ଶ୍ରୀମନ୍ଦିର ନିକଟରେ ହଇଜା ଆତଙ୍କ; ଝାଡା,ବାନ୍ତିରେ ପଡ଼ିଛନ୍ତି କିଛି ସେବାୟତ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଶ୍ରୀମନ୍ଦିର ଚାରିପଟ ସାହି ଗୁଡିକରେ ହଇଜା ଆତଙ୍କ । ବିଶେଷ କରି ବାସେଳି ସାହି ମୌଜାର ୪୦ରୁ ଅଧିକ ପରିବାର ଏଭଳି ଝାଡା ବାନ୍ତିର ଆକ୍ରାନ୍ତ ହୋଇଛନ୍ତି। ତେବେ ଗଡନ୍ତି ଛକରେ ଥିବା ବ୍ରିଟିଶ ଅମଳ ପାଣି ଟାଙ୍କି ଯେଉଁଠି ବର୍ତ୍ତମାନ ପିଇବା ପାଣି ପାଇପ ଲାଇନ ପରିବର୍ତ୍ତନ କାର୍ଯ୍ୟ ଚାଲୁଅଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ କରାଯାଉଛି ରାସ୍ତା ଫଳରେ ସେହି ସ୍ଥାନରୁ ପାଇପ ଲାଇନକୁ ହଟାଯାଉଛି । ସେପଟେ ଗାଣ୍ଡୁଆ ଚଉରା ଛକରେ ନିର୍ମାଣ କାର୍ଯ୍ୟ ଯୋଗୁଁ ପାଣି ପାଇପ ଫାଟିଯାଇଥିଲା । ଫଳରେ ସେହି ପାଇପ ଲାଇନରେ ମଇଳା ଆର୍ବଜନା ପାଣି ପାଇପ ଭିତରକୁ ଚାଲିଯାଇଥିଵାରୁ ସେହି ପାଣି ପିଇ ଝାଡାବାନ୍ତିର ଶୀକାର ହୋଇଛନ୍ତି ବାସେଳି ସାହିର ବାସିନ୍ଦା। ଶ୍ରୀମନ୍ଦିର ପଛପଟ ବାସେଳି ସାହିର ପଣାପ୍ରିୟା ଗଳି, ପାଣିକାତ ସାହି, ଗୋଛିକାର ସାହିର ଘରେ ଘରେ ଝାଡାବାନ୍ତିରେ ପୀଡିତ ହୋଇଛନ୍ତି ସ୍ଥାନୀୟ ଵାସିନ୍ଦା। ବିଶେଷ କରି ଏହିସବୁ ସାହି ମାନଙ୍କରେ ରହୁଥିବା ଶ୍ରୀ ମନ୍ଦିର ସେବାୟତ ମାନେ ଏହି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଶ୍ରୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ଦୂଷିତ ପାଣି ପାଇପରେ ଆସୁଥିବାରୁ ଏଭଳି ଝାଡା ବାନ୍ତିର ସମସ୍ୟା ସୃଷ୍ଟି ହୋଇଛି ବୋଲି କହିଛନ୍ତି ବରିଷ୍ଠ ସେବାୟତ।
ସେପଟେ ବାସେଳି ସାହିରେ ଝାଡାବାନ୍ତିକୁ ନେଇ ନିଜେ ଜିଲ୍ଲାପାଳ ବାସେଳି ସାହି ଯାଇ ଲୋକମାନଙ୍କ ସହ ଆଲୋଚନା କରି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ଜନସ୍ବାସ୍ଥ୍ୟ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗକୁ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ପୌରସଂସ୍ଥା , ଜନ ସ୍ଵାସ୍ଥ୍ୟ ଓ ଆଶାକର୍ମୀ, ସ୍ବଚ୍ଛ ସାଥୀକୁ ନେଇ ଏକ ଟିମ ଗଠନ କରାଯାଇଛି।ସମ୍ପୁକ୍ତ ଅଞ୍ଚଳରୁ ପିଇବା ପାଣିର ନମୁନା ସଂଗ୍ରହ ଓ ସାହି ଗୁଡିକରେ ବ୍ଲିଚିଂ ପାଉଡର ସହ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଆବଶ୍ୟକ ଔଷଧ ଦିଆଯାଇଛି । ଅନ୍ୟପଟେ ଜନସ୍ୱାସ୍ଥ୍ୟ ବିଭାଗର ସୁପରିଟେଣ୍ଡଣ୍ଟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କ ପାଣିଟାଙ୍କି ସଫା କରାଯାଇ ବ୍ଳିଚିଂ ପାଉଡର ପଡିବ । ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ ଡାକ୍ତରୀ ମୋବାଇଲ ଟିମ ଚିକିତ୍ସା କରିବେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।