News 18 Odia Digital
ଢେଙ୍କାନାଳ; ଅପରାଧ କରି ବିଭିନ୍ନ ଜେଲରେ ରହୁଥିବା ସମୟରେ ଅପରାଧୀଙ୍କ ଭିତରେ ହୋଇଥିଲା ବନ୍ଧୁତା ( Friendship ) ସ୍ଥାପନ । ପରେ ଜେଲରୁ ମୁକୁଳିବା ପରେ ଏକାଠି ହୋଇ ଗଢିଥିଲେ ଏକ ବଡ ଡକାୟତି ଗ୍ୟାଙ୍ଗ। ଢେଙ୍କାନାଳ ( Dhenkanal ) ସଦରଥାନା ପୋଲିସ ଏଭଳି ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି।ଢେଙ୍କାନାଳ ଜିଲ୍ଲା ଦେଇ ସୋମବାର ଦିନ ଅନୁଗୁଳ (Anugul ) ଆଡକୁ ଏକ ସୁଇଫ୍ଟ କାର ( swift car ) ଓ ବୁଲେଟ ( bullet ) ରେ ଯାଉଥିଲେ କିଛି ଅପରାଧୀ । କୌଣସି ସୁତ୍ରରୁ ଖବର ପାଇ ୫୫ ନମ୍ବର ଜାତୀୟ ରାଜପଥ ଝାରଗାଡିଆ ନିକଟରେ ସେମାନଙ୍କୁ ସଦରଥାନା ପୋଲିସ ( Police ) ଧରିଥିଲା। ସୁଇଫ୍ଟ କାରରୁ ଖଣ୍ଡା ବନ୍ଧୁକ ଓ ୨୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।
ଜାତୀୟ ରାଜପଥ ଉପରୁ ଏମାନଙ୍କୁ ଉଠାଇନେଇ ସଦରଥାନା ପୋଲିସ ପଚରାଉଚରା କରିଥିଲା । ସେମାନଙ୍କ ଘର କଟକ ଜିଲ୍ଲା ବାଙ୍କି ଓ ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି। ଘଟଣାରେ ତଦନ୍ତ ପରେ ବାଙ୍କି ଅଞ୍ଚଳରୁ ଆଉ ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଘଟଣାରେ ମୋଟ ୬ଜଣ ଗିରଫ ହୋଇ ସାରିଛନ୍ତି।
ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ସିମିନଇ ଅଞ୍ଚଳର ପପୁନ ନାୟକ ନାମକ ଜଣେ ଯୁବକ ଥିବା ଜଣାପଡିଛି। ପୋଲିସ ପପୁନକୁ ଧରିବା ପରେ ଗତ ଡିସେମ୍ବର ୨୪ ତାରିଖରେ ଏହି ଗ୍ୟାଙ୍ଗ ଢେଙ୍କାନାଳ ସିମିନଇ ଅଞ୍ଚଳରେ ରଞ୍ଜନା ତ୍ରିପାଠୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଖଣ୍ଡା ପିସ୍ତଲ ଦେଖାଇ ସୁନା ଗହଣା ଲୁଟ କରିଥିବା ଜଣା ପଡିଥିଲା। ପରେ ସେମାନଙ୍କ ଠାରୁ ଲୁଟ ଗହଣା ଉଦ୍ଧାର କରାଯାଇଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ହିମାଂଶୁ ଶେଖର ସ୍ୱାଇଁ (୩୦) କଟକ ଜିଲ୍ଲା ବାଙ୍କି ଥାନା ବାହାରାଗ୍ରାମର ରଞ୍ଜିତ ରାଉତ (୩୦) ଗଞ୍ଜାମ ଜିଲ୍ଲା ଖଲିକୋଟ ଥାଠା ଅଞ୍ଚଳର ଅମିତ କୁମାର ସ୍ୱାଇଁ (୨୪) ଢେଙ୍କାନାଳ ସଦରଥାନା ସିମିନଇ ଗ୍ରାମର ପପୁନ ନାୟକ (୩୦) ବରହମପୁର ଗଣେଶ୍ୱରନଗର ଥାନା ନେହେରୁ ନଗରର ଶଙ୍କର ସାହୁ (୨୫) ରହିଛନ୍ତି।
ଏହି ଡକାୟତମାନଙ୍କ ଠାରୁ ଗୋଟିଏ କାର , ଗୋଟିଏ ବୁଲେଟ, ୨୪ ଗ୍ରାମ ବ୍ରାଉନ ସୁଗାର, ୩ଟି ପିସ୍ତଲ,୩ଟି ଖଣ୍ଡା, ୧ଟା ଲାଇଟର ଗନ , ୪ଟି ମାଗାଜିନ,୧ଟା ଏୟାରଗନ, ୩୮ଟି ଅଫୁଟା ଗୁଳି, ନଗଦ ୨୫ହଜାର ୭୨୦ ଟଙ୍କା, ୨ଟି ସୁନା ଚେନ, ୪ଟି ସୁନା ମୁଦି, ୨ଟି ସୁନା କାନଫୁଲ ସିସିଟିଭି ହାର୍ଡ ଡିସ୍କ ଓ ଲଙ୍କାଗୁଣ୍ଡ ଜବତ କରାଯାଇଛି।
"ଢେଙ୍କାନାଳ ସଦରଥାନା ପୋଲିସ ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଜେଲରେ ରହିବା ସମୟରେ ବନ୍ଧୁତା ସ୍ଥାପନା କରି ଏମାନେ ଗୃପ ତିଆରି କରିଥିଲେ। ସୁପାରୀ କିଲର ଭାବରେ ବିଭିନ୍ନ ଜିଲ୍ଲାରେ କାମ କରୁଥିଲେ। ଖବର ପାଇ ଗଞ୍ଜାମ ପୋଲିସ ଢେଙ୍କାନାଳରେ ପହଞ୍ଚି ଏହି ଅପରାଧୀ ମାନଙ୍କୁ ଅଧିକ ପଚରାଉଚରା ଜାରି ରଖିଛି ବୋଲି କହିଛନ୍ତି ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର।"
"ବ୍ରାଉନସୁଗାର କାରବାରରେ ଏହି ଗିରଫ ଅଭିଯୁକ୍ତମାନଙ୍କର ମଧ୍ୟ ସମ୍ପୃକ୍ତି ରହିଛି। ଏହି ପାଉଡର କେଉଁଠୁ ଆଣୁଥିଲେ କେଉଁ କେଉଁ ଜିଲ୍ଲାରେ ନେଇ ବିକ୍ରି କରୁଥିଲେ ତଦନ୍ତ ପରେ ସ୍ପଷ୍ଟ ହେବ। ତା'ସହିତ ଡକାୟତି ଗ୍ୟାଙ୍ଗରେ ଆହୁରି କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ସେମାନଙ୍କୁ ରିମାଣ୍ଡରେ ନିଆ ଯାଇ ପଚରାଉଚରା କରାଯିବ କହିଛନ୍ତି ଢେଙ୍କାନାଳ ଏସପି ଶ୍ରୀଯୁକ୍ତ ମହାପାତ୍ର।"
https://odia.news18.com/news/entertainment/it-was-rumored-that-aamir-khan-was-drunk-on-the-sets-4srm-120123-srm-147731.htmlନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।