ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା ପ୍ରଭାବର ଭିନ୍ନ ଦିଗ; ରାଜ୍ୟରେ କୃଷି କ୍ଷେତ୍ର ପ୍ରତି ବଢ଼ି ଚାଲିଛି ନିର୍ଭରଶୀଳତା

କରୋନା ପ୍ରଭାବର ଭିନ୍ନ ଦିଗ; ରାଜ୍ୟରେ କୃଷି କ୍ଷେତ୍ର ପ୍ରତି ବଢ଼ି ଚାଲିଛି ନିର୍ଭରଶୀଳତା

କରୋନା କାରଣରୁ ରାଜ୍ୟରେ ଗତ ଦୁଇ ବର୍ଷ ଭିତରେ ୮୨ ଲକ୍ଷ ହେକ୍ଟରରୁ ଅଧିକ ପରିମାଣରେ ଚାଷ ଜମି ବ୍ୟବହୃତ ହୋଇ ପାରିଛି, ଯାହା କୃଷି ପ୍ରତି ନିର୍ଭରଶୀଳତା ବଢ଼ିଛି ବୋଲି କୁହାଯାଇପାରେ ।

କରୋନା ପ୍ରଭାବର ଭିନ୍ନ ଦିଗ; ରାଜ୍ୟରେ କୃଷି କ୍ଷେତ୍ର ପ୍ରତି ବଢ଼ି ଚାଲିଛି ନିର୍ଭରଶୀଳତା
ରାଜ୍ୟରେ କୃଷି କ୍ଷେତ୍ର ପ୍ରତି ବଢ଼ି ଚାଲିଛି ନିର୍ଭରଶୀଳତା
  • News18 Odia
  • Last Updated: November 13, 2021, 4:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ମହାମାରୀ କାରଣରୁ ରାଜ୍ୟରେ ଉଭୟ ଜୀବନଜୀବିକା ପ୍ରଭାବିତ ହୋଇଥିଲେ ମଧ୍ୟ ଭଲ ଖବର ହେଲା ଏହାର ପ୍ରଭାବରେ ରାଜ୍ୟରେ କୃଷି କ୍ଷେତ୍ର ପ୍ରତି ନିର୍ଭରଶୀଳତା ବଢ଼ିଛି । ତଥ୍ୟାନୁସାରେ, ସାରା ରାଜ୍ୟରେ ମୋଟ ଚାଷ ଜମିର ପରିମାଣ ପ୍ରାୟ ୯୩ ଲକ୍ଷ ହେକ୍ଟର ହୋଇଥିବା ବେଳେ ଉଭୟ ଖରିଫ ଓ ରବି ଋତୁରେ ଏହାର ଦୁଇ ତୃତୀୟାଂଶ ବା ୬୨ ଲକ୍ଷରୁ ଅଧିକ ହେକ୍ଟର ଚାଷ ଜମିରେ ଫସଲ ଉତ୍ପାଦନ ହୁଏ ।

ବାକି ଜମି ସାରା ବର୍ଷ ପ୍ରାୟ ପଡ଼ିଆ ପଡ଼ିଥାଏ । କରୋନା କାରଣରୁ ରାଜ୍ୟରେ ଗତ ଦୁଇ ବର୍ଷ ଭିତରେ ୮୨ ଲକ୍ଷ ହେକ୍ଟରରୁ ଅଧିକ ପରିମାଣରେ ଚାଷ ଜମି ବ୍ୟବହୃତ ହୋଇ ପାରିଛି, ଯାହା କୃଷି ପ୍ରତି ନିର୍ଭରଶୀଳତା ବଢ଼ିଛି ବୋଲି କୁହାଯାଇପାରେ ।

ସୂଚନା ଅନୁସାରେ, କରୋନା ଭାଇରସ୍ ପ୍ରଭାବ କାରଣରୁ ସାରା ଦେଶ ଓ ରାଜ୍ୟରେ ବି ଗଭୀର ଭାବେ ପ୍ରଭାବିତ ହୋଇଛି ଜୀବନଜୀବିକା । କୋଭିଡ଼ର ପ୍ରଥମ ଓ ଦ୍ୱିତୀୟ ଲହର ପ୍ରଭାବରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହିତ ଲୋକଙ୍କ ଜୀବନ ଓ ଚଳଣୀର ଧାରା ବାଧାପ୍ରାପ୍ତ ହୋଇଛି । ଜୀବିକା ପାଇଁ ବାହାର ରାଜ୍ୟରେ ବର୍ଷ ବର୍ଷ ଧରି ଉଭୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକରେ କୁଶଳୀ କାରିଗରର ମାନ୍ୟତା ପାଇଥିବା ଅନେକ ଓଡ଼ିଆ ଏବେ ବି ପୁରୁଣା କର୍ମ ସଂସ୍ଥାନକୁ ଫେରିପାରି ନାହାଁନ୍ତି । ଏଭଳି ସ୍ଥିତିରେ ଅନେକ ଲୋକେ ବିକଳ୍ପ କର୍ମ ସନ୍ଧାନରେ ଏବେ କୃଷି କ୍ଷେତ୍ର ପ୍ରତି ମନ ବଳାଉଛନ୍ତି । ଏହି କାରଣରୁ ସାରା ରାଜ୍ୟରେ କୃଷି ଉପରେ ନିର୍ଭରଶୀଳତା ବଢ଼ିଛି ବୋଲି ମତ ରଖିଛନ୍ତି ବିଶେଷଜ୍ଞମାନେ ।

କରୋନା ପ୍ରଭାବର ଭିନ୍ନ ଦିଗ


କୃଷି ଅର୍ଥନୀତିଜ୍ଞଙ୍କ ସର୍ବ ନାରାୟଣ ମିଶ୍ରଙ୍କ ମତରେ, ‘‘ଆମ ରାଜ୍ୟରେ ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବହୁ ସଂଖ୍ୟକ ଲୋକ କର୍ମ ସଂସ୍ଥାନ ପାଇଁ ରାଜ୍ୟ ବାହାରକୁ ଯାଇଥାନ୍ତି । ଖାସ୍‌ କରି ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଆଦି ଜିଲ୍ଲାରୁ ଅନେକ ଲୋକ ଗୁଜୁରାଟ, ମୁମ୍ବାଇ ଆଦି ସ୍ଥାନରେ କାର୍ଯ୍ୟ କରୁଥିବା ବେଳେ ପଶ୍ଚିମ ଓଡ଼ିଶା ଲୋକେ ମଧ୍ୟ କର୍ମ ସଂସ୍ଥା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି । କିନ୍ତୁ ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେଲା କୋଭିଡ଼ର ପ୍ରଭାବ ନିରନ୍ତର ଲାଗି ରହିଥିବା ବେଳେ ଏହି ଲୋକେ ପୁରୁଣା କର୍ମ ସଂସ୍ଥାନକୁ ଫେରି ପାରୁନାହାଁନ୍ତି । ରାଜ୍ୟରେ ବିକଳ୍ପ ଭାବେ ଶିଳ୍ପରେ କର୍ମସଂସ୍ଥାନ ନ ଥିବା କାରଣରୁ ଚାଷ ଉପରେ ସେମାନଙ୍କର ନିର୍ଭରଶୀଳତା ବଢ଼ିଛି । ପୂର୍ବରୁ ରାଜ୍ୟରେ ଯେତିକି ପରିମାଣର କୃଷି କ୍ଷେତ୍ରରେ ନିଯୁକ୍ତି ଥିଲା ସେ ତୁଳନାରେ ୩୮ ପ୍ରତିଶତ ଅଧିକ କୃଷି ଉପରେ ନିର୍ଭରଶୀଳତା ବଢ଼ିଛି ।’’

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ କରୋନା କାରଣରୁ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳତା ବଢ଼ିଛି । ଯେତେବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ମହାମାରୀ କାରଣରୁ ଗଭୀର ପ୍ରଭାବିତ ହୋଇଛି, ସେଭଳି ସମୟରେ କୃଷି କ୍ଷେତ୍ରରେ ନିର୍ଭରଶୀଳତା ବଢ଼ିବା ଖୁସିର କଥା । କାରଣ ନିୟମିତ ଭାବେ ଭାରତୀୟ ଚାଷ ଜମିର ଦୁଇ ତୃତୀୟାଂଶ ଏବେ ଉପଯୋଗୀ ହୋଇପାରିଛି, ଯାହା କୃଷି କ୍ଷେତ୍ର ପାଇଁ ବଡ଼ ସମ୍ଭାବନା ସୃଷ୍ଟି କରିଛି । ସରକାରୀ ପ୍ରୋତ୍ସାହନ ଥିବାରୁ କୃଷି କ୍ଷେତ୍ର ଉପରେ ଏଭଳି ନିର୍ଭରଶୀଳତା ବଢୁଥିବା ବିଶେଷଜ୍ଞଙ୍କ ମତ । ତେବେ କୃଷି କ୍ଷେତ୍ରକୁ ଅଧିକ ଲାଭଦାୟକ ଓ କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକଳ୍ପ ପାଲଟିବାରେ କିଛି ମାତ୍ରାରେ ସଫଳ ହୋଇଛି ବୋଲି କୁହାଯାଇପାରେ।

କୃଷକ ନେତା ଅଶୋକ ସିଂଙ୍କ କହିଛନ୍ତି, ‘‘କୃଷି କ୍ଷେତ୍ର ଉପରେ ଧୀରେ ଧୀରେ ଲୋକଙ୍କ ନିର୍ଭରଶୀଳତା ବଢୁଥିଲେ ବି ଏଥିରେ କର୍ମ ନିଯୁକ୍ତି ସୁଯୋଗରେ ସେତେଟା ସଫଳ ହୋଇପାରି ନାହିଁ । ଏହାର କାରଣ ହେଲା ସରକାରୀ ପ୍ରୋତ୍ସାହନର ଉପଯୁକ୍ତ ବ୍ୟବହାର । ଅନେକ କ୍ଷେତ୍ରରେ କୃଷି ପାଇଁ ଥିବା ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ବାଟବଣା ହେଉଛି । ପଞ୍ଜାବ, ହରିୟାଣା ଭଳି ରାଜ୍ୟଗୁଡ଼ିକରେ ଯେଭଳି ଉନ୍ନତମାନର କୃଷି ପ୍ରଣାଳୀକୁ ବ୍ୟବହାର କରାଯାଉଛି, ସେସବୁ ବ୍ୟବହାର ହୋଇପାରିଲେ ଓଡ଼ିଶାରେ ବି କୃଷି କ୍ଷେତ୍ର କର୍ମ ନିଯୁକ୍ତି ସୁଯୋଗରେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିବ।’’

ମୁଖ୍ୟ କଥା ହେଉଛି କୃଷି କ୍ଷେତ୍ରକୁ ଅଧିକ ବିକଶିତ ଓ ନିର୍ଭରଶୀଳ କ୍ଷେତ୍ରରେ ପରିଣତ କରିବା ପାଇଁ ନିୟମିତ ଭାବେ ଏଥିରେ ପ୍ରୋତ୍ସାହନ ପ୍ରଶିକ୍ଷଣର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ଅତ୍ୟାଧୁନିକ କାରିଗରି ଜ୍ଞାନକୌଶଳର ପ୍ରୟୋଗ ଓ କୃଷି କ୍ଷେତ୍ରରେ ପରୀକ୍ଷାନିରୀକ୍ଷାର ଫଳାଫଳକୁ ଉପଯୋଗ କରିପାରିଲେ ରାଜ୍ୟରେ କୃଷି କ୍ଷେତ୍ର ଉନ୍ନତି ହୋଇପାରିବ ବୋଲି ମତ ରଖିଛନ୍ତି ସାମାଜିକ କର୍ମୀ ପବିତ୍ର ରଥୀ।
Published by: Lipina Das
First published: November 13, 2021, 4:26 PM IST