News 18 Odia Digital
ବଲାଙ୍ଗିର: ପେଷା ରୋଗୀସେବା ନିଶା କିନ୍ତୁ ଅଭିନୟ । ଦିନରେ ବ୍ୟସ୍ତବହୁଳ ରୋଗୀ ସେବା, ରାତିରେ ମୁହଁରେ ରଙ୍ଗ ମାଖି ମଞ୍ଚରେ ଅଭିନୟ । ବଲାଙ୍ଗୀର ଜିଲ୍ଲାର ପରିଚିତ ଡାକ୍ତର ରୁନ୍ଦ୍ର ନାରାୟଣ ପଟେଲ । ଦିନରେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟ (hospital)ରେ ରୋଗୀ ଦେଖନ୍ତି, ଆଉ ରାତିରେ ସାଜିଥାନ୍ତି ରାବଣ । ବଲାଙ୍ଗୀରରେ ପାଳନ କରାଯାଉଥିବା ରାମଲୀଳାରେ ଏଥର ରାବଣ ଭୂମିକାରେ ଅଭିନୟ କରୁଛନ୍ତି ଡାକ୍ତର ।ଆଉ ଡିଜିଟାଲ ଦୁନିଆରେ ବି ପାମ୍ପରିକ କଳାକୁ ବଞ୍ଚାଇ ରଖିଛନ୍ତି ।
ସଂଳାପ ଓ ଅଟ୍ଟହାସ୍ୟରେ କମ୍ପାଇଦିଅନ୍ତି ମଞ୍ଚ । ମଞ୍ଚରେ ସେ ପାଦ ଦେଲେ ବଦଳିଯାଏ ଚରିତ୍ର । କୌଣସି ପେଷାଦାର ଅଭିନେତାଙ୍କଠୁ ବି କମ ନୁହେଁ ତାଙ୍କ ଅଭିନୟ । ଜଣେ ନାମ କରା ଡାକ୍ତରଙ୍କ ରାବଣ ଚରିତ୍ରରେ ନିଖୁଣ ଅଭିନୟ (acting) ଦେଖି ଦର୍ଶକ ବି ବିଭୋର ହୋଇଯାଆନ୍ତି । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗରେ ରୋଗୀ ଦେଖନ୍ତି । ହେଲେ କଳା, ଅଭିନୟ ପ୍ରତି ଥିବା ଇଛା ତାଙ୍କୁ ସଜେଇ ଦେଇଛି ରାବଣ । ଦିନରେ ବ୍ୟସ୍ତବହୁଳ ରୋଗୀ ସେବା, ରାତିରେ ମୁହଁରେ ରଙ୍ଗ ମାଖି ମଞ୍ଚରେ ଅଭିନୟ । ଜଣେ ନମ୍ର ସ୍ୱଭାବୀ ଓ ମିଷ୍ଟଭାଷୀ ଡାକ୍ତରରୁ ମହାପରାକ୍ରମୀ ରାବଣ ଚରିତ୍ରରେ ଅଭିନୟ । ଆଜିକୁ ଦୀର୍ଘ ୧୫ ବର୍ଷ ହେବ ହଜି ଯାଇଥିବା ପୁରୁଣା ଲୋକକଳା ରାମଲୀଳାକୁ ପୁନର୍ଜିବିତ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ରାମଜୀପଡ଼ାରେ ନିଜେ ମଞ୍ଚକୁ ଓହ୍ଲାଇଛନ୍ତି ସ୍ତ୍ରୀ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ରୂଦ୍ର ନାରାୟଣ ପଟେଲ । ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି ।
ଦିନରେ ଡାକ୍ତରୀ ଭଳି ଦାୟିତ୍ୱପୂର୍ଣ୍ଣ ବୃତ୍ତି ଓ ରାତିର ମଞ୍ଚକଳା ଭିତରେ ସମାନ୍ତରାଳ ରେଖା ଟାଣି ପାରିଥିବା ରୂଦ୍ରନାରାୟଣଙ୍କ ଏହି ଝୁଙ୍କ ପଛରେ ଅଛି କିଛି ମହତ ଉଦ୍ଦେଶ୍ୟ । ସ୍ଥାନୀୟ ରାମଜୀପଡ଼ାରେ ଆଗରୁ ବର୍ଷ ବର୍ଷ ଧରି ରାମଲୀଳା ମଞ୍ଚସ୍ଥ ହୋଇ ଆସୁଥିଲା । କିନ୍ତୁ ଆଧୁନିକତାର ଚାକଚକ୍ୟ ଭିତରେ ପୁରୁଣା ପରମ୍ପରା ଓ ଲୋକକଳା ହଜିଯିବା ଭଳି ବାର୍ଷିକ ରାମଲୀଳା ଉତ୍ସବ ବି ବନ୍ଦ ହୋଇଯାଇଥିଲା । ହେଲେ ଡାକ୍ତର ରୂଦ୍ରନାରାୟଣଙ୍କ ଭିତରେ ପିଲା ବେଳୁ ଥିବା ଦୁର୍ବଳତା ତାଙ୍କ ଭିତରେ ଏ କଳାକୁ ପୁଣି ଉଜ୍ଜିବୀତ କରିଥିଲା । ନୂଆ ପିଢ଼ୀର କିଛି ଲୋକଙ୍କୁ ଏକାଠି କରି ତାଙ୍କରି ନେତୃତ୍ୱରେ ଏ ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ରାମଲୀଳା । ରାଜାରାଜୁଡ଼ା ଅମଳରୁ ହୋଇଥିବା ରାମଲୀଳା ଉତ୍ସବକୁ ବଜାୟୀ ରଖିଛନ୍ତି ରାମଜୀ ନାଟ୍ୟ ପରିଷଦ । ସବୁଠୁ ବଡ କଥା ହେଉଛି ଏଠାରେ ବ୍ୟବହାର କରାଯାଉଥିବା ମୁଖା କାଠରେ ତିଆରି । ପ୍ରତିଦିନ ରାମଳୀଳା ଦେଖିବାରୁ ୫ ହଜାର ରୁ ଅଧିକ ଲୋକଙ୍କ ସମାଗମ ହେଉଛି ।
ବଲାଙ୍ଗିର ରାମଲୀଳାରେ ଷଢେଇକଳାର ଛାପ । କାଠରେ ନିର୍ମିତ ମୁଖାଗୁଡିକୁ ମାୟା ମୃଗ, ଜଟାୟୁ, ଜାମ୍ବବାନ ଓ ରାବଣ ଭଳି ଚରିତ୍ର ପିନ୍ଧି ଅଭିନୟ କରିବା ଦର୍ଶକଙ୍କ ମନ ଜିଣୁଛି । ଆଉ ବିଶେଷ ଆକର୍ଷଣ ସାଜିଛନ୍ତି ଡାକ୍ତର ରୁଦ୍ର ନାରାୟଣ ପଟେଲ । ଦିନବେଳା ଡାକ୍ତର,ରାତିରେ ପାଲଟିଯାଉଛନ୍ତି ଦଶମୁଣ୍ଡିଆ ରାବଣ ।
ରିପୋର୍ଟ- ଚନ୍ଦ୍ରଭାନୁ ମୋଲଣା
ଏହି ଖବର ପଢ଼ନ୍ତୁ -
5G Download speed: Jio ଶୀର୍ଷରେ.. ଗ୍ରାହକଙ୍କୁ ମିଳୁଛି ହାରାହାରି ୩୧୫mbps speedPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।