ନବମ ଓ ଦଶମ ବହିରେ ରହିବ ଡିଜାଷ୍ଟର ଓ ପାଣ୍ଡାମିକ ମ୍ୟାନେଜମେଣ୍ଟ ବିଷୟବସ୍ତୁ
News18 Odia Digital
କଟକ: କୋଭିଡ ଓ ପ୍ରାକୃତିକ ବିପର୍ଯ୍ୟୟ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଚଳିତ ଶିକ୍ଷାବର୍ଷର ନବମ ଓ ଦଶମ ଶ୍ରେଣୀ ବହିରେ ଏଥର ନୂଆ ବିଷୟବସ୍ତୁ ଯୋଡ଼ି ହେବାକୁ ଯାଉଛି। ଡିଜାଷ୍ଟର ମ୍ୟାନେଜମେଣ୍ଟ ଓ ପାଣ୍ଡାମିକ ମ୍ୟାନେଜମେଣ୍ଟ ନାମରେ ଏହି ଦୁଇଟି ବିଷୟବସ୍ତୁ ଉଭୟ ଶ୍ରେଣୀରେ ରହିବ।
ଭୂଗୋଳ ଓ ଲାଇଫ ସାଇନ୍ସ ବହିରେ ଦୁଇଟି ବିଷୟବସ୍ତୁ ସ୍ଥାନ ପାଇବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇଟି ବିଷୟ ବସ୍ତୁ ଚଳିତ ଶିକ୍ଷା ବର୍ଷରେ ଲାଗୁ କରିଛି ମାଧ୍ୟମିକ ଶିକ୍ଷା ପରିକ୍ଷଦ ବା ବୋର୍ଡ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହା ସହ ଏହି ନୂଆ ପାଠ୍ୟକ୍ରମ ବୋର୍ଡ ୱେବ ସାଇଟରେ ମଧ୍ୟ ଉପଲବ୍ଧ କରାଯାଇଛି। ww.bseodisha.ac.in ଲଗଇନ୍ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ନୂଆ ବିଷୟ ବସ୍ତୁ ସମ୍ପର୍କରେ ଜାଣି ପରିବେ। ଏନେଇ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ବୋର୍ଡର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ। "ଏକ ପାଣ୍ଡାମିକ ଓ ବିପର୍ଯ୍ୟୟ ବାବଦରେ ପିଲାମାନଙ୍କୁ ଅବଗତ କରାଇବା ଓ ସେମାନଙ୍କ ଜ୍ଞାନ ବୃଦ୍ଧି କରାଇବା ପାଇଁ ବୋର୍ଡର ଏହି ପଦକ୍ଷେପ ନିହାତି ଭାବେ ସ୍ବାଗତ ଯୋଗ୍ୟ। କିନ୍ତୁ ଏହି ପାଠ୍ୟକ୍ରମରେ କେବଳ ଥିଏରୀ ପଢ଼ାଇ ଦେଲେ ହେବ ନାହିଁ ବରଂ ବିଶ୍ବରେ କେବେ କେବେ କେଉଁ କେଉଁ ପାଣ୍ଡାମିକ କିମ୍ବା ବିପର୍ଯ୍ୟୟ ଆସିଥିଲା ତା'ର ନିରାକରଣ କେମିତି ହୋଇଥିଲା। ଏନେଇ ନୂଆ ନୂଆ ଉଦ୍ଭାବନ ସବୁ କଣ ହୋଇଛି। ସେ ବାବଦରେ ମଧ୍ୟ ନୂଆ ବିଷୟ ବସ୍ତୁରେ ସ୍ଥାନ ପାଇବା ଦରକାର," କହିଛନ୍ତି ବୋର୍ଡର ପୂର୍ବତନ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ ଡକ୍ଟର ସତ୍ୟକାମ ମିଶ୍ର।
ଏହା ବ୍ୟତୀତ ଚଳିତ ଶିକ୍ଷା ବର୍ଷରେ ଉଭୟ ନବମ ଓ ଦଶମ ଶ୍ରେଣୀର ନୂଆ ପାଠ୍ୟକ୍ରମକୁ ବୋର୍ଡ ନିଜ ୱେବ ସାଇଟରେ ଅପଲୋଡ କରି ସାରିଛି। ଏହି ନୂଆ ପାଠ୍ୟକ୍ରମ ଅନୁଯାୟୀ ନବମ ଓ ଦଶମ ଶ୍ରେଣୀରେ ବୋର୍ଡ ଦ୍ବାରା ପରିଚାଳିତ ପରୀକ୍ଷା ସମେଟିଭ୍ ୧ ଓ ସମେଟିଭ୍ ୨ ପରୀକ୍ଷାର ପାଠ୍ୟକ୍ରମ ବାବଦରେ ସୂଚନା ଦିଆଯାଇଛି। ପୂରା ପାଠ୍ୟକ୍ରମର ୫୦ ପ୍ରତିଶତକୁ ଆଧାର କରି ସମେଟିଭ୍ ୧ ପରୀକ୍ଷା ଓ ବାକି ୫୦ ପ୍ରତିଶତ ସମେଟିଭ୍ ୨ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନେଇଛି ବୋର୍ଡ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।