News18 Odia Digital
କଳାହାଣ୍ଡି: ଜିଲ୍ଲା ଧର୍ମଗଡ ବ୍ଲକରେ ଧିମେଇ ଚାଲିଛି ଧାନ କିଣା । ୨୫ ଦିନ ୧,୦୫୭ ଜଣ ଚାଷୀଙ୍କ ଠାରୁ କିଣା ଯାଇଛି ୫୫,୦୩୬ କ୍ୱିଣ୍ଟାଲ ଧାନ । କଳାହାଣ୍ଡି ଜିଲ୍ଲାରେ ଧାନ କ୍ରୟ ସଂସ୍ଥାଙ୍କ ଦ୍ୱାରା ଧାନ କିଣା ଗତ ନଭେମ୍ବର ୨୫ ତାରିଖରେ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ଧାନ କିଣାକୁ ୨୫ ଦିନ ପୁରିଲାଣି। ତେବେ ଧାନ କିଣା ପ୍ରକ୍ରିୟା ଧିମା ଗତିରେ ଚାଲୁଥିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଧିମା ଗତିରେ ଧାନ କିଣା ମିଲର୍ସ ସୁହାଉଥିବା ବେଳେ ଚାଷୀମାନେ ଅନେକ ସମସ୍ୟାର ଶିକାର ହେଉଛିନ୍ତି।
ସୂଚନା ଅନୁଯାୟୀ ୨୦୨୧-୨୨ ଖରିଫ ଋତୁ ପାଇଁ କଳାହାଣ୍ଡି ଜିଲ୍ଲାରେ ଧାନ କ୍ରୟ ସରକାରୀ ଭାବେ ନଭେମ୍ବର ୨୫ ତାରିଖରୁ ଆରମ୍ଭ କରାଯାଇଥିଲା । ପ୍ରଥମ ଦିନରୁ ହିଁ ଧାନ କିଣାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା । କଟନିଛଟନିକୁ ନେଇ ମିଲର୍ସ ଏଜେଣ୍ଟ ଓ ଚାଷୀଙ୍କ ସହମତି ପ୍ରକାଶ ନପାଇବାରୁ ଧାନ କିଣା ସବୁ ମଣ୍ଡିରେ ଆରମ୍ଭ ହେବାକୁ ଅନେକ ସମୟ ଲାଗିଯାଇଥିଲା ।
ଏହି ସମୟରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁ ଚାଷୀ ଯେମିତି ବି ଧାନ ବିକ୍ରି କରିବା ପାଇଁ ସହମତି ପ୍ରକାଶ କରି ଧାନ କିଣା ଯାଇଥିଲା । ତେବେ ଧିମା ଗତିରେ ଧାନ କିଣା ଯାଉଥିବାରୁ ଦିର୍ଘ ୨୫ ଦିନ ଅତିବାହିତ ହେବା ପରେ ମଧ୍ୟ ଅଧିକାଂଶ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହିଥିବା ଦେଖିବାକୁ ମିଳୁଛି।
ସେହିପରି ଟୋକନ ପ୍ରଦାନରେ ମଧ୍ୟ ଅନେକ ଅସଙ୍ଗତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନେକ ଚାଷୀଙ୍କ ଧାନ ଅମଳ ସରିଥିଲେ ମଧ୍ୟ ସେମାନଙ୍କ ଟୋକନ ବ୍ୟବଧାନ ଦୀର୍ଘ ଦିନ ରହିଥିବାରୁ ଚାଷୀ ଧୌର୍ଯ୍ୟ ହରା ହୋଇ ପଡ଼ିଛି । ମିଳିଥିବା ସୂଚନା ମୁତାବିକ ଧର୍ମଗଡ ବ୍ଲକରେ ୧୮ ତରିଖ ସୁଦ୍ଧା ୧୧ଟି ପ୍ୟାକ୍ସ ଓ ୬ଟି ଏସଏଚଜି ଦ୍ୱାରା ପରିଚାଳିତ ମୋଟ ୧୭ଟି ମଣ୍ଡିରେ ୧,୦୫୭ ଜଣ ଚାଷୀଙ୍କ ୫୫,୦୩୬.୧୨ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି।
ସେହିପରି ଜୁନାଗଡ ନିୟନ୍ତ୍ରୀତ ବଜାର କମିଟି ଅଧିନରେ ଥିବା ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ଧାନ କ୍ରୟ ଧିମେଇ ଧିମା ଗତିରେ ଚାଲିଛି । ଏହି ବ୍ଲକରେ ୧୪ଟି ପ୍ୟାକ୍ସ ଓ ଗୋଟିଏ ଏସଏଚଜି ଦ୍ୱାରା ପରିଚାଳିତ ମୋଟ ୧୫ଟି ମଣ୍ଡିରେ ମାତ୍ର ୪୩୭ ଜଣ ଚାଷୀଙ୍କ ଠାରୁ ୧୭,୩୧୨.୪୩ କ୍ୱିଣ୍ଟାଲ ଧାନ କିଣାଯ।।ଇଛି । ଜୁନାଗଡ ବ୍ଲକରେ ୨୮ଟି ପ୍ୟାକ୍ସ ଓ ୧୧ଟି ଏସଏଚଜି ଦ୍ୱାରା ପରିଚାଳିତ ମୋଟ ୩୯ଟି ମଣ୍ଡିରେ ୨,୯୩୬ ଜଣ ଚାଷୀଙ୍କ ଠାରୁ ୧୫୧୮୫୩.୯୬ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି । ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। ପ୍ରଶାସନ ଧାନ କିଣା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।