News 18 Odia Digital
ଢେଙ୍କାନାଳ; ସଦରଥାନା ରଥପଦା ଅଞ୍ଚଳରୁ ଦେବଗଡର ଜଣେ ଯୁବକଙ୍କୁ ନକଲି ନୋଟ କାରବାର ବେଳେ ଏସଟିଏଫ ଧରିବା ପରେ ଏହାର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ଆରମ୍ଭ ହୋଇଛି ପ୍ରୟାସ। ଜାଲନୋଟର ଏହି କାରବାରରେ କେଉଁ ରାକେଟ କାମ କରୁଛି କେଉଁ କେଉଁ ଜିଲ୍ଲାରେ ଏମାନେ ଏହାକୁ ବିକ୍ରି କରୁଥିଲେ ସେନେଇ ଏସଟିଏଫ ଓ ପୋଲିସ ପକ୍ଷରୁ ଜାରି ରହିଛି ତଦନ୍ତ।

ଦେବଗଡ ଟାଉନ ଅଞ୍ଚଳରେ ନକଲି ନୋଟ କାରବାର ହେଉଥିବା କୌଣସି ସୁତ୍ରରୁ ଖବର ପାଇଥିଲା ଏସଟିଏଫ। ପରେ ତାକୁ ଟ୍ରାକ କରିବା ସହିତ ଧରିବାକୁ ନିଜେ ସାଜିଥିଲା ଗ୍ରାହକ। ଜାଲ ନୋଟ କାରବାର ପାଇଁ ଦେବଗଡର ତୁଷାର ବିଶ୍ୱାଳ ଢେଙ୍କାନାଳ ପହଞ୍ଚିବା ପରେ ରଥପଦା ନିକଟରେ ମାଡି ବସିଥିଲା ଏସଟିଏଫ ଟିମ। ତା'ଠାରୁ ୧ଲକ୍ଷ ୯୦ ହଜାର ୬ଶହ ଟଙ୍କାର ପୁଳା ପୁଳା ୫ଶହ ଟଙ୍କିଆ ଓ ଶହେ ଟଙ୍କିଆ ନୋଟ ଜବତ କରିଥିଲା।
ଢେଙ୍କାନାଳ ସଦରଥାନାରେ ଏନେଇ ପ୍ରଥମେ ଏକ ମାମଲା ରୁଜୁ କରାଯାଇଥିଲା। ପରେ ଢେଙ୍କାନାଳ ପୋଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ପାଇଁ ଏକ ଟିମ ଦେବଗଡ ଅଭିମୁଖେ ବାହାରିଥିଲା। ସେଠାରେ ଦେବଗଡ ଟାଉନଥାନା ପୋଲିସ ସହାୟତାରେ ଜାଲିନୋଟ କାରବାରରେ ଲିପ୍ତ ପାଖ ଅଞ୍ଚଳରୁ ଆଉ ଦୁଇଜଣଙ୍କୁ ଉଠାଇ ଆଣିଥିଲା ପୋଲିସ। ସେମାନଙ୍କ ଠାରୁ ଜାଲିନୋଟ ପ୍ରସ୍ତୁତ ପାଇଁ ରଖା ଯାଇଥିବା ବହୁ କାଗଜ , ଗୋଟିଏ ଲାପଟପ , ଦୁଇଟି ପ୍ରିଣ୍ଟ ମେସିନ ମଧ୍ୟ ଜବତ କରାଯାଇଛି।
ଜାଲି ନୋଟ କାରବାରରେ ଏଯାଏଁ ମୋଟ ତିନିଜଣ ଗିରଫ ହୋଇ ସାରିଲେଣି। ଏଥିରେ ଦେବଗଡ କଚେରୀ ସାହିର ତୁଷାର କୁମାର ବିଶ୍ୱାଳ ଗୁରୁସାହିର ତ୍ରିନାଥ ଦାସ ଓ ଏହି କାରବାରର ମାଷ୍ଟରମାଇଣ୍ଡ ବରପାଲି ସାହିର ବିଶ୍ୱନାଥ ଆଚାର୍ଯ୍ୟ ଓରଫ କାଳିଆ ବୋଲି ଜଣାପଡିଛି। ଏମାନଙ୍କ ନାଁରେ ପୂର୍ବରୁ କିଛି ଅପରାଧିକ ମାମଲାରେ ଜେଲ ଯାଇଥିବାର ଥିବା ମଧ୍ୟ ଜଣାପଡିଛି। ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।
ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଏମାନେ ଜାଲି ନୋଟ ପ୍ରସ୍ତୁତ କରି ଦେବଗଡ ଜିଲ୍ଲାରେ କାରବାର କରୁଥିବା ଜଣାପଡିଛି।ବିଶେଷ କରି ନିଶା କାରବାର ଚଳାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେମାନଙ୍କୁ ଏହି ଜାଲି ନୋଟ ଦେଇ ଠକେଇ କରୁଥିଲେ ବୋଲି ଢେଙ୍କାନାଳ ସଦରଥାନା ପୋଲିସ ପକ୍ଷରୁ କୁହାଯାଇଛି। "ସେମାନଙ୍କୁ ଉଭୟ ଢେଙ୍କାନାଳ ଓ ଦେବଗଡ ପୋଲିସ ପକ୍ଷରୁ ମାରାଥନ ଜେରା କରାଗଲେ ଅଧିକ ତଥ୍ୟ ପଦାକୁ ଆସିବ ଏବଂ କେଉଁ କେଉଁ ଜିଲ୍ଲାକୁ ଏହି ରାକେଟ ଲମ୍ବିଛି କେତେ ଲୋକଙ୍କର ସମ୍ପୃକ୍ତି ରହିଛି ତାହା ମଧ୍ୟ ଜଣାପଡିବ ବୋଲି କହିଛନ୍ତି ବିଶିଷ୍ଟ ଆଇନଜୀବୀ ଶରତ ଚନ୍ଦ୍ର ସାହୁ।"
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।