ଏଣିକି ପୁରୀରେ ଡିଜେ ଲଗାଇ ନୃତ୍ୟଗୀତ ଓ ଶୋଭାଯାତ୍ରା କରିବା ବେଆଇନ୍; ଲାଗିଲା କଟକଣା
ପୁରୀ ସହରରେ ଡିଜେ ଉପରେ ବ୍ୟାନ୍ ଲାଗିବା ପରେ କିଛି ଉଲ୍ଲଙ୍ଘନକାରୀଙ୍କୁ ଜରିମାନା ହେବା ସହ ତାଙ୍କ ସରଞ୍ଜାମ ଜବତ କରିଛି ପୋଲିସ । ଏହି କଟକଣା ପରେ ମାସ ମାସ ଧରି ସ୍ଥାଣୁ ହୋଇଯାଇଥିବା ବ୍ୟାଣ୍ଡ୍ ବାଜା ଅନୁଷ୍ଠାନ ପୁଣି ସକ୍ରିୟ ହେବା ଆରମ୍ଭ କରିଛନ୍ତି ।

ଶବ୍ଦ ପ୍ରଦୂଷଣ ଉପରେ ପୁରୀ ପୋଲିସ କଡ଼ା ନଜର ରଖିଛି ।
- News18 Odia
- Last Updated: February 22, 2021, 11:57 PM IST
ପୁରୀ: ଆଧ୍ୟାତ୍ମିକ ସହର ପୁରୀରେ ଏଣିକି ଛାତିଥରା ସାଉଣ୍ଡରୁ ମିଳିବ ତ୍ରାହି । ସାଉଣ୍ଡ ସିଷ୍ଟମରେ ସବ୍ ଉଫର (ବେସ୍) ବ୍ୟବହୃତ ହୋଇପାରିବ ନାହିଁ । ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ଅଭିଯୋଗ ପରେ ସୁପ୍ରିମ୍ କୋର୍ଟଙ୍କ ରାୟକୁ କଡ଼ାକଡି଼ ପାଳନ କରିବା ନେଇ ନିଷ୍ପତ୍ତି ନେଇଛି ପୁରୀ ପୋଲିସ । ପୁରୀ ସହରରେ ଡିଜେ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି ।
ବାହାଘର ବରଯାତ୍ରୀ ଶୋଭାଯାତ୍ରା ହେଉ ବା ଅନ୍ୟ କୌଣସି ଶୋଭାଯାତ୍ରା, ଚାରିଟି ସାଉଣ୍ଡ ବକ୍ସରୁ ଅଦିକ ରହିପାରିବ ନାହିଁ, ତାହା ପୁଣି ୬୫ ଡେସିବଲ୍ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶନାମା ଜାରୀ ହୋଇଛି । ପୁରୀ ବ୍ୟାଣ୍ଡ, ସାଉଣ୍ଡ ଆଣ୍ଡ ଲାଇଟ୍ ଆସୋସିଏସନ ସହ ପୁରୀ ପୋଲିସର ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଏହି କଟକଣା ଡିଜେ ସଂସ୍ଥାମାନଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।
‘‘ଏହି କଟକଣା ଆମ ପେଟପାଟଣା ଉପରେ ପ୍ରଭାବ ପକାଇବ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଜେ କରିଥିବା ଲୋକେ କିଛି ବିକ୍ରି କରିଦେଇଥିବା ବେଳେ କିଛିଙ୍କର ଖତ ହୋଇଗଲାଣି । ଆଉ ଯାହା କିଛି ବଞ୍ଚିଥିଲା ଡିଜେ ବ୍ୟାନ୍ ପରେ ସେସବୁ ବି ଖତ ହେଇଯିବ । କଟକଣା ଅନୁସାରେ ମାତ୍ର ଚାରିଟି ସାଉଣ୍ଡ ବକ୍ସ, ତାହା ପୁଣି ୬୫ ଡେସିବଲ୍ ମଧ୍ୟରେ ସୀମିତ ରଖିବା ସମ୍ଭବ ନୁହେଁ । ଏହା ଦ୍ୱାରା ପାର୍ଟି ପାଇଁ ଆଉ କେହି ଡିଜେ ନେବେ ନାହିଁ । ଏହି କଟକଣା ଆମ ପରିବାର ପ୍ରତିପୋଷଣ ଉପରେ ପ୍ରଭାବ ପକାଇବ,’’ କହିଛନ୍ତି ପୁରୀ ବ୍ୟାଣ୍ଡ୍ ସାଉଣ୍ଡ ଆଣ୍ଡ୍ ଲାଇଟ୍ ଆସୋସିଏସନର ସଭାପତି ଏସ.କେ. ବାବୁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମାନସିକ ଅବସାଦ ଅଭିନେତ୍ରୀ ଜୟଶ୍ରୀଙ୍କ ପାଇଁ କାଳ ହେଲା; ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ମିଳିଲା ଶବ
