ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ରହିଛି; ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କିଛିଦିନ ହେବ କାଶୀପୁର ସମେତ ରାଜ୍ୟର ଅନେକ ଅଞ୍ଚଳରେ ଡାଇରିଆ ବ୍ୟାପିବାରେ ଲାଗିଥିଲା । ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଡନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସ୍ଥିତି  ସମ୍ପୂର୍ଣ ନିୟନ୍ତ୍ରଣରେ ରହିଥିବା କୁହାଯାଉଛି । ଲୋକମାନେ ଯେପରି ଝରଣା ତଥା ନାଳ ପାଣି ନପିଅନ୍ତି ସେଥିପ୍ରତି ଦୃଷ୍ଟି ରଖିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ରହିଛି; ପରିସ୍ଥିତି ଉପରେ ନଜର ରଖିବେ ଜିଲ୍ଲାପାଳ

ଡାଇରିଆ ସ୍ଥିତି ନିୟନ୍ତ୍ରଣରେ ରହିଛି; ପରିସ୍ଥିତି ଉପରେ ନଜର ରଖିବେ ଜିଲ୍ଲାପାଳ

  • Share this:
News 18 Odia Digital

ଭୁବନେଶ୍ୱର; ଡାଇରିଆ, ଝାଡ଼ାବାନ୍ତିକୁ ନେଇ ରାଜ୍ୟର ଅନେକ ଅଞ୍ଚଳରେ  ହାହାକାର ପଡ଼ିଥିବା ବେଳେ ବିଧାନସଭା ବି ହୁଲୁସ୍ତୁଲ ହୋଇଥିଲା । ବିଶେଷ କାଶୀପୁର ଘଟଣାକୁ ନେଇ ବିଧାନସଭାରେ ବିରୋଧୀମାନେ ସରକାରଙ୍କ ଉପରେ ବର୍ଷିବା ସହ ସରକାରଙ୍କୁ ଦାୟୀ କରିଥିଲେ । ତ୍ୱରିତ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଦୂଷିତ ପାଣି କାରଣରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଥିଲା । ଗତ କିଛଦିନ ହେବ ଏହି ପ୍ରସଙ୍ଗ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଡାଇରିଆ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନ ସମିକ୍ଷରେ ସାମିଲ ହୋଇଥିଲା । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବା କୁହାଯାଇଛି । ଗତ ଦୁଇ ଦିନ ମଧ୍ୟରେ ୬ ଜିଲ୍ଲାରେ ଆଦୌ  ସଂକ୍ରମଣ ହୋଇଥିବା ଜଣା ପଡ଼ିଛି । ସମୀକ୍ଷା ସମୟରେ  ଗ୍ରାମ ଓ ୱାର୍ଡରୁ କମ୍ୟୁନିଟି ହେଲ୍ଥ୍ ସେଣ୍ଟର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ୱରିତ ଡାଇରିଆ ସୂଚନା ପ୍ରସାରଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଦେଇଥିଲେ । ରୋଗୀମାନଙ୍କୁ ତୁରନ୍ତ ହସ୍ପିଟାଲ୍ ସ୍ଥାନାନ୍ତର ସହ  ସୂଚନା ପ୍ରସାରଣ ଓ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥାରେ ଆଶାକର୍ମୀ, ଅଙ୍ଗନାବାଡ଼ି କର୍ମୀ, ଓ୍ୱାର୍ଡ଼- ମେମ୍ବର, ସରପଂଚ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଦ୍ୟାଳୟମାନଙ୍କୁ ସାମିଲ କରିବା ପାଇଁ  ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ପାନୀୟଜଳକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବା, ଲୋକମାନେ ଯେପରି ଝରଣା, ତଥା ନାଳର ପାଣି ନପିଅନ୍ତି ସେ ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋର୍ ଦେବା ସହ ସଂକ୍ରମିତ ଅଂଚଳରେ ଜଳ ବିଶୋଧନ ପାଇଁ ‘ରିଭର୍ସ ଅସମୋସିସ୍ ଯନ୍ତ୍ର’ ଲାଗିଥିବା ଗାଡ଼ି ମୁତୟନ କରିବାକୁ  ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ ରଖିବା ସହ ସଂପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ଏବଂ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଆଯାଇଛି ।

ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ୭ ଟି ଜିଲ୍ଲାରେ ସମୁଦାୟ ୬୮୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଏବଂ ୧୭ ଜଣ ହସ୍ପିଟାଲ୍ ଆସିବାରେ ବହୁ ବିଳମ୍ବ କରି ମୃତ୍ୟୁ ବରଣ କରିଥିବା ସୂଚନା ରହିଛି ।
Published by:Soubhagya Mishra
First published: