ଅପୁରଣୀୟ ଇଚ୍ଛାକୁ ପିଲାଙ୍କ ଉପରେ ଲଦିବା ଠିକ୍ ନୁହେଁ ।
News 18 Odia Digital
ଭୁବନେଶ୍ୱର; ପିଲାଙ୍କ ଉପରେ ଅଭିଭାବକ ଅଯଥା ଚାପ ପକାଇବା ଉଚିତ ନୁହେଁ । ଅନ୍ୟ ପିଲାଙ୍କ ସହ ନିଜ ପିଲାଙ୍କୁ ତୁଳନା କରିବା ଅନୁଚିତ । କାରଣ ଏହା ପିଲାଙ୍କୁ ଖୁବ କଷ୍ଟଦେବା ସହ ମାନସିକ ସ୍ଥିତିକୁ ବିଗାଡ଼ିଥାଏ । ଫଳସ୍ୱରୂପ ଏଭଳି ଚାପ ପାଇଁ ଅନେକ ସମୟରେ ଛୋଟ ପିଲାମାନେ ଆତ୍ମହତ୍ୟା କରୁଥିବା ଦେଖାଯାଉଛି । ଏପରି କିଛି ସୂଚନା ଦେଇଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ତଥା ଜିନ୍ଦଲ ଇନଷ୍ଟିଚ୍ୟୁଟ ଅଫ ବିହେଭିଏରାଲ ସାଇନ୍ସର ମୁଖ୍ୟ ନିର୍ଦେଶକ ଡ. ସଂଜୀବ ପି. ସାହାଣୀ ।
ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ 'ଭାବନାତ୍ମକ ସୁସ୍ଥତା ଓ ମାନସିକ ଚାପ ପରିଚାଳନା ' ଶୀର୍ଷକ କାର୍ଯ୍ୟକ୍ରମରେ ଡ଼ଃ ସାହାଣୀ କହିଛନ୍ତି ଯେ, ଅନେକ ସମୟରେ ଦେଖାଯାଏ ଯେ, ଅଧିକାଂଶ ବାପା ମାଆ ନିଜର ଅପୁରଣୀୟ ଇଛାକୁ ପିଲାଙ୍କ ଉପରେ ଲଦି ଦିଅନ୍ତି । ଅର୍ଥାତ କୌଣସି କାରଣରୁ ନିଜ ଜୀବନରେ ବା କ୍ୟାରିଅରରେ ହୋଇପାରିନଥିବା ଦିଗଟି ନିଜ ପିଲାମାନେ କରନ୍ତୁ ବୋଲି ସେମାନେ ପିଲାଙ୍କ ଉପରେ ଚାପ ପକାନ୍ତି । ଏହାଦ୍ୱାରା ପିଲାଙ୍କ ଉପରେ ଚାପ ବଢେ । ଏପରି କରିବା ଅନୁଚିତ । ଏ ବିଷୟରେ ସବୁ ଅଭିଭାବକ ଟିକେ ଗୁରୁତର ସହ ଚିନ୍ତା କରିବା ଉଚିତ ।
ଏଥିସହ ସେ ଏକଥା ମଧ୍ୟ କହିଛନ୍ତି ଯେ, ୭ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ମାନସିକ ବିକାଶ ପ୍ରାୟ ୮୦ ପ୍ରତିଶତ ହୋଇଥାଏ । ତେଣୁ ଏହି ସମୟରେ ପରିବାର ଭିତରେ ଯାହା ଘଟେ ତାହା ପିଲାର ବ୍ୟବହାରରେ ପ୍ରତିଫଳିତ ହୁଏ । ଧିରେ ଧିରେ ସେହି ଭାବନା ପିଲାଙ୍କ ଚରିତ୍ର ଓ ନିତିତିନିଆ ଭାବନାରେ ପରିପ୍ରକାଶ କରେ । ତେଣୁ ଘର ହେଉଛି ପିଲାଙ୍କ ପ୍ରଥମ ସ୍କୁଲ ।
ପିଲା ରାତିରେ ଶୋଇ ବଡ଼ି ଭୋରରୁ ଯଦି ଉଠିକି ପାଠ ପଢ଼ନ୍ତି ତେବେ ସେ ସମୟରେ ୮୩% ମନେ ରହେ । ତେଣୁସବୁ ସମୟରେ ପିଲାଙ୍କୁ ପାଠ ପଢିବା ପାଇଁ ବାଧ୍ୟ କରିବା ଶରୀରର ଏ ବାଇଓଲଜିକାଲ କ୍ଳକରେ ବାଧା ସଦୃଶ । ତେଣୁ ପିଲାଙ୍କୁ ଏନେଇ ବାଧ୍ୟ କରନ୍ତୁନି । ଆଜିକାଲିର ବ୍ୟସ୍ତତା ସମୟ ମଧ୍ୟରେ ଯେତେବେଳେ କିଛି ବାପା ଓ ମାଆ ଉଭୟେ ଚାକିରି କରୁଛନ୍ତି, ଉକ୍ତ ସମୟରେ ପିଲାଙ୍କୁ କ୍ରେଚରେ ଛାଡ଼ୁଛନ୍ତି, ତାହା ଏକ ନକାରାତ୍ମକ ଦିଗକୁ ଆମନ୍ତ୍ରଣ କରୁଛି । ପିଲାମାନେ ନିଜ ବାପା ଓ ମାଆଙ୍କ ପାଖରୁ ଗୁଣାତ୍ମକ ଭାବନା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏ ଦିଗରେ ଉଭୟ ପିତାମାତା ଚିନ୍ତା କରିବାର ସମୟ ଆସିଛି ।
ଏହି କାର୍ଯ୍ୟକ୍ରମରେ ୩୦ଟି ବିଦ୍ୟାଳୟର ୨୫୦ରୁ ଉର୍ଦ୍ଧ ଶିକ୍ଷକଙ୍କୁ ତାଲିମ ଦେଇ ଶୈକ୍ଷିକ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ଭୂମିକା କଣ ତାହା ଉପରେ ଆଲୋକପାତ କରାଯାଇଥିଲା । ସୂଚନା ଅନୁସାରେ ଡ଼ ସାହାଣୀ ଓ ତାଙ୍କ ଟିମ ଏହିପରି ଭାବରେ ବିଶ୍ୱର ୮ ହଜାର ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଶିକ୍ଷକ ଓ ବିଦ୍ୟାଳୟ କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି । ଏ ଦିଗରେ ସମସ୍ତେ ମିଳିମିଶି ଉଦ୍ୟମ କଲେ ନିହାତି ଏକ ନୂଆ ଭାବନାର ଶୁଭାରମ୍ଭ ହୋଇ ପାରିବ ବୋଲି ସେ ଆଶା କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।