News18 Odia Digital
ଭୁବନେଶ୍ୱର: ଧାମନଗରରେ ଲଢ଼ିବେ ୫ ଯୋଦ୍ଧା। ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବା ବେଳେ କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନାହାଁନ୍ତି। ସମସ୍ତଙ୍କ ନଜର ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ଥିବା ବେଳେ ସେ ବି ନିଜ ଜିଦରେ ଅଟଳ ରହିଥିଲେ। ପ୍ରାର୍ଥୀ ପତ୍ର ଦାଖଲ କରିଥିଲି ଲଢ଼ିବା ପାଇଁ, ପ୍ରତ୍ୟାହାର କରିବା ପାଇଁ ନୁହେଁ ବୋଲି ପ୍ରତିକ୍ରିୟା ରଖିଥିଲେ ରାଜୁ।
ଏବେ ମଇଦାନରେ ୫ ଜଣ ରହଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଜେଡି ପାଇଁ କଣ୍ଟା ହେବେ କି ରାଜେନ୍ଦ୍ର ଦାସ ! ନା ଗୋଳିଆ ପାଣିରୁ ଫାଇଦା ଉଠାଇବେ କି ବିରୋଧୀ ! ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି,"ସାଧାରଣ ଲୋକଙ୍କ ମତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ବିଜେଡି ସରକାରଙ୍କ କାର୍ଯ୍ୟକ୍ରମ ପ୍ରତି ରହିଛି। ବିଜେଡିରୁ ଯିଏ ପ୍ରତିନିନିଧିତ୍ୱ କରିବ ବାଜିମାତ କରିବ। ଧାମନଗରରେ କିଛିଦିନ ହେବ ବିକାଶ ବାଧାପ୍ରାପ୍ତ ହୋଇଥିଲା। ଅବନ୍ତି ଦାସଙ୍କ ମାଧ୍ୟମରେ ବିକାଶ ମୂଳକ କାର୍ଯ୍ୟରେ ଯୋଡ଼ି ହେବେ ଧାମନଗର ବାସୀ। ରାଜେନ୍ଦ୍ର ଦାସ ବ୍ୟକ୍ତିଗତ ଭାବେ କିଛି ଭୋଟ ନେଇ ପାରନ୍ତି। କିନ୍ତୁ ବହୁତ୍ ସୀମିତ ରହିବ। ବିଜେଡି ସହିତ ରହିବାକୁ ଲୋକ ମାନସ୍ତ କରିଛନ୍ତି"। ପ୍ରଥମଥର ପାଇଁ କୌଣସି ଉପନିର୍ବାଚନରେ ବିଦ୍ରୋହର ସାମ୍ନା କରିବ ବିଜେଡ଼ି। ପ୍ରାର୍ଥୀ ମନୋନୟନରେ ରାଜୁଙ୍କୁ ଆଡ଼ ନଜର କରିଥିବା ଦଳକୁ ଏବେ ପ୍ରାର୍ଥୀ ଅଵନ୍ତିଙ୍କୁ ଜିତିଇବା ପାଇଁ ସଂଘର୍ଷ କରିବାକୁ ହେବ ବୋଲି ଶୁଣିବାକୁ ମିଳୁଛି।

ଧାମନଗର ଉପନିର୍ବାଚନ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ନିଜ ମତ ରଖିଛନ୍ତି। ସେ କହିଛନ୍ତି,"କେବଳ ଧାମନଗରର ନୁହେଁ ବିଜେଡି ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ତିଆରି ହୋଇଛି। ବାରୁଦ ଗଦା ଭିତରେ ବିଜେଡି ବସିଛି। ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରଣ ହୋଇପାରେ। ମନମୁଖୀ,ଏକଛାତ୍ରବାଦ ଓ ଅମଲାତନ୍ତ୍ରିକ ଶାସନ ଅଧିକ ଦିନ ଚାଲେନି। ଅଧିକ ଦିନ ଭ୍ରଷ୍ଟାଚାର ଚାଲେନି। ଏହାର ପ୍ରତିଫଳନ ଧାମନଗର ଉପନିର୍ବାଚ ନେଇ ଦେଖାଯାଉଛି। ବିଜେପି ସପକ୍ଷରେ ଅନୁକୂଳ ବାତାବରଣ ରହିଛି"।
"ଧାମନଗରରେ ବିଜେଡି ଭୋଟ ବିଭାଜନ ହେବ। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେଡିର ନ୍ୟାଚୁରାଲ ଲିଡର ଥିଲେ। ବିଜେଡି ସହ ପ୍ରତିଦ୍ବନ୍ଦିତା ପରିବର୍ତ୍ତେ ବିଜେପି ସହିତ ରାଜେନ୍ଦ୍ର ଦାସଙ୍କ ସହ ଲଢେଇ ହୋଇପାରେ। ବିଜେଡି ତଳକୁ ଖସିପାରେ। ବିଜେଡ଼ିର କର୍ମକର୍ତ୍ତା ତାଙ୍କ ସହ ନାହାଁନ୍ତି। ଭିନ୍ନ ବାତାବରଣ ରହିଛି। ବିଜେପି ଏକ ନମ୍ୱର୍ ରେ ଅଛି ଆଗକୁ ବି ରହିବ। ପ୍ରଚାର ପ୍ରସାର ଆଗକୁ ବଢିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ।
ଅନ୍ୟପକ୍ଷେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି,"ଧାମନଗର ନିର୍ବାଚନରେ କଡା ଫାଇଟ ହେବ। ଏଥର ୪ ଜଣଙ୍କ ଭିତରେ ଲଢେଇ ହେଉଛି। ଲଢେଇରେ କଂଗ୍ରେସକୁ ଫାଇଦା ମିଳିବ। କାରଣ ବିଜେଡିର ରାଜେନ୍ଦ୍ର ଦାସ ବିଦ୍ରୋହୀ ପ୍ରାର୍ଥୀ ଅଛନ୍ତି। ଯାହାକି ବିଜେଡିର ଭୋଟ କାଟିବ। କଂଗ୍ରେସ ସେଠାରେ ଏକାଠି ଲଢିବ । ଧାମନଗର ପ୍ରଚାରରେ ସେ ନିଜେ ଯିବେ ବୋଲି କହିଛନ୍ତି।
ଧାମନଗର ଉପନିର୍ବାଚନ ପାଇଁ ମୈଦାନରେ ୫ ପ୍ରାର୍ଥୀ । ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଖାରଜ ହୋଇଛି । ବିଜେଡ଼ିରୁ ଅବନ୍ତି ଦାସ, ବଜେପିରୁ ସୂରଜ ସୂର୍ଯ୍ଯବଂଶୀ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ଓ ଦୁଇ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ରାଜେନ୍ଦ୍ର କୁମାର ଦାସଙ୍କ ମଧ୍ଯରେ ହେବ ଜୋରଦାର ଲଢ଼େଇ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।