କୋରାପୁଟ: ରାଜ୍ୟ ସରକାରଙ୍କ ତରଫରୁ ଅସହାୟ, ଗରିବ ଓ ଭିନ୍ନକ୍ଷମଙ୍କ ପାଇଁ ଅନେକ ଜନହିତାଧିକାରୀ ଯୋଜନା ରହିଥିବା ବେଳେ କିଛି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯୋଗ୍ୟ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି l
କିନ୍ତୁ ଏପରି କିଛି ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ସରକାରୀ ସହାୟତାକୁ ଅପେକ୍ଷା ନ କରି ନିଜ ଚେଷ୍ଟାରେ କିଛି ଟଙ୍କା ସଂଗ୍ରହ କରି ନିଜେ ବଞ୍ଚୁଛନ୍ତି l ଏହିପରି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ୍ର ଦଶମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଗିର୍ଳିପୁଟ ଗ୍ରାମରେ I
ଏଇ ଗାଁର ବନସିଙ୍ଗ ଜାନି ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କ ଭାଇଙ୍କ ପୁଅ (ପୁତୁରା) ଡମୁ ଜାନି ମଧ୍ୟ ଜନ୍ମରୁ ଭିନ୍ନକ୍ଷମ | ତଥାପି ହାରି ଯାଇନାହାନ୍ତି ଏହି ଦାଦା ପୁତୁରା ଦ୍ୱୟ । ଦୃଢ ମନୋବଳ ଓ ଆତ୍ମବିଶ୍ୱାସ ସହିତ ସେମାନେ ଏକ ସାଇକେଲ ମରାମତି ଦୋକାନ ଖୋଲିଛନ୍ତି l
ଆଖପାଖ ଦଶ ବାରଖଣ୍ଡ ଗାଁର ଲୋକଙ୍କ ସାଇକେଲ ମରାମତି କରି ଉଚ୍ଚକୋଟୀର ସେବା ଯୋଗାଇବା ସହ ନିଜର ତେଲ ଲୁଣ ପାଇଁ କିଛି ଟଙ୍କା ମଧ୍ୟ ସଞ୍ଚୟ କରିପାରୁଛନ୍ତି ସେମାନେ l ସାଇକେଲ ଦୋକାନଟିର ଦୃଶ୍ୟ ଆଖପାଖର ଲୋକଙ୍କୁ ପ୍ରେରଣା ଦେଉଛି ଯେ ଭିନ୍ନକ୍ଷମ ହୋଇ ମଧ୍ୟ ନିଜେ ରୋଜଗାର କରି ପେଟ ପାଳିବା ସମ୍ଭବ । ଆଖପାଖ ତିନିଟି ପଞ୍ଚାୟତର ଲୋକେ ଦାଦା ପୁତୁରାଙ୍କ ସାଇକୋଲ ମରାମତି ଦୋକାନ ଉପରେ ନିର୍ଭର କରନ୍ତି ।
ହେଲେ ସରକାରଙ୍କ ପକ୍ଷରୁ ନା ଏଇ ଭିନ୍ନକ୍ଷମ ଦାଦାପୁତୁରାଙ୍କୁ ଏ ପର୍ଯ୍ୟନ୍ତ ଗୋଟେ ଦୋକାନ ଗୃହ ମିଳିଛି ନା ବ୍ୟାଙ୍କ୍ ଲୋନ୍ଟିଏ ମିଳିଛି । ଅନ୍ୟ କୌଣସି ସହାୟତା ବି ସେମାନଙ୍କୁ ମିଳିନାହିଁ ।
ସରକାରୀ ସାହାଯ୍ୟ କହିଲେ ଦୁହିଁଙ୍କୁ କେବଳ ସାତ ଶହ ଟଙ୍କା ମାସିକ ଭତ୍ତା ଓ ମାସିକ ଦଶ କେଜି ଚାଉଳ ମିଳୁଛି । ତାଛଡ଼ା ଦୁଇ ଜଣଙ୍କୁ ମିଳିଥିବା ଗୋଟିଏ ଟ୍ରାଇସାଇକେଲରେ ସୀମିତ ହୋଇଛି ସରକାରୀ ଯୋଜନା ।
ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଛୋଟ ଝାଟିମାଟିର ଛପର ଘରେ ବହୁ କଷ୍ଟରେ ରହୁଛନ୍ତି ସେମାନେ l ଏଇ ନଡା଼ଛପର ଦୋକାନ ଘରଟି ବର୍ଷା ଦିନେ ସେମାନଙ୍କ କଷ୍ଟକୁ ଦ୍ବିଗୁଣିତ କରି ଦିଏ । ତଥାପି ନିଜ କର୍ମରେ ଅବହେଳା ନାହିଁ ସେମାନଙ୍କର ।
ବୈପାରିଗୁଡା଼ ଗୋଷ୍ଠି ଉନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଅତି ଶୀଘ୍ର ସେ ଦୁଇ ଦିବ୍ୟଙ୍ଗଙ୍କ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।