ଢେଙ୍କାନାଳ: ସଡଙ୍ଗୀ ରେଞ୍ଜ କରଡାବଣୀରେ ପଥର ମାଫିଆ ଓ ବନବିଭାଗ କର୍ମଚାରୀ ମୁହାଁମୁହିଁ ହେଲେ
ନିସ୍ତୁକ ମାଡ ମାରିବା ସହ କିଛି ବନବିଭାଗ କର୍ମଚାରୀଙ୍କ ସେଲଫୋନ, ଗୋଟିଏ ସର୍ଭିସ ରିଭରବଲ ଓ ଚାରୋଟି କଟର ମେସିନ ସାମଗ୍ରୀ ପଥର ମାଫିଆ ଛଡାଇ ନେଇଥିଲେ । ନିସ୍ତୁକ ମାଡ ଖାଇ ଜୀବନ ବିକଳରେ ସେଠାରୁ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ ସଡଙ୍ଗୀ ରେଞ୍ଜରର ସାତ ଜଣ ବନ କର୍ମଚାରୀ ।

ସଡଙ୍ଗୀ ରେଞ୍ଜ କରଡାବଣୀରେ ପଥର ମାଫିଆ ଓ ବନବିଭାଗ କର୍ମଚାରୀ ମୁହାଁମୁହିଁ ହେଲେ
- News18 Odia
- Last Updated: December 15, 2020, 5:00 PM IST
ଢେଙ୍କାନାଳ: ସଡଙ୍ଗୀ ରେଞ୍ଜ କରଡାବଣୀ ସଂରକ୍ଷିତ ଜଙ୍ଗଲରେ ବେଆଇନ ପଥର ଖଣି ଉପରେ ଚଢାଉ ସମୟରେ ମାଫିଆଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି ସାତଜଣ ବନ କର୍ମଚାରୀ । ଘଟଣାର ୪୮ ଘଣ୍ଟା ପରେ ଜଣେ ମାତ୍ର ଅଭିଯୁକ୍ତ ପଥର ମାଫିଆ କାଳିଆ ରାଜକୁ (୪୦) ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଘଟଣାସ୍ଥଳରୁ ପଥର ମାଫିଆ ଛଡାଇ ନେଇଥିବା ସର୍ଭିସ ରିଭରବଲ ଓ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରା ହେବ ବୋଲି କହିଛନ୍ତି ପୋଲିସ ଏସଡିପିଓ ଶ୍ରୀହର୍ଷ ମିଶ୍ର । ସେଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି।
ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଗାଁ ନିକଟରେ କରଡାବଣୀ ବେଆଇନ ମାଙ୍କଡାପଥର ଖଣି କଟା ହେଉଥିବାର ଖବର ପାଇ ଡିଏଫଓ ସଡଙ୍ଗୀ ରେଞ୍ଜର କିଛି ବନ କର୍ମଚାରୀଙ୍କୁ ତୁରନ୍ତ ସେଠାକୁ ରେଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ବର୍ଷ ଧରି ବେଗା ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ଏହି ପଥରଖଣିଟି ଫରେଷ୍ଟ ଜଙ୍ଗଲ ଅଧିନରେ ରହି ଆସୁଥିଲା । ଫଳରେ କିଛି ମାସ ତଳେ ବନବିଭାଗ ପକ୍ଷରୁ ସେଠାରେ ଚଢାଉ କରି କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ମାତ୍ର କିଛି ଦିନର ଅନ୍ତର ପରେ ପୁଣି ପଥର ମାଫିଆ ସେଠାରେ ଉପସ୍ଥିତ ରହି ଖଣି ଖନନ କରୁଥିବା ଖବର ପାଇଥିଲା ବନବିଭାଗ।ମାତ୍ର ସେଠାରେ ପହଞ୍ଚିବା ପରେ ଏହି ପଥର ମାଫିଆ ମାନଙ୍କର ରୋଷର ଶୀକାର ହେବାକୁ ପଡିଥିଲା ଏମାନଙ୍କୁ।
ନିସ୍ତୁକ ମାଡ ମାରିବା ସହ କିଛି ବନବିଭାଗ କର୍ମଚାରୀଙ୍କ ସେଲଫୋନ,ଗୋଟିଏ ସର୍ଭିସ ରିଭରବଲ,ଓ ଚାରୋଟି କଟର ମେସିନ ସାମଗ୍ରୀ ଛଡାଇ ମଧ୍ୟ ନେଇଥିଲେ ପଥର ମାଫିଆ।ନିସ୍ତୁକ ମାଡ ଖାଇ ଜୀବନ ବିକଳରେ ସେଠୁ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ ସଡଙ୍ଗୀ ରେଞ୍ଜର ସାତ ବନ କର୍ମଚାରୀ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରଥମେ ଗଂଦିଆ ବରପଦା ସ୍ଥିତ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ସହିତ ଚିକିତ୍ସା କରାଯାଇଥିଲା।ଅନ୍ୟ ପାଞ୍ଚ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

