ସୁବର୍ଣ୍ଣରେଖା‌ର କୋପ; ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏବେ ବାସହରା

ସୁବର୍ଣ୍ଣରେଖା‌ରେ ବନ୍ୟା ଯୋଗୁଁ ବାଲେଶ୍ବର ଜିଲ୍ଲାର ୪୦ ହଜାର ଉର୍ଦ୍ଧ୍ବ ଲୋକ ଏବେ ବାସହରା। ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ସୁବର୍ଣ୍ଣରେଖା‌ର କୋପରେ; ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏବେ ବାସହରା

ସୁବର୍ଣ୍ଣରେଖା‌ର କୋପରେ; ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏବେ ବାସହରା

  • Share this:
News 18 Odia Digital

ବାଲେଶ୍ବର: ବର୍ଷାର ପ୍ରକୋପ କମିଛି ସତ କିନ୍ତୁ ସୁବର୍ଣ୍ଣରେଖା‌ର କୋପ ନୁହେଁ। ବନ୍ୟାରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ସୁବର୍ଣ୍ଣରେଖା‌ର କୋପରେ ହଜାର ହଜାର ଲୋକ ଏବେ ବାସହରା ହୋଇପଡ଼ିଛନ୍ତି। ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ୪ଟି ବ୍ଲକରେ ୪୦ ହଜାର ଲୋକଙ୍କୁ ପାଣି ଘେରରୁ ସ୍ଥାନାନ୍ତର କରାଯାଇଛି। ୧୫୧ଟି ଗାଁ ପାଣି ଘେରରେ ରହିଥିବା ସରକାରୀ ତଥ୍ୟ ଭାବେ କୁହାଯାଉଥିବା ବେଳେ ଏହାଠାରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଇଛି।

ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା ଏଠାରେ ଜଳସ୍ତର ୧୧.୩୦ ମିଟର ଉପରେ ପ୍ରବାହିତ ହେଉଥିଲା। ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ସୁବର୍ଣ୍ଣରେଖାର ଉଦ୍‌ବୃତ୍ତ ଜଳରାଶି ଯୋଗୁଁ ତଳିଆ ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨ରୁ ୩ ଦିନ ଯାଏ ବନ୍ୟା ସ୍ଥିତି ଲାଗିରହିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଜଳକା ବନ୍ୟାପାଣିରେ ଭାସିଯାଇ ବସ୍ତା ଥାନା ପଳାସିଆ ଗ୍ରାମର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଲିଆପାଳ ବ୍ଲକ ବଡ଼ତାଳପଦା ଗାଁର ଜଣେ ମହିଳା ପ୍ରଖର ଜଳସ୍ରୋତରେ ଭାସିଯାଇଛନ୍ତି।

ବନ୍ୟାପ୍ରବଣ ଅଞ୍ଚଳ ଭୋଗରାଇ ବ୍ଲକରୁ ୮୩୧୨, ଜଳେଶ୍ବର ବ୍ଲକରୁ ୧୦୦୫୮, ବସ୍ତା ବ୍ଲକରୁ ୧୯୮୯, ବାଲିଆପାଳ ବ୍ଲକରୁ ୧୮୮୪୩, ବାଲେଶ୍ବର ସଦର ବ୍ଲକରୁ ୫୧୨ ଓ ରେମୁଣା ବ୍ଲକରୁ ୪୧୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ‌ଉଦ୍ଧାର ହୋଇଥିବା ଲୋକଙ୍କୁ ଆଶ୍ରୟସ୍ଥଳୀ, ଉପରମହଲାରେ ଥିବା ସ୍କୁଲ ଘର ଓ ସରକାରୀ କୋଠା ଉପରକୁ ନିଆଯାଇଛି। ୪ଟି ବ୍ଲକ‌ର ମୋଟ୍‌ ୮୦ଟି ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଥିବା ବେଳେ ସେଠାରେ ଶୁଖିଲା ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି।
Published by:Sujit Swain
First published: