News18 Odia Digital
ଢେଙ୍କାନାଳ: ଢେଙ୍କାନାଳର ପ୍ରସିଦ୍ଧ ମିଷ୍ଟାନ୍ନ ମଗଜି ଲଡୁକୁ ମିଳିପାରେ ଜିଓ ଜିଆଇ ଟ୍ୟାଗ। ଏହାର ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆସନ୍ତା ଡିସେମ୍ବର ୬ରେ ଭୁବନେଶ୍ୱରରେ ଜିଆଇ ଅଥରିଟିଙ୍କ ଉପସ୍ଥିତିରେ ଏହାର ଶୁଣାଣି ହେବ।
ମଗଜି ଲଡୁକୁ ଜିଆଇ ମାନ୍ୟତା ଦେବା ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ବିଧିବଦ୍ଧ ଭାବେ ଆବେଦନ କରାଯାଇଥିଲା। ଏହାକୁ ଗ୍ରହଣ କରିଥିଲେ ଜିଆଇ କର୍ତ୍ତୃପକ୍ଷ। ତେବେ ପରୀକ୍ଷା ନିରୀକ୍ଷା ପରେ ଏ ସମ୍ପର୍କିତ ଅଧିକ ତଥ୍ୟ ଲୋଡ଼ିଥିଲେ। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବା ପରେ ମଗଜି ଲଡୁ ଜିଆଇ ମାନ୍ୟତା ଆଡ଼କୁ ଆଉ ପାଦେ ଆଗେଇଛି। ପୁଷ୍ଟିକର ଗୁଣରେ ଭରପୂର ମଗଜି ନିଶ୍ଚିତ ଭାବେ ଜିଆଇ ମାନ୍ୟତା ପାଇବ ବୋଲି ଜିଲାର ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀଙ୍କ ସମେତ ମିଠା କାରିଗରମାନେ ଦୃଢ଼ ଆଶା ପୋଷଣ କରିଛନ୍ତି।
ମଗଜି ଲଡୁକୁ ମାନ୍ୟତା ମିଳିଲେ ଢେଙ୍କାନାଳ ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିହେବ। ଦୁଗ୍ଧ ଚାଷୀ, ଗୋପାଳକ, ମିଠା କାରିଗର, ମିଠା ବ୍ୟବସାୟୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।
ନିଆରା ସୁଆଦ ପରି ମଗଜି ଲଡୁର ପ୍ରସ୍ତୁତି ମଧ୍ୟ ନିଆରା। ପ୍ରଥମେ କ୍ଷୀର ଛେନା ଛଡାଇ ତାକୁ ଚିପୁଡି ଶୁଖାଇ ଦିଆଯାଏ । ଶୁଖିଲା ଛେନାରେ ଚିନି ମିଶାଇ ସେ ମିଶ୍ରଣକୁ ପିତଳ କଡ଼େଇରେ କାଠ ଚୁଲିରେ ବସାଯାଏ। ଛେନା ଓ ଚିନି ପାଗ ହୋଇ ଅଠାଳିଆ ହୋଇଗଲା ପରେ ଚୁଲିରୁ ଓହ୍ଲାଇ ସେଥିରେ ଗୁଜୁରାତି, ଅଳେଇଚ ମିଶାଇ ଥଣ୍ଡା କରାଯାଏ। ଥଣ୍ଡା ହେଲାପରେ ପୁଣି ମିଶ୍ରଣକୁ ଗୁଣ୍ଡ କରି ତାକୁ ଲଡୁ ଆକାରରେ ବଳାଯାଏ। ଚିନି ଓ ଛେନା ପ୍ରାୟତଃ ୩ : ୫ ଅନୁପାତରେ ମିଶାଯାଇଥାଏ ।
ଢେଙ୍କାନାଳ କପିଳାସ ଅତିକ୍ରମ କରି ଗଁଦିଆ ଗାଁ ପଡେ। ଏହି ସ୍ଥାନରେ ନଡିଆ କୋରା ପରି ଦେଖାଯାଉଥିବା ଧଳା ଧଳା ଲଡୁ ମଗଜିଲଡୁ ନାମରେ ବେଶ ପରିଚିତ।
ଗଁଦିଆ ଅଞ୍ଚଳବାସୀ ମୁଖ୍ୟତଃ କୃଷିଜୀବି ଓ ଗୋସମ୍ପଦର ଅଧିକାରୀ । ସ୍ବର୍ଗତ ବୁଧିମନ୍ତ ସାହୁ ପ୍ରଥମେ ଏହି ଲଡୁ ତିଆରି କରିଥିଲେ ବୋଲି ସୂଚନା ମିଳିଛି। ପ୍ରାୟ ୮୦ବର୍ଷ ପୂର୍ବରୁ କ୍ଷୀରରୁ ଛେନା ଛଡାଇ ସେଥିରେ ଲଡୁ ତିଆରି ଆରମ୍ଭ କରିଥିଲେ ସ୍ବର୍ଗତ ସାହୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।