ଡିଆରଡିଓ ତଥ୍ୟ ଲିକ ମାମଲା: ସାମ୍ନାକୁ ଆସିଲା ଆଉ ଜଣେ ରହସ୍ୟମୟୀ ମହିଳାଙ୍କ ସମ୍ପୃକ୍ତି

ହନିଟ୍ରାପ୍ର ମାୟାଜାଲରେ ଛନ୍ଦି ହୋଇଥିବା ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିର ଅଭିଯୁକ୍ତଙ୍କ ଯୁବତୀ ଲିଙ୍କ୍ରେ ନୂଆ ଟ୍ୱିଷ୍ଟ । ପୁଣି ଜଣେ ଯୁବତୀଙ୍କ ସହ ଟଙ୍କା କାରବାରର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ ।

DRDO ତଥ୍ୟ ଲିକ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି (ପ୍ରତୀକାତ୍ମକ ଛବି)

DRDO ତଥ୍ୟ ଲିକ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ହନିଟ୍ରାପ୍‌ର ମାୟାଜାଲରେ ଛନ୍ଦି ହୋଇଥିବା ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିର ଅଭିଯୁକ୍ତଙ୍କ ଯୁବତୀ ଲିଙ୍କ୍‌ରେ ନୂଆ ଟ୍ୱିଷ୍ଟ । ପୁଣି ଜଣେ ଯୁବତୀଙ୍କ ସହ ଟଙ୍କା କାରବାରର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ଏଥର ଲିଙ୍କ୍ ଆସିଛି ମାୟାନଗରୀ ମୁମ୍ବାଇରୁ ।

ପୂର୍ବରୁ ଏହି ମାମଲାରେ ଜଣେ ପାକିସ୍ତାନୀ ମହିଳାଙ୍କୁ ଭୁମିକାକୁ ନେଇ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏବେ ଆଉ ଜଣେ ରହସ୍ୟମୟୀ ମହିଳାଙ୍କ ଭୁମିକା ସମ୍ପର୍କରେ ସୁରାକ ପାଇଛି । ସମ୍ପୃକ୍ତ ମହିଳା ଜଣଙ୍କ ନିଜକୁ ବାଲେଶ୍ବର ବାସିନ୍ଦା ଓ ଦୁବାଇରେ ଚାକିରି କରିଥିବା କହି ଏହି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ସହ ଅର୍ଥ କାରବାର କରିଥିଲେ । ସମ୍ପୃକ୍ତ ମହିଳାଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତ ଜଣକ ଗତ ଏପ୍ରିଲ ମାସ ୧୮ ତାରିଖ ଦିନ ୩୦ ହଜାର ଓ ୧୦ ହାଜର କରି ଦୁଇଟି କିସ୍ତିରେ ୪୦ ହଜାର ଟଙ୍କା ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟରେ ଟିପୋଜିଟ କରିଥିଲେ । ବଡ଼ କଥା ହେଉଛି ଏହି ଦୁଇଟିଯାକ ଆକାଉଣ୍ଟ ମୁମ୍ବାଇର ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କରେ ରହିଛି ଓ ଦୁଇ ଜଣ ପୁରୁଷଙ୍କ ନାମରେ ଦୁଇଟି ଯାକ ଖାତା ଖୋଲାଯାଇଛି । ତେବେ ଟଙ୍କା ପାଇବା ଗୋଟିଏ ଦିନ ପରେ ମହିଳା ଜଣଙ୍କ ସମସ୍ତ ଟଙ୍କାକୁ ଅଭିଯୁକ୍ତକୁ ଫେରାଇ ଦେଇଥିଲେ ।

"ମୁମ୍ବାଇର କେଉଁ ଦୁଇଜଣ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହୋଇଥିଲା ତାର ଛାନଭିନ୍ ଆମେ ଆରମ୍ଭ କରିଛୁ । ଏନେଇ କ୍ରାଇମବ୍ରାଞ୍ଚ ଗୋଟିଏ ଟିମ ଖୁବ ଶିଘ୍ର ମୁମ୍ବାଇ ଯିବ । ଏହା ସହିତ କେଉଁ ସ୍ଥାନରୁ ଟଙ୍କା ଡିପୋଜିଟ୍ ହୋଇଛି ତାର ବି ତଦନ୍ତ ଆରମ୍ଭ କରିଛୁ । ସେହି ବ୍ୟାଙ୍କର ସେହି ସମୟର ସିସିଟିଭି ଫୁଟେଜ୍ ଯଦି ଥିବ ତାକୁ ବି ଯାଞ୍ଚ କରିବୁ । କେଉଁ ଲୋକ ଏହି ଟଙ୍କା ଡିପୋଜିଟ କରିଛି ସେ ସମ୍ପର୍କରେ ବି ଅନୁସନ୍ଧାନ କରିବୁ" କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ।



କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସମ୍ପୃକ୍ତ ଅଜ୍ଞାତ ମହିଳା ଜଣଙ୍କ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବସନ୍ତ ବେହେରାକୁ ଟଙ୍କା ମାଗିଥିଲେ । ବସନ୍ତ ବେହେରା ହିଁ ସମ୍ପୃକ୍ତ ଅଜ୍ଞାତ ମହିଳାଙ୍କ କଥାରେ ପଡ଼ି ବାଲେଶ୍ବର ସ୍ଥିତ ଏକ ଘରୋଇ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟରୁ ମୁମ୍ବାଇର ଦୁଇଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା । ତେବେ ନିର୍ଦ୍ଧିଷ୍ଟ ଭାବେ ଏହି ଟଙ୍କା କାରବାର ପଛର ପ୍ରକୃତ କାରଣ କଣ ତାହା ଏବେ ବି ଅସ୍ବଷ୍ଟ ରହିଥିବା ବେଳେ ହୁଏ ତ ବସନ୍ତ ବେହେରାର ବିଶ୍ବାସନୀୟତାକୁ ପରିକ୍ଷା କରିବା ପାଇଁ ଏହି କାରବାର ହୋଇଥିବା ସନ୍ଦେହ କରାଯାଉଛି ।

ଏହି ମାମଲାରେ ପ୍ରଥମେ ଜଣେ ପାକିସ୍ତାନୀ ମହିଳାଙ୍କ ସମ୍ପୃକ୍ତି ଆସିବା ପରେ ଗରିଫ ହୋଇଥିବା ଅଭିଯୁକ୍ତମାନେ ହନି ଟ୍ରାପରେ ପଡ଼ିଥିବା କଥା ସାମନାକୁ ଆସିଥିଲା । ସେହି ପାକିସ୍ତାନୀ ମହିଳା ଜଣକ ଗିରଫ୫ ଜଣଙ୍କ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ହ୍ବାଟ୍ସଆପ ଚାଟ୍ କରିବା ଓ  ହ୍ବାଟ୍ସଆପ ମଧ୍ୟରେ ଡିଆରଡିଓର ଗୁପ୍ତ ତଥ୍ୟ ସଂଗ୍ରହ କରିଥିବା ପୂର୍ବରୁ ସ୍ପଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ ।

କିନ୍ତୁ ଏହି ଦ୍ବିତୀୟ ମହିଳା ଜଣଙ୍କ କେଉଁ ଉପାୟରେ ଅଭିଯୁକ୍ତମାନଙ୍କ ସହିତ ଯଡ଼ିତ ଥିଲେ? ସେ ମଧ୍ୟ କିଛି ଗୁପ୍ତ ତଥ୍ୟ ପାଇଛନ୍ତି କି? ସମ୍ପୃକ୍ତ ମହିଳା ଜଣଙ୍କ କେଉଁ ବିଦେଶୀ ଶକ୍ତି ଦ୍ବାରା ପରିଚାଳିତ ଥିଲେ? ଏହି ସବୁ ପ୍ରଶ୍ନ ଏବେ ଉତ୍ତର ଅପେକ୍ଷାରେ ରହିଛି । ସେପଟେ ଏହି ଘଟଣାର ଆନ୍ତଜାତିୟ ଲିଙ୍କ ଥିବାରୁ ଏହାର ତଦନ୍ତ ଅତି ସତର୍କତାର ସହ ହେବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ।

"ଏଥିରୁ ଯାହା ଜଣା ପଡ଼ୁଛି ଓ ଆମେ ଯାହା ସନ୍ଦେହ କରୁଥିଲୁ ଯେ ଏହା ଏକ ଅନ୍ତର୍ଜାତୀୟ ସ୍ତରକୁ ଯାଇଥିବା ଏକ ଅପରାଧ । ଏହି ଭଳି ଅପରାଧର ପର୍ଦ୍ଦାଫାସ କରିବା ପାଇଁ ଉଚ୍ଚତର ତଥା ଏହି ଭଳି ମାମଲାରେ ଅଭିଜ୍ଞତା ରଖୁଥିବା ସଂସ୍ଥା ଦ୍ବାରା ଏହାର ତଦନ୍ତ କରିବା କଥା । ତା ହେଲେ ଯାଇ ଏହା ଏକ ନିର୍ଯ୍ୟାସକୁ ପହଁଚି ପାରିବ । ଅଭିଯୁକ୍ତମାନେ ଖୁବ ଶିଘ୍ର ଧରା ପଡ଼ିବେ । ତଥାପି ଆଶା କରିବା ଯେ କ୍ରାଇମବ୍ରାଞ୍ଚ ଏହା ପଛରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଧରିପାରିବ" କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶରତ ସାହୁ  ।
Published by:Soumya Das
First published: