News18 Odia Digital
Bus Driver Strike: ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଆମେ ଖୁସି ନୁହଁ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ.. ଆଜି ଏକ ଭିଡିଓ ବାର୍ତ୍ତା ରିଲିଜ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସଂଘ ସଭାପତି ।
ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏ ନେଇ ସୂଚନା ଦେଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ କର୍ମକର୍ତ୍ତାଙ୍କୁ ନିବେଦନ କରିଛନ୍ତି ପ୍ରକାଶ ମେଣ୍ଡୁଲି ।
ଗତ ୩ ଦିନ ହେଲା ୧୦ ଦଫା ଦାବି ପୂରଣ ନିମନ୍ତେ ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ଏହି ବିବାଦର ସମାଧାନ ନିମନ୍ତେ ଗତକାଲି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡ୍ରାଇଭର ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କରିବା ସହ ୩ ମାସ ମଧ୍ୟରେ ଦାବି ପୂରଣ ନିମନ୍ତେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।
ଅନ୍ଯପଟେ, ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଡ୍ରାଇଭରଙ୍କ ବିଶାଳ ମେଳି ହୋଇଛି। ଡ୍ରାଇଭର ମହାସଂଘ ପକ୍ଷରୁ ସାରା ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲାର ପ୍ରମୁଖ ଛକ ଚଣ୍ଡିଖୋଲ ଛକରେ ଡ୍ରାଇଭର ମାନଙ୍କର ଏକ ବଡ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ଜିଲ୍ଲାର ଶହଶହ ଡ୍ରାଇଭର ଏକତ୍ରିତ ହୋଇ ଚଣ୍ଡିଖୋଲ ଛକରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଡ୍ରାଇଭର ମାନଙ୍କ 10 ଦଫା ଦାବି ନେଇ ଡ୍ରାଇଭର ମାନେ ଏହି ଆନ୍ଦୋଳନ କରିଛନ୍ତି। ତେବେ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଦେଇ ଗାଡି ଚଳାଚଳ ସ୍ୱାଭାବିକ ରହିଛି। ଡ୍ରାଇଭର ମାନଙ୍କ ନ୍ୟାର୍ଯ୍ଯ ଦାବି ଗୁଡିକ ସରକାର ପୂରଣ କରିବା ପାଇଁ ଡ୍ରାଇଭର ମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। ସ୍ଥିତିକୁ ନଜର ରଖି ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।
ସେହିଭଳି କଟକରେ ଡ୍ରାଇଭର ଏକତା ମଞ୍ଚ ର ଆନ୍ଦୋଳନ ଜାରୀ। ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ହୋଇଛି। ସରକାର ଦାବି ପୂରଣ କଲେ ପ୍ରତ୍ୟାହୃତ ହେବ ଆନ୍ଦୋଳନ। ପୂର୍ବରୁ ସରକାର ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ ମଧ୍ଯ ଜାରି ରହିଛି ଡ୍ରାଇଭରଙ୍କ ଆନ୍ଦୋଳନ । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଅନେକ ଗାଡ଼ି । ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି ଡ୍ରାଇଭର ସଂଘ । ଦୁଇ ଦିନ ହେବ ଚାଲିଥିବା ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି । ଅଞ୍ଚଳରେ ଉତ୍ତେଜନା ବ୍ୟାପକ ହୋଇଛି । ପୋଲିସ ଫୋର୍ସ ମୁତୟନ । ସରକାରଙ୍କ ୩ମାସ ସମୟକୁ ବିରୋଧ କରୁଛନ୍ତି ଡ୍ରାଇଭର । ଯାହା ସରକାର କରିବେ ଏବେ କରନ୍ତୁ ବୋଲି ଦାବି କରିଛନ୍ତି ଡ୍ରାଇଭର ସଂଘ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।