News18 Odia Digital
ବାଲେଶ୍ବର: ହାତ ଗୋଡ଼ ନାହିଁ ବୋଲି ଆଲୋଡ଼ା ହୋଇଗଲା ନବଜାତ ଶିଶୁ। ରାସ୍ତା କଡ଼ରେ ପକାଇ ଚାଲିଗଲେ ମା-ବାପା। ଅମାନବିକତାର ଆଉ ଏକ ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲାରୁ। ସନ୍ତାନ ପ୍ରାପ୍ତି ପାଇଁ ବାପା ମା’ କେତେ ଉପବାସ କେତେ ବ୍ରତ କରିଥାନ୍ତି। ଆଉ ପୁଅଟିଏ ଜନ୍ମ ହେଲେ ତ ଘରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥାଏ। ହେଲେ ହାତଗୋଡ଼ ନାହିଁ ବୋଲି ନବଜାତ ଶିଶୁ ପୁତ୍ରକୁ ରେଳ ଓଭରବ୍ରିଜ୍ କଡ଼ରେ ଫୋପାଡ଼ି ଦେଇଛି କେହି ଜଣେ ହୃଦୟହୀନା ମା’।
ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ। ସୂଚନା ଅନୁସାରେ, ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଧାରଣ କଡ଼ରେ କେହି ଜଣେ ମା' ତାର ନବଜାତ ଶିଶୁ ପୁତ୍ରକୁ ଫିଙ୍ଗି ଚାଲି ଯାଇଛି।
ପ୍ରବଳ ଖରାରେ ଶିଶୁଟି କାନ୍ଦି କାନ୍ଦି ନୟାନ୍ତ ହୋଇ ଜୀବନ ସହିତ ସଂଘର୍ଷ କରୁଥିଲା। ହୁଏତ ତ ଆଉ କିଛି ସମୟ ମଧ୍ୟରେ ଲିଭି ଯାଇଥାନ୍ତା ତା'ର ଜୀବନ ପ୍ରଦୀପ ହେଲେ ରଖେ ହରି ମାରେ କିଏ ଭଳି ଘଟଣା ଘଟିଥିଲା। ଅନ୍ୟ ଜଣେ ସ୍ଥାନୀୟ ମହିଳା ତାକୁ ଏଭଳି ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ କୋଳେଇ ନେଇଥିଲେ। ତେବେ ମହିଳା ଜଣଙ୍କ ଶିଶୁ ଟିକୁ ଉଦ୍ଧାର ପରେ ଘରକୁ ନେଇ କ୍ଷୀର ପିଇବାକୁ ଦେବା ପରେ ଧୀରେ ଧୀରେ ଶିଶୁ ଟି ଆଶ୍ଵସ୍ତ ହୋଇଥିଲା। ପରେ ଖଇରା ଚାଇଲ୍ଡ ଲାଇନ ସଦସ୍ୟମାନେ ଖବର ପାଇ ସେଠାରେ ପହଞ୍ଚି ନବଜାତକୁ ନେଇ ସୋର ଡାକ୍ତରଖାନାରେ ଚିକିତ୍ସା କରିଥିଲେ। ସୁସ୍ଥ ହେବା ପରେ ଶିଶୁଟିକୁ ସୋର ପୋଲିସ ସହାୟତାରେ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିର ଜିମା ଦିଆ ଯାଇଥିବା ଜଣାପଡ଼ିଛି।ସେପଟେ ଏଭଳି ଅମାନବୀୟ ଘଟଣାକୁ ସୋର ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି।

ମହିଳା ଜଣଙ୍କ ଶିଶୁ ଟିକୁ ଉଦ୍ଧାର କରିଛନ୍ତି
"ମୋ ସ୍ୱାମୀଙ୍କର ଏକ ଦୋକାନ ଗାଁ ପାଖରେ ଥିବାବେଳେ ସେ ଦୋକାନ ଘେରିବା ପାଇଁ କଣ୍ଟା କାଟୁଥିଲେ ଏହି ସମୟରେ ଏକ ଶିଶୁଟିକୁ ସେଠାରେ ପଡ଼ିଥିବା ଦେଖି କଣ୍ଟା ସଫା କରି ପିଲାଟିକୁ ବାହାର କରି ଘରକୁ ଆଣିଥିଲେ ମୁଁ ପିଲାର ଅବସ୍ଥା ଦେଖି ତାକୁ ଖୋଇବା ସହିତ ଅଙ୍ଗନବାଡି ଦିଦିଙ୍କ ସହାୟତାରେ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲି,’’ କହିଛନ୍ତି ଶିଶୁକୁ ଉଦ୍ଧାର କରିଥିବା ମହିଳା ରଞ୍ଜୁଲତା ମହାନ୍ତି।
ସେପଟେ ଚାଇଲ୍ଡ ଲାଇନ ସଦସ୍ୟା ତାପସ୍ବିନୀ ରାଉତ କହିଛନ୍ତି, ‘‘ଯେତେବେଳେ ଜଣେ ନବଜାତ ଶିଶୁକୁ ଜଣେ ମହିଳା ରାସ୍ତା କଡ଼ରୁ ପାଇ ଘରେ ରଖିଥିବା ଖବର ଆମ ନିକଟରେ ପହଞ୍ଚି ଥିଲା ଆମେ ତୁରନ୍ତ ସେଠାରେ ପହଞ୍ଚି ପ୍ରଥମେ ପିଲାର ଚିକିତ୍ସା ବ୍ୟବସ୍ଥା କରିଥିଲୁ। ସୋର ମେଡିକାଲରେ ପିଲାର ଚିକିତ୍ସା ପରେ ସେ ସୁସ୍ଥ ହେବା ପରେ ସୋର ପୋଲିସକୁ ଏକ ଲିଖିତ ଚିଠି ଦେବା ସହିତ ଶିଶୁ ମଙ୍ଗଳ ବିଭାଗକୁ ପିଲାର ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ପିଲାଟି ଜନ୍ମରୁ ଦିବ୍ୟଙ୍ଗ ଥିବାବେଳେ ଏହି ସମୟରେ ତା'ର ଯତ୍ନ ପରିବର୍ତ୍ତେ ଏପରି ଆମାନବୀୟ କାର୍ଯ୍ୟ ନିଶ୍ଚିତ ନିନ୍ଦନୀୟ।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।