ଗଞ୍ଜାମର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେପଟେ ବିଏମସିର ନୂଆ କମିଶନର ହେଲେ ଜେ.ସୋନାଲ। ନୂଆ ଜିଲ୍ଲାପାଳ ଓ କମିଶନରଙ୍କୁ ନେଇ ଜିଲ୍ଲାବାସୀଙ୍କ ଅନେକ ଆଶା।

ଗଞ୍ଜାମର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

ଗଞ୍ଜାମର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମରେ ଯୋଗ ଦେଲେ ନୂଆ ଜିଲ୍ଲାପାଳ। ସୋମବାର ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜିଲ୍ଲାର ନୂଆ ଜିଲ୍ଲାପାଳ ଦିବ୍ୟଜୋତି ପରିଡ଼ା। ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଠାରୁ ଜିଲ୍ଲାପାଳ ଭାବେ ଦିବ୍ୟଜୋତି ପରିଡ଼ା ଦାୟିତ୍ବ ଗ୍ରହଣ କରିଛନ୍ତି।

ଏହାପରେ ପୂର୍ବତନ ଜିଲ୍ଲାପାଳ ତଥା ଭୁବନେଶ୍ବର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲାରେ ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ସହିତ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କାମ କରାଯିବ ବୋଲି କହିଛନ୍ତି ନୂଆ ଜିଲ୍ଲାପାଳ।

ସେପଟେ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ଜେ.ସୋନାଲ ମଧ୍ୟ ପୂର୍ବତନ ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଠାରୁ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ନୂଆ ଜିଲ୍ଲାପାଳ ଓ କମିଶନରଙ୍କ ଠାରୁ ଅନେକ ଆଶା ରଖିଛନ୍ତି ଜିଲ୍ଲାବାସୀ।

ଗଞ୍ଜାମର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ୨୦୧୬ ବ୍ୟାଚର ଓଡ଼ିଆ ଆଇଏଏସ ଅଫିସର ଦିବ୍ୟଜ୍ୟୋତି ପରିଡ଼ା। ସୋମବାର ସକାଳ ୯ଟାରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ନୂଆ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।

୯.୩୦ ମିନିଟ୍‌ ସମୟରେ ଗଞ୍ଜାମର ପୂବର୍ତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଠାରୁ ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ଦାୟିତ୍ବ ଗ୍ରହଣ କରିଥିଲେ। ନୂଆ ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପରେ ପୂବର୍ତନ ଜିଲ୍ଲାପାଳ ତଥା ଭୁବନେଶ୍ବର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

‘‘ଗଞ୍ଜାମ ଜିଲ୍ଲାରେ ଜାରି ରହିଥିବା ବିକାଶ ମୂଳକ କାର୍ଯ୍ୟକୁ କିଭଳି ଠିକ୍‌ ସମୟରେ ଶେଷ କରାଯିବ ତାହାକୁ ଗୁରୁତ୍ବ ଦିଆଯିବ। ଏହା ସହିତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖାଯାଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଦିଗରେ ସମସ୍ତେ କାମ କରିବେ। ବିଶେଷ କରି ଦୁର୍ଗମ, ଆଦିବାସୀ ଓ ପାହାଡ଼ିଆ ଅଞ୍ଚଳକୁ ଫୋକସରେ ରଖାଯାଇ ସେଠାରେ କିଭଳି ସମସ୍ତେ ସରକାରୀ ଯୋଜନା ପାଇପାରିବେ ଓ ସେଠିକାର ପାରିପାର୍ଶ୍ବିକ ବିକାଶ କିଭଳି ହେବ ସେ ନେଇ କାମ କରାଯିବ,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।

‘‘ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶନର ଭାବେ ପୂର୍ବତନ କମିଶନର ତଥା ବର୍ତ୍ତମାନର ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବିଳିରାମ ବୋନ୍ଦରଙ୍କ ଠାରୁ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜେ.ସୋନାଲ। ବ୍ରହ୍ମପୁର ସହରରେ ମଧ୍ୟ ଅନେକ ବିକାଶ ମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ତାହାକୁ କିଭଳି ସଠିକ୍‌ ଢ଼ଙ୍ଗରେ କରାଯିବା ସହିତ ସହରବାସୀଙ୍କ ସମସ୍ତ ପ୍ରକାରର ସମସ୍ୟାର ତ୍ବରିତ ସମାଧାନ କିଭଳି ହେବ ସେ ନେଇ ମଧ୍ୟ ନୂଆ କମିଶନର କାମ କରିବେ,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜୋତି ପରିଡ଼ା।

ନୂଆ ଜିଲ୍ଲାପାଳଙ୍କ ଠାରୁ ଅନେକ ଆଶା ରଖିଛନ୍ତି ଜିଲ୍ଲାବାସୀ। କାରଣ ଦୀର୍ଘ ବର୍ଷ ହେଲା ଜିଲ୍ଲାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ପ୍ରକଳ୍ପର କାର୍ଯ୍ୟ ଅଧପାନ୍ତରିଆ ଭାବେ ପଡ଼ିରହିଛି।

‘‘ଜିଲ୍ଲାରେ ବର୍ତ୍ତମାନ ଅନେକ ସ୍କୁଲରେ ଶିକ୍ଷକ, ଶିକ୍ଷୟତ୍ରୀର ଅଭାବ ରହିଛି। ସେହିପରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତର ଅଭାବ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେବାକୁ ପଡୁଛି। ଏହାଛଡ଼ା ଜିଲ୍ଲାରେ ଶୀତଳଭଣ୍ଡାର ଅଭାବ ଯୋଗୁଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହୋଇ ଦାଦନ ଖଟିବା ନିମନ୍ତେ ବାହାର ଦେଶକୁ ଯାଉଛନ୍ତି। ତେଣୁ ଶୀତଳଭଣ୍ଡାରର ବ୍ୟବସ୍ଥା ସହିତ ଜିଲ୍ଲାରେ କିଛି ନୂଆ ପ୍ରକଳ୍ପ କରାଯାଇ ଯୁବକଯୁବତୀଙ୍କୁ ନିଯୁକ୍ତି ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି,‘‘ ସମାଜସେବୀ ଶରିତା ପଣ୍ଡା।

ବ୍ରହ୍ମପୁର ମହାନଗର ନିଗମ ମଧ୍ୟ ସ୍ମାର୍ଟ ସିଟି ଦୌଡ଼ରେ ରହିଥିବା ବେଳେ ସହରକୁ ଆସିଛନ୍ତି ଜଣେ ଯୁବ ଆଇଏଏସ ଅଫିସର। ସହରରେ ରାସ୍ତା ଠାରୁ ଆରମ୍ଭ କରି ନାଳ ନର୍ଦ୍ଧମା, ପୋଖରୀ ଭଳି ଅନେକ ସମସ୍ୟା ରହିଛି। ସେହିପରି ସାମାନ୍ୟତମ ବର୍ଷା ହେଲେ ସହରର ଅନେକ ବସ୍ତି ଓ ତଳିଆ ଅଞ୍ଚଳରେ ନର୍ଦ୍ଧମା ପାଣି ଢ଼େଉ ମାରିଥାଏ। ତେଣୁ ଆଗକୁ ବର୍ଷା ଦିନ ଆସୁଥିବା ଯୋଗୁଁ ଏହି ନର୍ଦ୍ଧମା ସମସ୍ୟାର ସମାଧାନ କରିବା ସହ ସହରରେ ଲାଗି ରହିଥିବା ଅନ୍ୟ ସମସ୍ୟାକୁ ମଧ୍ୟ ଗୁରୁତ୍ବଦେଇ ନୂଆ କମିଶନର କାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି ବ୍ରହ୍ମପୁର ବାସିନ୍ଦା ଦେବାଶିଷ।

ଗଞ୍ଜାମ ଜିଲ୍ଲାରେ ନୂଆ ଜିଲ୍ଲାପାଳ ସାଙ୍ଗକୁ ବ୍ରହ୍ମପୁର ମହାନଗର ନିଗମରେ ନୂଆ କମିଶନରଙ୍କ ଯୋଗଦାନକୁ ନେଇ ଜିଲ୍ଳାବାସୀ ଅନେକ ଆଶା ରଖିଥିବା ବେଳେ କେତେ ତାହା ପୂରଣ ହେଉଛି ଆଗାମୀ ଦିନରେ ଜଣାପଡ଼ିବ।
Published by:Lipina Das
First published: