News18 Odia Digital
ଭୁବନେଶ୍ବର: ଓଡ଼ିଶା ପାଇଁ ଗର୍ବ ଦ୍ରୌପଦୀ ମୁର୍ମୁ। ହେଲେ ଆଜି ଦ୍ରୌପଦୀଙ୍କ ପାଇଁ ଗର୍ବିତ ତାଙ୍କ ସ୍କୁଲ ଓ କଲେଜ। ସ୍କୁଲରେ ନାହାଁନ୍ତି ତାଙ୍କ ସମୟର ଶିକ୍ଷକ ଶିକ୍ଷୟିତ୍ରୀ କି କର୍ମଚାରୀ କିନ୍ତୁ ଆଜି ତାଙ୍କୁ ନେଇ ଗର୍ବିତ ସ୍କୁଲର ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ଆଜି ବି ସ୍କୁଲ ରେଜିଷ୍ଟ୍ରାରରେ ରହିଛି ତାଙ୍କ ହସ୍ତାକ୍ଷର ଆଉ ସ୍କୁଲ ମାଗଜିନରେ ତାଙ୍କର ସ୍ମୃତି। ଦ୍ରୌପଦୀଙ୍କୁ ନେଇ ସ୍କୁଲରେ ଚାଲିଛି ସେଲିବ୍ରେଶନ।
ଗତକାଲି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ଖୁସି ମନାଉଛି ସାରା ଓଡ଼ିଶା। ଗାଁ ଠୁ ସହର ସମସ୍ତେ ଗର୍ବିତ। ରାଜଧାନୀ ଭୁବନେଶ୍ବରରେ ରହିଛି ତାଙ୍କର ଅଲିଭା ସ୍ମୃତି। ସ୍କୁଲ ଓ କଲେଜ କ୍ୟାରିୟରରେ ଭୁବନେଶ୍ୱରର ଅବଦାନ ଅତୁଳନୀୟ। ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମଲେଖାଇ ଆସିଥିଲେ ଭୁବନେଶ୍ୱର। ୧୯୭୪ ମସିହାରେ ସ୍କୁଲରୁ ଏକାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେୋଇଥିଲେ।
ଅଷ୍ଟମ ରୁ ଏକାଦଶ ସ୍କୁଲରେ ଥିବା କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସରେ ରହି ଅଧ୍ୟୟନ କରିଥିଲେ ଦ୍ରୌପଦୀ। ପଢ଼ିବା ସମୟରେ ବେଶ ପରିଶ୍ରମୀ ଓ ଚଳଚଞ୍ଚଳ ଥିଲେ ସେ। ନିଜେ ପଢ଼ିବା ସହ ଅନ୍ୟଙ୍କୁ ମଧ୍ୟ ପଢ଼ାଉଥିଲେ। ସେ ସମୟରେ ନିଜ ହାତରେ ନିଜ କାମ କରି ପାଠ ପଢ଼ି ଆଜି ଯେଉଁ ସଫଳତା ଲାଭ କରିଛନ୍ତି ସେଥିପାଇଁ ସାରା ସ୍କୁଲ ଆଜି ଗର୍ବିତ।
ବର୍ତ୍ତମାନ ସେ ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟ ଆଲୁମିନି ସଦସ୍ୟ ରହିବା ସହ ସ୍କୁଲର ଡାଇମଣ୍ଡ ଜୁବଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ତାଙ୍କୁ ନେଇ ଗର୍ବିତ ଛାତ୍ରଛାତ୍ରୀ ଓ ତାଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି କହିଛନ୍ତି।
"ରାଇରଙ୍ଗପୁରରୁ ରାଇସିନାର ସ୍ୱପ୍ନ ସାକାର କରିଥିବା ଓଡ଼ିଆ ଝିଅ ଆମ ସ୍କୁଲର ସେ କଥା ଜାଣିବା ପରଠାରୁ ଆମେ ସମସ୍ତେ ବହୁତ ଖୁସି। ଏ ସ୍କୁଲର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କ ଆନନ୍ଦ କହିଲେ ନ ସରେ। ଆମ ସ୍କୁଲ ଆଉରି ଉନ୍ନତି କରିବ ସେ ଆଶା ମଧ୍ୟ ଅନେକ ରହିଛି," ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କଲ୍ୟାଣି ମିଶ୍ର।
