News18 Odia Digital
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ । ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶ ପାଇଛି । ନିଜର ନିକଟତମ ପ୍ରତୀଦ୍ୱନ୍ଦୀଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ବିଜୟୀ ହୋଇଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଛି। ବର୍ଷା ସିଂ ବରିହା ୪୨,୦୬୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୪୮ ଖଣ୍ଡ ଭୋଟ୍ ମିଳିଛି।
ଉପନିର୍ବାଚନ ପୂର୍ବରୁ ୩ ଦିନିଆ ଗସ୍ତରେ ଯାଇ ପଦ୍ମପୁରରେ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନାମାଙ୍କନ ଦିନ ମଧ୍ଯ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।