ସିଟି ଡି.ଏସ୍.ପି. କ୍ଷୀରସାଗର ଅଭୟ ନାୟକ କହିଛନ୍ତି, ‘‘ପୁରୀ ବ୍ୟାଣ୍ଡ୍ ସାଉଣ୍ଡ ଆଣ୍ଡ୍ ଲାଇଟ୍ ଆସୋସିଏସନ ସହ ଡିଜେ ବ୍ୟାନ ନେଇ ବୈଠକ କରାଯାଇଛି । ସାଉଣ୍ଡ ସିଷ୍ଟମରେ ସବ ଉଫର (ବେସ୍) ବ୍ୟବହୃତ ହୋଇପାରିବ ନାହିଁ । ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ଅଭିଯୋଗ ପରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ କଡ଼ାକଡି଼ ପାଳନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛି ପୁରୀ ପୋଲିସ । ପୁରୀ ସହରରେ ଡିଜେ ସମ୍ପୁର୍ଣ୍ଣ ରୂପେ ନିଷେଧ ହୋଇଛି । କେହି ଏହି ଆଇନ ଉଲ୍ଲଙ୍ଘନ କଲେ ଜରିମାନା ସହ ଦଣ୍ଡ ବିଧାନ କରାଯିବ । ସମସ୍ତ ମାଲିକମାନଙ୍କୁ ଲାଇସେନ୍ସ ନିୟମ ଅଧୀନ ସମସ୍ତ ସର୍ତ୍ତ ଓ ନିୟମ ମାନିବାକୁ ହେବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଜୋ ଓ ଜିଲ୍ ବାଇଡେନଙ୍କ Love Story: ଜୋ ୫ ଥର ପ୍ରପୋଜ୍ କଲା ପରେ ବିବାହ ପାଇଁ ରାଜି ହୋଇଥିଲେ ଜିଲ୍
କଟକଣା ଅନୁସାରେ ଶୋଭାଯାତ୍ରା ପାଇଁ ସାତ ଦିନ ପୂର୍ବରୁ ଅନୁମତି ନେବାକୁ ପଡି଼ବ । ଶୋଭାଯାତ୍ରା ରାତି ସାଢେ ୯ଟା ପୂର୍ବରୁ ବନ୍ଦ କରିବାକୁ ପଡି଼ବ । ପୁରୀ ବାହାରର ଡିଜେ ଯଦି ବିନା ଅନୁମତିରେ ସହରରେ ପ୍ରବେଶ କରେ ତେବେ ତାଙ୍କ ସରଞ୍ଜାମ ଜବତ କରାଯିବ । କ୍ଷମତାପ୍ରାପ୍ତ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ପ୍ରକାର ସଙ୍ଗୀତ ବାଦ୍ୟ ପାଇଁ ଅନୁମତି ଦିଆଯିବ ନାହିଁ । ଫେବୃୟାରୀ ୨୧ରେ ଏହି ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ କିଛି ଡିଜେକୁ ଜବତ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ଇଏ ତ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା
‘‘ଡିଜେ ଉପରେ ବ୍ୟାନ୍ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ସାଉଣ୍ଡ୍ ସିଷ୍ଟମରେ ସବ୍ ଉଫର୍ ବା ବେସ୍ ବ୍ୟବହୃତ ହେବ ନାହିଁ ବୋଲି କଟକଣାର ଆବଶ୍ୟକତା ଥିଲା । ପୁରୀ ଏକ ଆଧ୍ୟାତ୍ମିକ ସହର । ବଡ଼ ଦାଣ୍ଡ ହେଉ ଅବା ଗଳିକନ୍ଦି, ଏତେ ଜୋରରେ ଡିଜେ ବାଜୁଛି ଯେ ସେହି ଶବ୍ଦରେ ଘର ଥରିଯିବା ସହ ପିଲାଛୁଆ ଓ ବୟୋବୃଦ୍ଧ କାନରେ ହାତ ଦେଇ ଛାତିଥରା ଶବ୍ଦରେ ରୋଗଗ୍ରସ୍ତ ହେଇପଡୁଛନ୍ତି । ଡିଜେର ବିକଟାଳ ରଡି଼ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡି଼ଲେଣୀ ସହରବାସୀ । ତା’ ସହିତ ଶ୍ରୀମନ୍ଦିରର ଐତିହ କିର୍ତ୍ତୀରାଜୀ ପାଖରେ ଡିଜେ ବାଜୁଥିବା ଯୋଗୁଁ ମନ୍ଦିର ଉପରେ ମଧ୍ୟ ପ୍ରଭାବ ପଡି଼ବ । ମେଡିକାଲ ଛକ ଦେଇ ଗଲା ବେଳେ ଡିଜେ ଶବ୍ଦରେ ରୋଗୀଙ୍କ ଉପରେ ବି ପ୍ରଭାବ ପଡ଼ୁଛି,’’ କହିଛନ୍ତି ଅଭିଭାବକ ତଥା ସରକାରୀ କର୍ମଚାରୀ ୪୫ ବର୍ଷୀୟ ମାନସ ରଣସିଂହ ।
ପୁରୀ ସହରକୁ ଶବ୍ଦ ପ୍ରଦୁଷଣରୁ ମୁକ୍ତ ରଖିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଉଛି । ଫେବୃୟାରୀ ୨୦ରୁ ପୁରୀ ସହରରେ ଡିଜେ ଉପରେ ବ୍ୟାନ୍ ଲାଗିବା ପରେ କିଛି ଉଲ୍ଲଙ୍ଘନକାରୀଙ୍କୁ ଜରିମାନା ହେବା ସହ ତାଙ୍କ ସରଞ୍ଜାମ ଜବତ କରିଛି ପୋଲିସ । ଏହି କଟକଣା ପରେ ଅନେକ ମାସ ଧରି ସ୍ଥାଣୁ ହୋଇଯାଇଥିବା ବ୍ୟାଣ୍ଡ୍ ବାଜା ଅନୁଷ୍ଠାନ ପୁଣି ସକ୍ରିୟ ହେବା ସହ ଖୁସି ଅନୁଭବ କରିଛନ୍ତି ।