News18 Odia Digital
ଭୁବନେଶ୍ବର: ଧାମନଗର ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ନଭେମ୍ବର ୧ ତାରିଖରେ ପ୍ରଚାର ଶେଷ ହେବା ସହ ୩ରେ ନିର୍ବାଚନ ଓ ୬ ତାରିଖରେ ଫଳାଫଳ ଘୋଷଣା ହେବ।
ଏହା ସହ ନିର୍ବାଚନକୁ ନିରପେକ୍ଷ ଭାବେ ଶେଷ କରିବା ଲାଗି ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନି। ଏହା ସହ ୨ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିବା ସିଇଓ ସୂଚନା ଦେଇଛନ୍ତି।
ସିଇଓଙ୍କ ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନରେ ୧୧୦୮ ପୋଲିଂ ପର୍ସନ ନିୟୋଜିତ ହେବେ। ସେମାନଙ୍କର ୨ ରାଉଣ୍ଡ ଟ୍ରେନିଂ ଶେଷ ହୋଇଛି। ନିୟୋଜିତ ପୋଲିଂ ପର୍ସନ ଚୟନରେ ୨ଟି ଦିଗ ଉପରେ ଧ୍ୟାନ ଦିଆଯାଇଛି। ସେମାନେ ଧାମନଗରର ଭୋଟର ହୋଇନଥିବେ କିମ୍ବା ତାଙ୍କର ପୈତୃକ ଘର ସେଠାରେ ହୋଇନଥିବ। ଅନ୍ୟଟି ହେଲା ଉକ୍ତ ଅଞ୍ଚଳରେ ତାଙ୍କର ପୋଷ୍ଟିଂ ହୋଇଥିବ। ଫଳରେ ନିରପେକ୍ଷ ନିର୍ବାଚନ ହୋଇପାରିବ। ସେହିପରି ନିୟୋଜିତ ପୋଲିସ ଅଧିକାରୀଙ୍କ କ୍ଷେତ୍ରରେ ସମାନ ନିୟମ ଲାଗୁ ହୋଇଛି ବୋଲି ସିଇଓ ସୂଚନା ଦେଇଛନ୍ତି।
ସିଇଓ ଆହୁରି ମଧ୍ୟ କହିଛନ୍ତି ଯେ ୨ ଜଣ ସେଣ୍ଟ୍ରାଲ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଜଣେ ସାଧାରଣ ପର୍ଯ୍ୟବେକ୍ଷକ ଓ ଅନ୍ୟ ଜଣେ ଖର୍ଚ୍ଚ ପର୍ଯ୍ୟବେକ୍ଷକ। ଉଭୟ ପର୍ଯ୍ୟବେକ୍ଷକଙ୍କ ଫୋନ ନମ୍ବର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସର୍ବ ସାଧାରଣ କରାଯାଇଛି। ଯେକୌଣସି ଅଭିଯୋଗ ନେଇ ସେମାନଙ୍କ ସହ ସିଧାସଳଖ ଦୃଷ୍ଟି ଆକର୍ଷଣ କରାଯାଇପାରିବ।
ସାଧାରଣ ପର୍ଯ୍ୟବେକ୍ଷକ ହେଉଛନ୍ତି ନିରଞ୍ଜନ କୁମାର। ସେ ପଶ୍ଚିମବଙ୍ଗ କ୍ୟାଡ଼ର ଆଇଏଏସ ଅଫିସର। ତାଙ୍କ ଫୋନ ନମ୍ବର ହେଉଛି ୭୮୫୪୮୨୬୫୦୯। ଖର୍ଚ୍ଚ ପର୍ଯ୍ୟବେକ୍ଷକ ହେଉଛନ୍ତି ପ୍ରଣେସ ଗୁପ୍ତା। ସେ ହେଉଛନ୍ତି ଜଣେ ଆଇଆରଏସ ଅଧିକାରୀ। ତାଙ୍କ ଫୋନ ନମ୍ବର ହେଉଛି ୮୨୬୦୭୪୫୬୨୬। ଉଭୟ ନିର୍ବାଚନ ପ୍ରକ୍ରିୟାର ସମୀକ୍ଷା କରୁଛନ୍ତି। ନିର୍ବାଚନ ପ୍ରକ୍ରିୟା, ସରକାରୀ ଅଧିକାରୀଙ୍କ ବ୍ୟବହାର, ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବାବଦରେ ଯାହାର କୌଣସି ଅଭିଯୋଗ ଥିବ ସିଧାସଳଖ ସେମାନଙ୍କ ସହ ଯୋଗାଯୋଗ କରିବାକୁ ସିଇଓ ପରାମର୍ଶ ଦେଇଛନ୍ତି।
ଧାମନଗରରେ ଥିବା ୧୦୬ ସମ୍ବେଦନଶୀଳ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏଠାରେ ୱେବ କାଷ୍ଟଂ ଛଡ଼ା ମାଇକ୍ରୋ ଅବଜର୍ଭର ନିୟୋଜିତ ହେବେ। ଏମାନଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ନିଜେ ନିୟୋଜିତ କରିବେ।
ଶୃଙ୍ଖଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ୬୪୧ଟି ଅନୁମତି ପ୍ରାପ୍ତ ମାରଣାସ୍ତ୍ର ବିଭିନ୍ନ ପୋଲିସ ଷ୍ଟେସନରେ ଡିପୋଜିଟ ହୋଇଛି। ୧୯୦୯ ଜଣ ଲୋକ ୧୦୭ ଓ ୧୧୬ ଧାରାରେ ଗିରଫ ହୋଇଛନ୍ତି। ୧୭୨ ଅଣ-ଜାମିନ ଯୋଗ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୧୫ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ ହୋଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।