News18 Odia Digital
Dibya Sankar 2nd Innings: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ସଫ୍ଟୱେର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରି ନୂଆ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି ଦିବ୍ୟଶଙ୍କର। ପିପିଲିର ଏକ ରିସୋର୍ଟରେ କିଛି ହାତଗଣତି ପ୍ରିୟଜନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ବିବାହ।
ଦିବ୍ୟ ୱେଡ୍ସ ପ୍ରିୟଙ୍କା। ପଡ଼ିଲା ହାତଗଣ୍ଠି, ଅଗ୍ନିକୁ ସାକ୍ଷୀ ରଖି ହେଲେ ସାତ ଜନମର ସାଥି। ହିନ୍ଦୁ ରୀତିନୀତିରେ ହୋମ ନିଆଁକୁ ସାକ୍ଷୀ ରଖି ପ୍ରିୟଙ୍କାଙ୍କ ମଥାରେ ସିନ୍ଦୂର ଦେଲେ ଦିବ୍ୟଶଙ୍କର। ଆଉ ଥରେ ବେଦୀରେ ବସି ଦ୍ବିତୀୟ ଥର ଦାମ୍ପତ୍ୟ ଜୀବନ ଆରମ୍ଭ କଲେ କ୍ୟାପଟେନ୍।
ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଜଣେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରି ଆରମ୍ଭ କରିଛନ୍ତି ନୂଆ ଜୀବନ। ଭୁବନେଶ୍ୱର ଉପକଣ୍ଠ ତଥା ପିପିଲିର ଏକ ରିସୋର୍ଟରେ ବୈଦିକ ରୀତିନୀତି ଅନୁସାରେ ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ସରିଛି ଉଭୟଙ୍କ ବିବାହ।
ଦିବ୍ୟଶଙ୍କର ସ୍କାଏ ବ୍ଲୁ ରଙ୍ଗର ସେରୱାନୀ ପିନ୍ଧିଥିବା ବେଳେ ପ୍ରିୟଙ୍କା ଅଫ୍ ହ୍ୱାଇଟ୍ ଲେହେଙ୍ଗା ପିନ୍ଧିଥିଲେ। ପୂର୍ବରୁ ନିର୍ବନ୍ଧ ସରିଥିଲା। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା। ନିର୍ବନ୍ଧରେ ଉଭୟ କ୍ରିମ କଲର ମ୍ୟାଚିଂ ଡ୍ରେସ ପିନ୍ଧିଥିଲେ। ନିରାଡମ୍ବର ଭାବେ ହୋଇଥିବା ବିବାହ ଉତ୍ସବରେ କେବଳ ନିକଟତମ ସମ୍ପର୍କୀୟ ଓ ନିର୍ଦ୍ଧିଷ୍ଟ କିଛି ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।
କିଛି ଦିନ ହେଲା, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଥିଲା। ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହା ଏବେ ସତ ହୋଇଛି।
ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ। ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ଦିବ୍ୟଶଙ୍କର ପୁଅ ଅଛନ୍ତି। ସେ ଏବେ ଲଣ୍ଡନରେ ପାଠ ପଢ଼ୁଛନ୍ତି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ତେବେ ଉଭୟଙ୍କର ବିବାହ ପରେ ଛାଡ଼ପତ୍ର ହୋଇଥିଲା।
ପୁରୀରୁ ଦେବାଶିଷ ସିଂହରାୟନ, କଳାହାଣ୍ଡିରୁ ଅଂଶୁମାନ ପାତ୍ର, ନ୍ୟୁଜ ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।