ପଥର ମାଫିଆଙ୍କ ଆକ୍ରମଣ ଦ୍ୱାରା ଆହତ ହୋଇଥିବା ବନବିଭାଗ କର୍ମଚାରୀ
"ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ବେଆଇନ ଭାବେ ପଥର ଖଣି ଚଳାଉଥିବା ମାଫିଆଙ୍କ ପ୍ରାଦୁର୍ଭାବ ଏବେ ଦିନକୁ ଦିନ ବଢି ଚାଲିଥିବା ବେଳେ ଏମାନଙ୍କ ଉପରେ ରୋକ ଲଗାଇବାକୁ ଫେଲ ହେଉଛି ବନବିଭାଗ, ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ।ଆକ୍ରମଣ କରିଥିବା ଏହି ପଥର ମାଫିଆଙ୍କ ନାଁରେ ପୁର୍ବରୁ ନିହଲପ୍ରସାଦ ଥାନାରେ ଏକାଧିକ ମାମଲା ଅଛି," କହିଛନ୍ତି ପୋଲିସ ଏସଡିପିଓ ଶ୍ରୀହର୍ଷ ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି "ଖବର ପାଇବା ପରେ ପୋଲିସର ଏକ ଟିମ ଦ୍ୱାରା ସଡଙ୍ଗୀ ରେଞ୍ଜ ଅଫିସରେ ପହଞ୍ଚି ସମସ୍ତ ଆହତ ବନ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । ଲିଖିତ ଅଭିଯୋଗ ଅନୁସାରେ କେସ କରାଯାଇ ଖୁବ ଶିଘ୍ର ଅଭିଯୁକ୍ତଙ୍କୁ ଧରି କାର୍ଯାନୁଷ୍ଟାନ ଗ୍ରହଣ କରାଯିବ।“
କରଡାବଣୀ ମାଙ୍କଡାପଥର ଖଣିରେ ଚାରୋଟି କଟର ମେସିନ ଲଗାଇ ବେଆଇନ ଭାବରେ ପଥର କାଟୁଥିଲେ ଏହି ଖଣି ମାଫିଆ।ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରୋକ ଲଗାଇବାରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇବା ସହ ବୋଲେରୋ ଗାଡିର ଚାବି ମଧ୍ୟ ଛଡାଇ ନେଇ ଆକ୍ରମଣ କରିଥିଲେ । ଏଥିରେ ସଡଙ୍ଗୀ ରେଞ୍ଜର ଦୁଇ ୱ।ଚର ରଶ୍ମି ରଞ୍ଜନ ବେହେରା ଓ ସଞ୍ଜୟ କୁମାର ମହାପାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇବା ପରେ ଏନେଇ ନିହଲପ୍ରସାଦ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ତା’ସହିତ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଓ ଭାରାପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ତଥା ଅନୁଗୁଳ ଦାୟିତ୍ୱରେ ଥିବା ଏସପି ଜଗମୋହନ ମୀନାଙ୍କୁ ମଧ୍ୟ ଢେଙ୍କାନାଳ ବନଖଣ୍ଡ ତରଫରୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଯାଇଛି," କହିଛନ୍ତି ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ ।"
ଘଟଣାସ୍ଥଳରୁ ପଥର ମାଫିଆ ଛଡାଇ ନେଇଥିବା ସର୍ଭିସ ରିଭରବଲ ଓ ମୋବାଇଲ ଫୋନ ମଧ୍ୟ ଜବତ କରିବାରେ ସଫଳ ହୋଇଛି ପୋଲିସ । ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଅପରେସନ ମଧ୍ୟ ଜାରି ରହିଛି।