନାହିଁ ବୋଲି ମନା କରିଥିଲେ। ତା ପରେ କଲେଜ ତରଫରୁ ଖଣ୍ଡଗିରି ଥାନାରେ ୬ ଜଣଙ୍କ ନାମ ରେ ଏତଲା ଦେଇଛୁ,"କହିଛନ୍ତି ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସସ୍ମିତା ଷଢଙ୍ଗୀ।

ସେପଟେ ଏଭଳି ଘଟଣାକୁ ତିବ୍ର ନିନ୍ଦା କରିଛି ରାଜ୍ୟ ଦୃଷ୍ଟିହୀନ ସଂଘ । ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ଦାବି କରିଛି ସଂଘ । ଆଗକୁ ଏହି ଯାଞ୍ଚ ତ୍ବରାନ୍ବିତ ହେଲେ ଆହୁରି ଅଧିକ ନକଲି ଭିନ୍ନକ୍ଷମ ଚିହ୍ନଟ ହେବେ ବୋଲି ସଙ୍ଗଠନ ଦାବି କରିଛି ।

ଭିନ୍ନକ୍ଷମ ସାର୍ଟିଫିକେଟ ଜାଲ ଘଟଣା ପଦାକୁ ଆସିବା ପରେ ମେଡିକାଲ କଲେଜ ସମେତ ବୈଶୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି।
Published by:Soumya Das
First published: