ସମ୍ବଲପୁରରେ ପଞ୍ଚାୟତ ନିବାଚନରେ ଡିଜେଲ ଦୁର୍ନୀତି ମାମଲା
News18 Odia Digital
ସମ୍ବଲପୁର: ସମ୍ବଲପୁରରେ ଗତ ପଞ୍ଚାୟତ ନିବାଚନରେ ଡିଜେଲ ଦୁର୍ନୀତି କରିବା ନେଇ ସମ୍ବଲପୁରରେ ତିନି ଜଣ କନେଷ୍ଟବଳ ନିଲମ୍ବିତ। ନିଲମ୍ବିତ ହୋଇଥିବା ତିନି କନେଷ୍ଟବଳମାନେ ହେଲେ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ବାଇ। ଗତ ପଞ୍ଚାୟତ ନିର୍ବାଚନରେ ପୋଲିସ ବିଭାଗ ପକ୍ଷରୁ ନିର୍ବାଚନ କାର୍ଯ୍ୟ ପାଇଁ ବ୍ୟବହାର ହୋଇଥିବା ଗାଡ଼ିମାନଙ୍କରେ ତେଲ ଭର୍ତ୍ତିରେ ଓଭର ବିଲ୍ଲିଙ୍ଗ ହୋଇଥିବା ଅଭିଯୋଗ ହୋଇଥିଲା।
ଏ ନେଇ ସମ୍ବଲପୁର ପୋଲିସ ବିଭାଗ ଘଟଣାର ତଦନ୍ତ କରା ଯାଇଥିଲା । ଯାଞ୍ଚ ସମୟରେ ଗତ ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହୋଇଥିବା ଗାଡ଼ି ଗୁଡିକର କାର ବୁକର ଯାଞ୍ଚ ସମୟରେ ୧୬ଟି ବସର ତେଲର ପରିମାଣ ଓ ଦୂରତା ମେଳ ଖାଉ ନ ଥିବା ଜଣା ପଡ଼ିଛି। ପ୍ରଥମିକ ତଦନ୍ତରୁ ରିଜର୍ଭ ଏମ୍ଭି ବିଭାଗର କାର୍ଯ୍ୟରତ ତିନି ଜଣ କନେଷ୍ଟବଳଙ୍କୁ ଏସପି ନିଲମ୍ବିତ କରିଥିବା ବେଳେ ହୋମଗାର୍ଡ ଡିଏସପିଙ୍କୁ ଛାନଭିନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
‘‘ଗତ ପଞ୍ଚାୟତ ନିବାଚନରେ ବ୍ୟବହାର ହୋଇଥିବା କିଛି ଗାଡିରେ ତେଲର ପରିମାଣ ଓ ଦୂରତା ମେଳ ଖାଇ ନ ଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ତଦନ୍ତ କରାଯାଥିଲା। ଏହି ତଦନ୍ତ ଆାଧାରରେ ତିନି ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି,’’ କହିଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର।
ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ମୋଟ ୯୦ଟି ଗାଡି ବ୍ୟବହାର କରାଯାଇଥିଲା। ଥାନା ଓ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥିବା ଗାଡି ଗୁଡିକୁ ବାଦ ଦେବା ପରେ ଏହି ୯୦ଟି ଗାଡିର ବ୍ୟବହାର ହୋଇଥିଲା। ଯେଉଁ ଥିରେ ୨୫ଟି ଘରୋଇ ବସ ସାଙ୍ଗକୁ ରିଜର୍ଭ ପୋଲିସର ୧୫ଟି ବସ ଓ ଏଲ୍ଏମ୍ଭି ବ୍ୟବହାର କରା ଯାଇଥିଲା।
ଏହା ବ୍ୟତୀତ ୫୦ଟି ଘରୋଇ ଏଲ୍ଏମ୍ଭି ମଧ୍ୟ ବ୍ୟବହାର କରା ଯାଇଥିଲା। ଘରୋଇ ଗାଡିଗୁଡିକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମାଧ୍ୟମରେ ସମ୍ବଳପୁର ପୋଲିସକୁ ପ୍ରଦାନ କରାଯାଇଥିଲା। ତେବେ ନିର୍ବାଚନ ଶେଷ ହେବା ପରେ ଉକ୍ତ ଗାଡିଗୁଡିକର ତେଲ ବିଲିଂ ସଂକ୍ରାନ୍ତୀୟ ଖର୍ଚ୍ଚ ରାଜ୍ୟ ପୋଲିସ ମୁଖ୍ୟାଳୟ ଓ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଯାଇଥିଲା। ଯେଉଁଠି ବିଲିଂ ସାଧାରଣ ଠାରୁ ଯଥେଷ୍ଟ ଅଧିକ ରହିଥିବା ନେଇ ଜଣା ପଡ଼ିଥିଲା।
Published by:Lipina Das
First published: