କେଉଁଠି ନାହିଁ ଇଣ୍ଟରନେଟ, ନାହିଁ ବିଦ୍ୟୁତ! ରାଜ୍ୟରେ ପଛରେ ପଡ଼ିଛି ଡିଜିଟାଲ ଶିକ୍ଷା

ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ପିଲାଙ୍କୁ ମିଳୁନି କମ୍ପୁଟର ଭଳି ଅତ୍ୟାଧୁନିକ ପାଠପଢ଼ା। ପଛରେ ପଡ଼ିଛି ଡିଜିଟାଲ୍ ଶିକ୍ଷା। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ୟୁଡ଼ିଆଇଏସ୍ଇ ରିପୋର୍ଟ ଏହା ସ୍ପଷ୍ଟ କରିଛି।

ରାଜ୍ୟରେ ପଛରେ ପଡ଼ିଛି ଡିଜିଟାଲ ଶିକ୍ଷା (ପ୍ରତୀକାତ୍ମକ ଛବି)

ରାଜ୍ୟରେ ପଛରେ ପଡ଼ିଛି ଡିଜିଟାଲ ଶିକ୍ଷା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପଛରେ ପଡ଼ିଛି ଡିଜିଟାଲ୍ ଶିକ୍ଷା। ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ପିଲାଙ୍କୁ ମିଳୁନି କମ୍ପୁଟର ଭଳି ଅତ୍ୟାଧୁନିକ ପାଠପଢ଼ା। ଏପରିକି ସ୍ମାର୍ଟ ସ୍କୁଲରେ ବି ପିଲାଏ ଡ଼ିଜିଟାଲ ଶିକ୍ଷା ପାଇପାରୁ ନାହାଁନ୍ତି। କେଉଁଠି ବିଦ୍ୟୁତ ନାହିଁ, ତ ଆଉ କେଉଁଠି ନାହିଁ ଇଣ୍ଟରନେଟ୍ ସଂଯୋଗ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ୟୁଡ଼ିଆଇଏସ୍‌ଇ ରିପୋର୍ଟ ଏହା ସ୍ପଷ୍ଟ କରିଛି।

ଡିଜିଟାଲ୍ ଶିକ୍ଷା ଏବେ ବି ଅପହଞ୍ଚ। ଉପାନ୍ତରୁ ଉପକୂଳ ସବୁଠି ଏଭଳି ଅବସ୍ଥା। ସ୍କୁଲ୍ ରୂପାନ୍ତରଣ ହେଉଛି, ଫାଇଭ୍ ଟି ଅଧୀନକୁ ଯାଉଛି ହେଲେ ବଦଳୁନି ପିଲାଙ୍କ ଭାଗ୍ୟ ମୟୂରଭଞ୍ଜ ଉଦଳା ବ୍ଳକର ଏ ହେଉଛି ବଡ଼ଖମଣ ହାଇସ୍କୁଲ୍। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ କମ୍ପୁଟର କିଣା ହୋଇଛି। କିନ୍ତୁ ଇଣ୍ଟରନେଟ୍ ସେବା ନଥିବାରୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି। ସେପଟେ ବାଲେଶ୍ଵର ଟାଉନ୍‌ରେ ଥିବା ସରକାରୀ ସ୍କୁଲ ଗୁଡ଼ିକରେ ବି ନାହିଁ ଇଣ୍ଟରନେଟ୍ ଯେଉଁଥିଲାଗି ଖୋଦ ଜିଲ୍ଲାପାଳ ଇଣ୍ଟରନେଟ ବିତରଣ କମ୍ପାନୀ କିଏମ୍‌ଟିଡ଼ି ଓ ବିଏସ୍ଏନ୍‌ଏଲ୍‌କୁ ଚିଠି ଲେଖି ଇଣ୍ଟରନେଟ୍ ସଂଯୋଗ କରିବାକୁ ଚିଠି ଲେଖିଛନ୍ତି। ଢେଙ୍କାନାଳରେ ବି ସ୍କୁଲ ପିଲା ପାଉନାହାଁନ୍ତି ଇଣ୍ଟରନେଟ୍ ସେବା । ଏପରିକି କିଛି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ହିଁ ନାହିଁ। ଜିଲ୍ଲାପାଳଙ୍କ କହିବା କଥା ପିଲାଙ୍କ ଶିକ୍ଷାଦାନ ଯେଭଳି ବାଧାପ୍ରାପ୍ତ ନ ହବ ସେଥିଲାଗି ପଦକ୍ଷେପ ନିଆଯାଉଛି।

ସେପେଟେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁଡ଼ିଆଇଏସ୍‌ଇ ରିପୋର୍ଟରେ ଓଡିଶାର ସରକାରୀ ସ୍କୁଲର ବିକଳ ଚିତ୍ର ସାମନାକୁ ଆସିଛି । ରିପୋର୍ଟ ଅନୁଯାୟୀ ମୋଟ୍ ୬୭ ହଜାର ୨୦ଟି ସ୍କୁଲରୁ ମାତ୍ର ୮ ହଜାର ୬ଶହ ୧୫ଟି ସ୍କୁଲରେ କମ୍ପୁରେ ଅଛି। ୮୪ ପ୍ରତିଶତ ସ୍କୁଲରେ କମ୍ପୁରେ ନଥିବାବେଳେ ୯୭ ପ୍ରତିଶତ ସ୍କୁଲରେ ନାହିଁ ଇଣ୍ଟରନେଟ୍ ସେବା। ୭୩ ପ୍ରତିଶତ ସ୍କୁଲରେ ପାଇପ ପାଣି ଓ ୩୭ ପ୍ରତିଶତ ସ୍କୁଲ୍‌ରେ ବିଦ୍ୟୁତ ସଂଯୋଗ ନାହିଁ । ଗତକିଛି ଦିନ ହେବ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ବଢ଼ି ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି ସ୍ଥିତିରେ ୟୁଡିଆଇଏସ୍ ଇରିପୋର୍ଟରେ ତଥ୍ୟରୁ ସ୍ପଷ୍ଟ ଯେ ଦୁର୍ବଳ ଭିତ୍ତି ଭୂମି ଯୋଗୁଁ ଡ୍ରପ ଆଉଟ ବଢ଼ୁଛି। ଯାହାକୁ ନେଇ ଅଭିଭାବକ ମହଲରେ ଚିନ୍ତା ଦେଖାଦେଇଛି।

"ସରକାରୀ ସ୍କୁଲ ଅବସ୍ଥା କଣ ତାହା କାହାରିକୁ ଅଛପା ନାହିଁ। ହେଲେ ସ୍କୁଲ ରୂପାନ୍ତରିଣ ପ୍ରକ୍ରିୟାରେ ସ୍କୁଲ ଟ୍ରାନଫରମେସନ ହେଉଛି କିନ୍ତୁ କେଉଁଠି କମ୍ପ୍ୟୁଟର ନାହିଁ କି ଇଣ୍ଟରନେଟ ନାହିଁ। ପାଠ କେମିତି ଓ କିଭଳି ପଢା ହେଉଛି ତାହା ପ୍ରଶ୍ନ ଉଠିଛି। ଖୁବ ଶୀଘ୍ର ଗଣଶିକ୍ଷା ବିଭାଗ ଏଥିପ୍ରତି ଧ୍ୟାନ ଦେବା ଉଚିତ,"କହିଛନ୍ତି ଉତ୍କଲ ଅଭିଭାବକ ସଂଘ କୃଷ୍ଣଚନ୍ଦ୍ର ପତି।
Published by:Soumya Das
First published: