ସଂସଦରେ CM ନବୀନଙ୍କ ପ୍ରଶଂସା କରି ବିଜେପି ପାଇଁ କ୍ଷତିର ବାଟ ଖୋଲି ଦେଲେ କି PM ମୋଦି?

କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ବି ଓଡ଼ିଶା ଆଗୁଆ। କେନ୍ଦ୍ର ସହ କାନ୍ଧ ମିଳାଇ ସଂସ୍କାର କରିଛି ଓଡ଼ିଶା। ଏଥି ପାଇଁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ। ଏହିଭଳି ଢ଼ଙ୍ଗରେ ସଂସଦରେ ପ୍ରଶଂସା କରିଥିଲେ ମୋଦି। ଯାହାକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା ହେଉଛି।

ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ମୋଦି (ଡିଜାଇନ ଫଟୋ)

ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ମୋଦି (ଡିଜାଇନ ଫଟୋ)

  • Share this:
News18 Odia Digital

ଭୁବନେଶ୍ବର: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ମଙ୍ଗଳବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାରେ ଭାଗ ନେଇ ନବୀନଙ୍କୁ ଖୋଲା ପ୍ରଶଂସା କରିଥିଲେ ପିଏମ ମୋଦି। ପ୍ରଧାନ ମନ୍ତ୍ରୀ କହିଥିଲେ କୋଇଲା ଓ ଖଣି କ୍ଷେତ୍ରରେ ସଂସ୍କାରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ବି ଓଡ଼ିଶା ଆଗୁଆ। କେନ୍ଦ୍ର ସହ କାନ୍ଧ ମିଳାଇ ସଂସ୍କାର କରିଛି ଓଡ଼ିଶା। ଏଥି ପାଇଁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ। ଏହିଭଳି ଢ଼ଙ୍ଗରେ ସଂସଦରେ ପ୍ରଶଂସା କରିଥିବା ବେଳେ ଏହା ସଂଘୀୟ ବ୍ୟବସ୍ଥାରେ ସୁସ୍ଥ ପରମ୍ପରା ସୃଷ୍ଟି କରିଛି। ହେଲେ ରାଜ୍ୟରେ ପଞ୍ଚୟତ ନିର୍ବାଚନ ପରିପେକ୍ଷିରେ ଏହା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ରାତି ପାହିଲେ ରାଜ୍ୟରେ ବିଜେପି ବିଜେଡି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। ଉଭୟ ଉଭୟଙ୍କ ବିଫଳତାକୁ ନେଇ କରୁଛନ୍ତି ବୟାନବାଜି। ଏପରିକି ନିର୍ବାଚନ ପ୍ରଚାର ବେଳେ ଗାଁ ଗାଁ ପରସ୍ପର ବିରୁଦ୍ଧରେ ବିଷ ଓଗାଳୁଛନ୍ତି ଉଭୟ ଦଳ।

ଏଭଳି ସ୍ଥିତିରେ ସଙ୍ଘୀୟ ବ୍ୟବସ୍ଥାରେ ଉଦାହରଣ ଛଳରେ ପ୍ରଶଂସା କରିବା ରାଜନୈତିକ ମାହୋଲକୁ ଅଧିକ ଉଷ୍ମ କରିଛି। ରାଜନୈତିକ ସମୀକ୍ଷକଙ୍କ ମତରେ ପଞ୍ଚାୟତ ନିର୍ବାଚନ ସମୟରେ ନବୀନଙ୍କୁ ମୋଦିଙ୍କ ପ୍ରଂଶସା ବିଜେପିକୁ କ୍ଷତି କରିପାରେ।

ରାଜନୈତିକ ସମିକ୍ଷକ ରବି ଦାସ କହିଛନ୍ତି,"ଆଗକୁ ପଞ୍ଚାୟତ ନିର୍ବାଚନ। ଏଭଳି ସମୟରେ ମୁଖ୍ୟ ମନ୍ତ୍ରୀ ନବୀନଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଂଶସା ନିହାତି ବିଜେପିକୁ କ୍ଷତିର କ୍ଷତି କରିପାରେ। କିନ୍ତୁ କେନ୍ଦ୍ର ଜାଣିଛି ଏଥିରେ କିଛି ଯାଏ ଆସେ ନାହିଁ। କାରଣ ଏହା ସାଧାରଣ ନିର୍ବାଚନ ନୁହେଁ। ତେବେ ଏହାର ଭିତରେ ସଙ୍ଘୀୟ ଶାସନ ବ୍ୟବସ୍ଥାରେ କେନ୍ଦ୍ର ପ୍ରତି କିଛି ଅଣ ବିଜେପି ଶାସିତ ମୁଖ୍ୟ ମନ୍ତ୍ରୀ ଯେଉଁଭଳି ପ୍ରଚାର କରୁଛନ୍ତି କି ସଙ୍ଘୀୟ ବ୍ୟବସ୍ଥା ନଷ୍ଟ ହେଉଛି, ଠିକ୍ ଏତିକି ବେଳେ ମୋଦି ନବୀନଙ୍କୁ ପ୍ରଶଂସା କରି ପ୍ରମାଣିତ କରୁଛନ୍ତି ମୋ ସରକାରରେ ସେଭଳି କିଛି ପାତର ଆନ୍ତର ନାହିଁ।’’

ସମ୍ପ୍ରତି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରୁ ରାଜଧାନୀ ସବୁଠି କୋଳାହଳ। ରାଜ୍ୟ ବିଜେପି ଲଢ଼େଇ କରୁଥିବା ବେଳେ ମୋଦିଙ୍କ ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

ବିଜେପି କହିଛି ଲୁହା ପଥର ହେଉ କି କୋଇଲା ଯେଉଁ ସବୁ ରାଜସ୍ବ ଆସୁଛି ସେଥିରେ ରାଜ୍ୟ ମଧ୍ୟ ଲାଭବାନ ହେଉଛି। ହେଲେ ପ୍ରଧନ ମନ୍ତ୍ରୀଙ୍କ ପ୍ରଂଶସା ବିଜେପିକୁ କ୍ଷତିରେ ପକାଇବ ନାହିଁ ବରଂ ଓଡ଼ିଶା ସରକାର ଡିଏମଏଫ ପାଣ୍ଠିକୁ ଠିକଣା ଢ଼ଙ୍ଗରେ ବ୍ୟବହାର କରିବା ନେଇ ସୂଚନା ଦେଇଛନ୍ତି। କାରଣ ଖଣି ଖଦାନ ଅଞ୍ଚଳରୁ କୋଟି କୋଟି ଟଙ୍କା ପାଉଥିବା ରାଜ୍ୟ ସରକାର, ସେ ଜିଲ୍ଲା ପାଇଁ କରିଛନ୍ତି କ'ଣ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଠାକୁର ରଣଜିତ୍ ଦାସ।

ସେପଟେ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି,"ବାସ୍ତବତାକୁ ସ୍ୱୀକାର କରିଛନ୍ତି ପ୍ରଧାନ ମନ୍ତ୍ରୀ। ସଂସଦରେ ସତ ସ୍ୱୀକାର କରିଛନ୍ତି ପ୍ରଧାନ ମନ୍ତ୍ରୀ। ଏଠି ଯେଉଁମାନେ ବୟାନ ବାଜି କରୁଛନ୍ତି କାଲି ଘଟଣାରୁ ବୁଝି ଯାଇଥିବେ।’’

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ପ୍ରଧାନ ମନ୍ତ୍ରୀଙ୍କ କଥାରେ କିଛି ଯଥାର୍ଥତା ନାହିଁ। ଏଥିରୁ ସ୍ପଷ୍ଟ ହେଉଛି କି ବିଜେଡି -ବିଜେପି ଏକ।’’
Published by:Lipina Das
First published: