ରାଜ୍ୟରେ ବଢ଼ିଚାଲିଛି ନିଶା କାରବାର; ଏଯାବତ ଜବତ ହେଲାଣି ୯ କେଜି ୮୭୪ ଗ୍ରାମ ବ୍ରାଉନସୁଗାର

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାମଲା ରୁଜୁରେ ୬୧% ବୃଦ୍ଧି ହୋଇଥିବା ବେଳେ ଗରିଫ ସଂଖ୍ୟାରେ ମଧ୍ୟ ୫୯% ବୃଦ୍ଧି ଘଟିଛି।

ରାଜ୍ୟରେ ବଢ଼ିଚାଲିଛି ନିଶା କାରବାର

ରାଜ୍ୟରେ ବଢ଼ିଚାଲିଛି ନିଶା କାରବାର

  • News18 Odia
  • Last Updated :
  • Share this:
News18 Odia Digital

କଟକ: ରାଜ୍ୟରେ ନିଶା କାରବାର ଏବେ ଏକ ଉଦବେଗ ଜନକ ସ୍ଥିତିରେ ପହଁଚିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ନିଶା ସାମଗ୍ରୀ ଜବତ ଓ ଅଭିଯୁକ୍ତ ଗରିଫ ହେବା ଭଳି ଖବର ଆସିବାରେ ଲାଗିଛି। ଏହାରି ଭିତର ନିଶା କାରବାରକୁ ନେଇ ଧରପକଡ଼ ସମ୍ପର୍କରେ ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମାନାକୁ ଆସିଛି।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଅର୍ଥାତ ଗତ ୫ ମାସ ମଧ୍ୟରେ ନିଶା କାରବାର ନେଇ ୨୩, ୯୧୭ଟି ମାମଲା ରୁଜୁ ହୋଇଥିବା ବେଳେ ମୋଟ ନିଶା କାରବାର କରିବା ଅଭିଯୋଗରେ ରେକର୍ଡ ସଂଖ୍ୟକ ୧୯,୨୭୮ ଜଣ ଲୋକଙ୍କୁ ଗରିଫ କରାଯାଇଛି। ତେବେ ଗତ ବର୍ଷ ତୁଳନାରେ ଚଳିତବର୍ଷ ମାମଲା ରୁଜୁରେ ୬୧% ବୃଦ୍ଧି ହୋଇଥିବା ବେଳେ ଗରିଫ ସଂଖ୍ୟାରେ ମଧ୍ୟ ୫୯% ବୃଦ୍ଧି ଘଟିଛି।

ସେହିଭଳି ଚଳିତ ବର୍ଷର ୫ ମାସ ମଧ୍ୟରେ ୬୭୯୧ କେଜି ଭାଙ୍ଗ ଜବତ ହୋଇଛି। ଯାହାକି ୨୦୨୧ର ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ଜବତ ହୋଇଥିବା ଭାଙ୍ଗର ପରିମାଣର ଠାରୁ ୧୫୬% ଅଧିକ। ଗତ ୫ ମାସ ମଧ୍ୟରେ ବେଆଇନ କାରବାର ସମୟରେ ମୋଟ ୭ ଲକ୍ଷ ୩୩ ହଜାର ୧୬୫ ଲିଟର କାରଖାନା ପ୍ରସ୍ତୁତ ମଦ ଜବତ ହୋଇଥିବା ବେଳେ ୮୨ ଲକ୍ଷ ୧୯ ହଜାର ୭୨୬ ଲିଟର ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି।

ଗତ ୫ ମାସ ମଧ୍ୟରେ ନିଶା କାରବାର ନେଇ ୨୩, ୯୧୭ଟି ମାମଲା ରୁଜୁ ହୋଇଛି


ବିଶେଷ କରି ବ୍ରାଉନସୁଗାର ଓ ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ସମ୍ପର୍କିତ ମାମଲାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୫ ମାସ ମଧ୍ୟରେ ଏନଡିପିଏସ ଆକ୍ଟରେ ୭୩୯ଟି ମାମଲା ରୁଜୁ ହୋଇଥିବା ବେଳେ ୮୬୫ ଜଣ ଲୋକଙ୍କୁ ଗିରଫ କରାଯାଇଛି।
ତେବେ ଏହି ସମୟ ମଧ୍ୟରେ ମୋଟ ୯ କେଜି ୮୭୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୨୧,୬୯୦ କେଜି ଗଞ୍ଜେଇ ଜବତ ହୋଇଛି। ସେହି ଭଳି ୪୧୦ ଲିଟର କଫସିରଫ୍ ଓ ୪ ହଜାର ନାଇଟ୍ରୋଜେପାମ ବଟିକା ଜବତ କରିଛି ଅବକାରୀ ବିଭାଗ। ମୁଖ୍ୟ କଥା ଏହାକି ଏପର୍ଯ୍ୟନ୍ତ ମୋଟ ୮୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ନିଶା ସାମଗ୍ରୀ ମଧ୍ୟ ଜବତ ହୋଇଛି।

ରାଜ୍ୟରେ ନିଶା କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗ ଭୂମିକା ସମ୍ପର୍କିତ ଏକ ବିଭାଗୀୟ ଆଲୋଚନାରେ ଏହି ସମସ୍ତ ବିଷୟ ସାମନାକୁ ଆସିଛି। ସୋମବାର ଦିନ ଅବକାରୀ କମିଶନର ଆଶିଷ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ଅବସରରେ ବିଭାଗୀୟ ଅଧିକାରୀମାନେ ଏହି ତଥ୍ୟ ଉପସ୍ଥାପନ କରିଥିଲେ।

ତେବେ ବୈଠକ ଅବସରରେ ନିଶା କାରବାରକୁ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର ଆଶିଷ ସିଂ।
Published by:Lipina Das
First published: