ଦଳ ବଦଳିଲେ ଚ଼ରିତ୍ର ବଦଳେ? ଡବଲ୍ ମର୍ଡର୍ ଅଭିଯୁକ୍ତ ଅନୁପ ସାଏଙ୍କୁ ନେଇ ରାଜ୍ୟ ରାଜନୀତିରେ ଗୁଞ୍ଜରଣ

‘‘କଂଗ୍ରେସରେ ଥିବା ବେଳେ ସେ (ଅନୁପ ସାଏ) ଏମିତି ନ ଥିଲେ… ବିଜେଡିରେ ମିଶିଲାରୁ ସବୁ ବଦଳି ଗଲା,’’ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି: ‘‘ବିଜେଡିକୁ ଆସିଲେ ଆଚ଼ରଣ ଉଚ୍ଚାରଣ ସବୁ ସଂଶୋଧନ ହୋଇଥାଏ’’ ।

ଦଳ ବଦଳିଲେ ଚ଼ରିତ୍ର ବଦଳେ? ଡବଲ୍ ମର୍ଡର୍ ଅଭିଯୁକ୍ତ ଅନୁପ ସାଏଙ୍କୁ ନେଇ ରାଜ୍ୟ ରାଜନୀତିରେ ଗୁଞ୍ଜରଣ
କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ଫାଇଲ୍‌ ଫଟୋ; (ଡାହାଣ) ଅନୁପ ସାଏ
  • News18 Odia
  • Last Updated: February 16, 2020, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜ ଲିଭ୍‌-ଇନ୍‌ ପ୍ରେମିକା ଓ ତାଙ୍କ ୧୪ ବର୍ଷର ଝିଅକୁ ନିର୍ମମଭାବେ ରଡ୍‌ରେ ପିଟି ହତ୍ୟା କରିବା ପରେ ଦୁହିଁଙ୍କ ଉପରେ ବୋଲେରୋ ଗାଡ଼ି ଚ଼ଢ଼େଇଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ନେତା ଅନୁପ ସାଏଙ୍କୁ ନେଇ ରାଜ୍ୟର ରାଜନୈତିକ ଆସରରେ ଚ଼ାଲିଛି ଗରମ ଚ଼ର୍ଚ୍ଚା ।

ଛତିଶଗଡ଼ ପୋଲିସ ଦ୍ୱାରା ଗିରଫ ହେବା ପରେ ଅନୁପ ସାଏ ଏବେ ସେ ରାଜ୍ୟର ଏକ ଜେଲରେ ଅଛନ୍ତି । ୨୦୧୬ରେ ହୋଇଥିବା ଏହି ଜଘନ୍ୟ ହତ୍ୟାକାଣ୍ଡରେ ନିଜ ସମ୍ପୃକ୍ତି ବିଷୟରେ ସେ ସବୁ କଥା ସ୍ୱୀକାର କରିଛନ୍ତି ବୋଲି କହିଛି ଛତିଶଗଡ଼ ପୋଲିସ ।

ବ୍ରଜରାଜନଗରରୁ ପୂର୍ବରୁ ତିନି ଥର କଂଗ୍ରେସ ଦଳରୁ ବିଧାୟକ ରହିଥିବା ଅନୁପ ସାଏ ଗିରଫ ହେବା ସମୟରେ ଓଡ଼ିଶାର ଶାସକ ଦଳ ବିଜେଡିର ଜଣେ ନେତା ଥିଲେ ଓ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ପଦରେ ଆସୀନ ଥିଲେ । ସେ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିଲେ । ସେ ଗିରଫ ହେବା ଦିନ ହିଁ ବିଜେଡି ତାଙ୍କ ଠାରୁ ସେ ପଦ ଛଡ଼େଇ ନେଇ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା ।

‘‘ବ୍ୟକ୍ତି ଦଳ ବଦଳଇଲେ ତା’ ଚ଼ରିତ୍ର ବଦଳି ଥାଏ । କଂଗ୍ରେସରେ ଥିବା ବେଳେ ସେ (ଅନୁପ ସାଏ) ଏମିତି ନ ଥିଲେ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା । ‘‘ଏଭଳି ଲୋକଙ୍କୁ ଆଇନ ଅନୁସାରେ କଡ଼ାରୁ କଡ଼ା ସଜା ହେବା ଦରକାର । ସେ ବିଜେଡିର ଅଫିସ ବିଅରର ଥିଲେ । ପଣ୍ୟାଗାର ନିଗମର ଅଧ୍ୟକ୍ଷ ରୂପେ କ୍ୟାବିନେଟ ପାହ୍ୟା ଉପଭୋଗ କରୁଥିଲେ । ଏମିତି ଲୋକ ସମାଜରେ ରହିବା ଉଚ଼ିତ ନୁହେଁ । ସେ କଂଗ୍ରେସରେ ଥିବା ସମୟରେ ତାଙ୍କ ଆଚ଼ରଣ ଉଚ୍ଚାରଣ ଭଲ ଥିଲା । ବିଜେଡିରେ ମିଶିଲାରୁ ସବୁ ବଦଳି ଗଲା,’’ ସେ କହିଛନ୍ତି ।

ସାଲୁଜା ପୁଣି କହିଛନ୍ତି: ‘‘ମୁଁ ଭାବୁଛି ଜଣେ ରାଜନେତା ଏମିତି ଜଘନ୍ୟ କାଣ୍ଡ କରିପାରନ୍ତି ବୋଲି ଓଡିଶାରେ କେହି କେବେ ଭାବି ନ ଥିବେ । ଛତିଶଗଡ଼ର ରାୟଗଡ ଏସ୍‌.ପି.ଙ୍କ ଷ୍ଟେଟମେଣ୍ଟ ଦେଖି ମୁଁ ଜାଣିଲି ଯେ ଏହି ମା’ ଓ ଝିଅଙ୍କ ହତ୍ୟା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଷଡଯନ୍ତ୍ର କରି କରାଯାଇଥିଲା ବୋଲି ।’’

ଅନୁପ ସାଏଙ୍କର କଳ୍ପନା ଦାସ ନାମକ ସ୍ୱାମୀ-ପରିତ୍ୟକ୍ତା ମହିଳାଙ୍କ ସହ ବ୍ରଜରାଜନଗରରେ ପ୍ରେମ ହୋଇଥିଲା । ଦୁହେଁ ଭୁବନେଶ୍ବରରେ ଲିଭ୍ ଇନ୍ ସମ୍ପର୍କରେ ରହୁଥିଲେ, ଆଉ ଛତିଶଗଡ଼ରେ କଳ୍ପନା ଓ ତାଙ୍କ ଝିଅର ମର୍ଡର ହୋଇଥିଲା । ଲୁହା ରଡରେ ପିଟି ପିଟି ଦୁଇ ଜଣଙ୍କୁ ହତ୍ୟା କରିବା ପରେ ମୃତ ଦେହର ପରିଚ଼ୟ ଛପେଇ ରଖିବା ପାଇଁ ତାଙ୍କ ଉପରେ ବାରମ୍ବାର ମଡ଼ାଯାଇଥିଲା ବୋଲୋରୋ ଗାଡ଼ି । ୨୦୧୬ରେ ହୋଇଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ଖୁଲାସା କରିଥିଲା ଛତିଶଗଡ଼ ରାଇଗଡ଼ର ପୋଲିସ ।

‘‘ଅନୁପ ସାଏ ଜଣେ ଐତିହସମ୍ପନ୍ନ ପରିବାରର ଦାୟଦ । ସେ ଏଭଳି ଜଘନ୍ୟ କାମ କରିଥିବେ… ଏହାକୁ ଭାଷାରେ ବର୍ଣ୍ଣନା କରିହେବନି । ଏହା ଏକ ଅତି ସମ୍ବେଦନଶୀଳ ମାମଲା । ଏମିତି ବିଭତ୍ସ କାଣ୍ଡ ଯାହାକୁ ଭାବନାରେ ବି ଆଣି ହେଉନି,’’ କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠି ।

ଶାସକ ଦଳ ବିଜେଡିର ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ରାଜନୈତିକ ଦଳ ଓ ବ୍ୟକ୍ତିର ଚ଼ରିତ୍ର ବିଷୟରେ ସାଲୁଜାଙ୍କ ବିବୃତିକୁ ଖଣ୍ଡନ କରିଛନ୍ତି । ‘‘ସେ (ଅନୁପ) ବିଜେଡିରେ ଥିଲେ ସତ, ହେଲେ ଲୁଚେଇକି କେଉଁଠି ମଣିଷ ମାରିଥିବା କଥା ବିଜେଡି ଜାଣିପାରି ନ ଥିଲା । ଯେବେ ନଜରକୁ ଆସିଲା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଲା । ସେ ଲୁଚେଇକି ହତ୍ୟା କରିଥିଲେ । ତାହା ଧରିବାକୁ ଛତିଶଗଡ ପୋଲିସକୁ ଚ଼ାରି ବର୍ଷ ଲାଗିଗଲା…’’ ସେ କହିଛନ୍ତି ।

‘‘ବିଜେଡିକୁ ଆସିଲେ ଆଚ଼ରଣ ଉଚ୍ଚାରଣ ସବୁ ସଂଶୋଧନ ହୋଇଥାଏ । କଂଗ୍ରେସରେ ରହି ଆଚରଣ ଉଚ୍ଚାରଣ ଭୁଲ୍‌ ହୋଇଯାଉଛି । ସାଲୁଜା ବିଜେଡିକୁ ପଳାଇ ଆସିଲେ ତାଙ୍କ ଉଚ୍ଚାରଣ ବି ଠିକ୍‌ ହୋଇଯିବ,’’ କହିଛନ୍ତି ମଲ୍ଲିକ ।
First published: February 16, 2020, 10:06 PM IST
corona virus btn
corona virus btn
Loading