ରମେଶ ସ୍ଵାଇଁ ନିକଟରୁ ଜବତ ହେଲା 'ଡାଇରୀ' (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇ ଜେଲ ଯାଇଥିବା ଠକ ଡାକ୍ତର ରମେଶ ସ୍ଵାଇଁ ନିକଟରୁ ଜବତ ହେଲା 'ଡାଇରୀ' । ଖୁଣ୍ଟୁଣି ନିକଟସ୍ଥ ଫାର୍ମହାଉସରେ ବୁଧବାର ଚଢ଼ାଉ କରିବା ପରେ ଘର ଭିତରୁ ଏହି ଡାଇରୀକୁ ଜବତ କରିଛି କମିସନରେଟ ପୋଲିସ । ଡାଇରୀରେ ରମେଶର ସମସ୍ତ କଳା କାରନାମାର କାହାଣୀ ସେହି ଲେଖା ଯାଇଥିବା ନେଇ କମିସନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରମେଶ ପାଖରୁ ଜବତ ଏହି ପିଙ୍କ ରଙ୍ଗର ଡାଇରୀରେ ପ୍ରତି ପୃଷ୍ଠାରେ ଲକ୍ଷ ଲକ୍ଷର ହିସାବ ଲେଖା ଯାଇଛି । ବିଶେଷ କରି କେଉଁ ପତ୍ନୀଙ୍କ ଠାରୁ କେତେ ଟଙ୍କା ଆଣିଛି, ଟଙ୍କା ସବୁ କେଉଁଠି ବିନିଯୋଗ ହୋଇଛି, କେଉଁଠି କେଉଁଠି ଜମି କିଣା ଯାଇଛି ସବୁ କିଛି ରମେଶ ସେଇ ଡାଇରୀରେ ଲେଖିଛି । ବିଶେଷ କରି ଡାଇରୀରେ ସବୁ ହିସାବ ନିକାସ ରଖୁଥିଲା ରମେଶର ଭଉଣୀ ରଶ୍ମିତା ବେଉରା ।
"ଆମେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛୁ । ଅଭିଯୁକ୍ତ ରମେଶ ବିରୁଦ୍ଧରେ ତଥ୍ୟ ଆଉ ପ୍ରମାଣ ଖୋଜୁଛି । ରିମାଣ୍ଡ ବେଳେ ଯଦିଓ ସେ ଅଧିକାଂଶ କଥା ଲୁଚେଇବାକୁ ଚେଷ୍ଟା କରିଛି ତଥାପି ଆମେ ଯେତିକି ତଥ୍ୟ ପାଇଛୁ, ସେଇ ଅନୁସାରେ ତଦନ୍ତ କରୁଚୁ । ତା ନିକଟରୁ ଏକ ଡାଇରୀ ମଧ୍ୟ ଜବତ ହୋଇଛି । ଯେଉଁ ଡାଇରୀରେ ସେ ସବୁ ହିସାଵ ଲେଖିଛି । ତେଣୁ ଡାଇରୀର ତଥ୍ୟ ଅନୁସାରେ ଆମେ ଏବେ ତଦନ୍ତ କରୁଛୁ," କହିଛନ୍ତି ତଦନ୍ତକାରୀ ଅଧିକାରୀ ।
"ରମେଶର ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଛି। ରିମାଣ୍ଡ ସମୟରେ ସେ ପୋଲିସକୁ ସହଯୋଗ କରୁନାହିଁ। ତେଣୁ ପୁଣିଥରେ ତାକୁ ରିମାଣ୍ଡରେ ଆଣି ଜେରା କରିବୁ। ଏଥିପାଇଁ କୋର୍ଟରେ ଆମେ ୭ଦିନ ପାଇଁ ଆବେଦନ କରିବୁ। ତାଙ୍କ ଭଉଣୀ ରଶ୍ମିତାକୁ ମଧ୍ୟ ରିମାଣ୍ଡ ରେ ଆଣି ଜେରା କରାଯିବ,"କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ।
ସୂଚନାଯୋଗ୍ୟ, ଏହି ଠକେଇ ଘଟଣାର ତଦନ୍ତ କରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଛି । ଦୁଇଜଣ ଏ.ସି.ପି ଏହି ଟିମକୁ ଲିଡ଼ କରୁଛନ୍ତି । ତେଣୁ ଏହି ଠକେଇ ଘଟଣାରେ ଆଉ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ବିଶେଷ କରି ଠକ ରମେଶର ଭିଣୋଇ ଓ ଡ୍ରାଇଭର ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି କମିସନରେଟ ପୋଲିସ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।