‘‘ମୁଁ ବି ମୟୁରଭଞ୍ଜରୁ। ମୁଁ ବି ତାଙ୍କରି ସ୍କୁଲରେ ସେହି ହଷ୍ଟେଲରେ ରହି ପଢୁଛି। ଆଜି ବହୁତ ଖୁସି ଲାଗୁଛି। ଆମେ ବି ଦିନେ ଉଚ୍ଚ ଆସନ ପାଇବୁ ଓ ଦେଶ ପାଇଁ ଗୌରବ ଆଣିବୁ,’’ ଏମିତି ଆଶା ରଖୁଛନ୍ତି ଛାତ୍ରୀ ଦିବ୍ୟଜ୍ୟୋତି ସୋରେନ।
ସ୍କୁଲ କ୍ୟାରିୟର ପରେ ସେବେକାର ରମାଦେବୀ ମହିଳା ମହାବିଦ୍ୟାଳରେ କଲେଜ ଶିକ୍ଷା ଲାଭ କରିଥିଲେ ମୁର୍ମୁ। ୧୯୭୫ ରୁ ୧୯୭୯ ମସିହାରେ ସେ ଅଧ୍ୟୟନ କରିଥିଲେ। ସେତେବେଳ ସେ କଲାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଅର୍ଥନୀତି ବିଷୟ ନେଇ ପାଠ ପଢୁଥିବାବେଳେ ମେଧାବୀ ଓ ଉତ୍ତମ ସ୍ୱଭାବର ଥିଲେ ସେ। ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିବାବେଳେ ରମା ଦେବୀ ମହାବିଦ୍ୟାଳୟ ସ୍ମରଣୀକାରେ ନିଜ କଲେଜ ସମୟର ସ୍ମୃତି ଲେଖିଥିଲେ।
ସ୍ମୃତିରୁ ଖିଏ ଶୀର୍ଷକ ଲେଖାରେ ସେ ଭୁବନେଶ୍ୱରରେ ୮ ବର୍ଷ ରହି ପାଠ ପଢ଼ିବାର ସୌଭାଗ୍ୟ ପ୍ରାପ୍ତି କଥା ବର୍ଣ୍ଣନା କରିଛନ୍ତି। ସ୍ନାତକ ପରେ ପାଦପଢ଼ା ସାରି ସଚିବାଳୟରେ କିରାଣୀ ଭାବେ କାର୍ଯ୍ୟରେ ଯୋଗ ଦେବା ମଧ୍ୟ ଉଲ୍ଲେଖ କରିଛନ୍ତି। ଏଭଳି ଜଣେ ମହିଳା ରମାଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଆଜି ଦେଶର ପ୍ରଥମ ନାଗରିକ ହେବା ନେଇ ବେଶ ଗର୍ବିତ ଅନୁଭବ କରିଛି ଆଜିର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ।
"ସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ସମସ୍ତେ ଆଜି ଗର୍ବିତ ଏଭଳି ଏକ ଖବର ନେଇ। ରମାଦେବୀର ଛାତ୍ରୀ ହେବେ ଦେଶର ପ୍ରଥମ ନାଗରିକ। ଝାଡ଼ଖଣ୍ଡର ରାଜ୍ୟପାଳ ହେବା ପରେ ଆମେ ଅନେକ ଖୁସି ଥିଲୁ ଆଜି ସେ ଖୁସି ଦ୍ବିଗୁଣିତ ହୋଇଛି," କହିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ।
ଦେଶର ପ୍ରଥମ ନାଗରିକ ହେବେ ପ୍ରଥମ ଓଡ଼ିଆ ମହିଳା। ଯାହାକୁ ନେଇ ଆଜି ସମସ୍ତେ ଗର୍ବିତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।